Bom Blast: ଭୁବନେଶ୍ୱର କେଭି-୩ ନିକଟରେ ବୋମାମାଡ଼; ଏନଆଇଏର ଖୋଳତାଡ

Reporterspen

Bom Blast: ଭୁବନେଶ୍ୱର (ରିପୋର୍ଟର୍ସ ପେନ୍‌): ମଞ୍ଚେଶ୍ୱର ଥାନା ଅଧିନ କେନ୍ଦ୍ରୀୟ ବିଦ୍ୟାଳୟ-୩ ସମ୍ମୁଖରେ ବୋମାମାଡ ହୋଇଛି । ବୋମା ମାଡର କାରଣ ଅସ୍ପଷ୍ଟ ଥିବା ବେଳେ କମିଶନରେଟ ପୋଲିସ ଓ ଏନଆଇଏ ଟିମ ଘଟଣାର ତନାଘନା ଆରମ୍ଭ କରିଛି । ବୋମା ମାଡ ପରେ ଛାତ୍ରଛାତ୍ରୀମାନେ ଭୟଭୀତ ହୋଇପଡିଛନ୍ତି ।

ଶୁକ୍ରବାର ସକାଳ ପ୍ରାୟ ୮ଟା ବେଳେ ଗାଡ଼କଣାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ-୩ର ୩ ନମ୍ବର ଗେଟ ନିକଟରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏହି ଗେଟ ନିକଟରେ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ କ୍ଲାସ ରହିଛି । ସେତେବେଳକୁ ପିଲାମାନେ ସ୍କୁଲ ଭିତରେ ଥିଲେ ଏବଂ କ୍ଲାସ ଆରମ୍ଭ ହୋଇ ଯାଇଥିଲା । ବୋମାମାଡ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ବାତାବରଣ ଦେଖା ଯାଇଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ ।

କିଏ କାହିଁକି ବୋମା ମାଡ କରିଛି ତାହା ଜଣାପଡି ନାହିଁ । ତେବେ କିଛି ବଡ ଅପରାଧ ପାଇଁ ବିସ୍ଫୋରକ ନେଇ ଯାଉଥିବା ପୋଲିସ ଅନୁମାନ କରିଛି । ସ୍ଥାନୀୟ ଅଞ୍ଚଳର ପୋଲିସ ଏକାଧିକ ସିସିଟିଭି ଯାଞ୍ଚ କରୁଛି । ତେବେ ରାଷ୍ଟ୍ରପତି ଭୁବନେଶ୍ୱରରେ ଥିବାରୁ ଘଟଣାକୁ ଏନଆଇଏ ଗମ୍ଭୀରତାର ସହ ନେଇଛି । ଏନଆଇଏର ଏକ ଟିମ ଘଟଣାସ୍ଥଳରେ ପହଁଚି ତନାଘନା କରୁଛି । ଏଥିସହିତ ରେଳବାଇ ପୋଲିସ, କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାଡ ସାଇଣ୍ଟିଫିକ ଟିମ ସହ ଖୋଳତାଡ କରୁିଛି ।

ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ପୋଲିସ କମିଶନର ଏସ ଦେବଦତ୍ତ ସିଂ କହିଛନ୍ତି, ସାଇଣ୍ଟିଫିକ ଟିମ ଆସି ସାମ୍ପୁଲ ସଂଗ୍ରହ କରି ନେଇଛି । ଘଟଣାସ୍ଥଳରୁ ମିଳିଥିବା ଗନ ପାଉଡରକୁ ମଧ୍ୟ ସାଇଣ୍ଟିଫିକ ଟିମ ଜବତ କରିଛି । ତେବେ ପ୍ରାଥମିକ ତଦନ୍ତରୁ ଏହା ସାଧାରଣ ଫଟକା ବୋଲି ଅନୁମାନ କରାଯାଉଛି । ଏଥିପାଇଁ ଅଭିଭାବକମାନେ ଭୟଭୀତ ନ ହେବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ଅପରପକ୍ଷରେ ଖବରପାଇ ଅଭିଭାବକମାନେ ଆସି ସ୍କୁଲ ସମ୍ମୁଖରେ ରୁଣ୍ଡ ହୋଇଥିଲେ । ପିଲାମାନେ ସୁରକ୍ଷିତ ଥିବା ଦେଖି ଆଶ୍ୱସ୍ତ ହୋଇଥିଲେ । ତେବେ ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଧରିବା ପାଇଁ ଦାବି କରିଥିଲେ । ଅନ୍ୟପକ୍ଷେ ଗୋଟିଏ ପଟେ ସ୍କୁଲ, ଅନ୍ୟପଟେ ରେଲୱେ କଲୋନୀ । ଏପରି ଏକ ସ୍ଥାନରେ ବୋମା ମାଡ ହୋଇଥିବାରୁ କଲୋନୀବାସୀ ମଧ୍ୟ ଭୟଭୀତ ହୋଇ ପଡିଛନ୍ତି ।


Reporterspen