CM Odisha: ଭୁବନେଶ୍ୱର (ରିପୋର୍ଟର୍ସ ପେନ୍): ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୧୭ହଜାର ୪୪୦କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ହୋଇଛି। ଏହି ଅବସରରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଚଳିତ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ ଗୃହରେ ଉପସ୍ଥାପନ କରିଥିଲି। ଗତ ଆଠ ମାସରେ ଆମର ସରକାର ବଜେଟରେ ଥିବା ପ୍ରାବଧାନ ଅନୁଯାୟୀ ବିଭିନ୍ନ କାର୍ଯ୍ୟକ୍ରମକୁ କାର୍ଯ୍ୟାନ୍ୱୟନ କରୁଛନ୍ତି। ଆମ ବଜେଟର ଚାରିଗୋଟି ମୁଖ୍ୟ ଉପାଦାନ ଉପରେ ପର୍ଯ୍ୟବେଶିତ ଥିଲା ଜୀବନ ଜୀବିକାର ଉନ୍ନତି, ଭିତ୍ତିଭୂମିର ବିକାଶ, ସାମାଜିକ ସୁରକ୍ଷା ଓ ସମାଜ ମଙ୍ଗଳ ଏବଂ ଓଡିଶା ଅସ୍ମିତା।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଧ୍ୟରୁ କେବଳ କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୧୩ ହଜାର ୭୧୬ କୋଟି ଟଙ୍କା ଖର୍ଚ୍ଚ ହେବ। ବାର୍ଷିକ ବଜେଟ କେବଳ ବର୍ଷକର ଆୟ-ବ୍ୟୟର ହିସାବ ନୁହେଁ। ଆମ ସରକାର ରାଜ୍ୟ ଗଠନରେ ବିଶ୍ବାସ କରେ, ଏହି ରାଜ୍ୟ ଓ ରାଷ୍ଟ୍ର ନିର୍ମାଣ କେବଳ ଗୋଟିଏ କି ଦୁଇଟି ବଜେଟରେ ହେବା ସମ୍ଭବ ନୁହେଁ। ଏଥିପାଇଁ ଏକ ଭିଜନ ଏବଂ ଦୁରଦୃଷ୍ଟିର ଆବଶ୍ୟକ।
ତେଣୁ, ଆମର ଲକ୍ଷ୍ୟ ହେଉଛି ୨୦୩୬ ସୁଦ୍ଧା ‘ସମୃଦ୍ଧ ଓଡିଶା’ ର ନିର୍ମାଣ ଏବଂ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଗଠନ ପାଇଁ ଓଡିଶାର ଅବଦାନ। ଏହି ସ୍ଵପ୍ନକୁ ସାକାର କରିବାପାଇଁ ସବୁଠାରୁ ବଡ ଅବଦାନ ରହିବ ଭିତ୍ତିଭୂମି ନିର୍ମାଣ। ଯେତେ ଅଧିକ ଭିତ୍ତିଭୂମି ନିର୍ମାଣ ହେବ ସେତିକି ଅଧିକ ରୋଜଗାର ସୃଷ୍ଟି ହେବ, ସେତେ ଅଧିକ ଆର୍ଥିକ ଅଭିବୃଦ୍ଧି ହେବ।
ତେବେ ଓଡିଶା ମହାଲେଖାକାରଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୨୫ ଅକ୍ଟୋବର ପର୍ଯ୍ୟନ୍ତ ରାଜ୍ୟର ରାଜସ୍ୱ ବଳକା (୧.୩ ପ୍ରତିଶତ) ସ୍ଥିତି ବଜାୟ ଥିବାବେଳେ, ଋଣ ଭାର ରାଜ୍ୟ ସକଳ ଘରୋଇ ଉତ୍ପାଦର ଅନୁପାତ ୧୧.୯ ପ୍ରତିଶତ ରହିଅଛି ଏବଂ ସୁଧ ଦେୟ ଓ ରାଜସ୍ୱ ଆୟର ଅନୁପାତ ୨.୨ ପ୍ରତିଶତରେ ସୀମିତ ରହିଛି । ଏଥି ସହିତ ଅକ୍ଟୋବର, ୨୦୨୫ ଶେଷ ସୁଦ୍ଧା ରାଜ୍ୟର ମୁଣ୍ଡପିଛା ଋଣଭାର (କେବଳ ୨୬ ହଜାର ୯ ଶହ ୭୮ ଟଙ୍କା ରହିଅଛି, ଯାହାକି ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଯଥେଷ୍ଟ କମ୍ ଅଟେ ।
ଖାଦ୍ଯ ଓ ଖାଉଟି କଲ୍ୟାଣ ବିଭାଗ ପାଇଁ ୪ ହଜାର ୩୨୯ କୋଟି ଟଙ୍କା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୨ ହଜାର କୋଟି ଟଙ୍କା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୧ ହଜାର ୧୫୯ କୋଟି ଟଙ୍କା, କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ୧ ହଜାର ୬୭୩ କୋଟି ଟଙ୍କା, ମହିଳା ଓ ଶିଶୁ କଲ୍ୟାଣ ତଥା ମିଶନ ଶକ୍ତି ପାଇଁ ୧ ହଜାର ୫୫୭ କୋଟି ଟଙ୍କାର ପ୍ରାବଧାନ କରାଯାଇଛି। ତେଣୁ ସାଧାରଣ ଲୋକ, ବିଶେଷ ଭାବେ କୃଷକ, ମହିଳା ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆମ ସରକାରର ପ୍ରତିବଦ୍ଧତାର ପ୍ରମାଣ । ଆମ ସରକାର ଆସିବା ପରେ ୩୭ ହଜାରରୁ ଅଧିକ ସରକାରୀ ପଦପଦବୀ ପୂରଣ କରିଛି। ଆସନ୍ତା ଚାରିମାସରେ ପ୍ରାୟ ୩୦ ହଜାର ପଦବୀ ପୂରଣ କରିବା ପାଇଁ କାର୍ଯ୍ୟ ଜାରି ରହିଛି ବୋଲି ସୂଚନା ଦେଇଥିଲେ।

