ଭୁବନେଶ୍ୱର (ରିପୋର୍ଟର୍ସ ପେନ୍): ଅଗ୍ନିକାଣ୍ଡ ପରେ ନୋ ଲିମିଟ ହୁକା ବାର ପାଇଁ ଅଡ଼ୁଆ ବଢିଛି । ନୋ ଲିମିଟରେ ଚାଲୁଥିବା ବେଆଇନ କାରବାରର ତଦନ୍ତ ପାଇଁ ଅବକାରୀ କମିଶନର ପି ଅନ୍ୱଶା ରେଡ୍ଡୀ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶ ଅନୁଯାୟୀ ଷ୍ଟେଟ୍ ଫ୍ଲାଇଂ ସ୍କ୍ୱାର୍ଡ ସୁପରିଟେଣ୍ଡଣ୍ଟ ଓ ଭୁବନେଶ୍ୱରର ଏକ୍ସାଇଜ ସୁପରିଟେଣ୍ଡେଣ୍ଟଙ୍କୁ ଯଥାଶୀଘ୍ର ତଦନ୍ତ ସାରି କମିଶନରଙ୍କ ନିକଟରେ ଏହି ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ କୁହାଯାଇଛି ।
ନୋ ଲିମିଟ୍ ତଳେ ଥିବା ହୋଟେଲ ଲିଭିଙ୍ଗ୍ ପାରାଡାଇଜ୍ ସହ ସ୍ଥାନୀୟ ଲୋକଙ୍କର ବୟାନ ରେକର୍ଡ କରାଯିବ । ସିସିଟିଭି ଯାଞ୍ଚ ସହ ନୋ ଲିମିଟ୍ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ନେଇ ତଦନ୍ତକାରୀ ଅଧିକାରୀ ତଦନ୍ତ କରିବେ । ଅନ୍ୟପଟେ ଅବକାରୀ ନିୟମ ଉଲଙ୍ଘନର ଯଦି କୌଣସି ପ୍ରମାଣ ମିଳେ ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭୁବନେଶ୍ୱରର ଅବକାରୀ ସୁପରିଟେଣ୍ଡ ଦେବାଶିଷ ପଟେଲ କହିଛନ୍ତି ।
ଗୋଆ ହରର୍ ପରେ ଶୁକ୍ରବାର ଭୁବନେଶ୍ୱର ଥରହର ହୋଇଥିଲା । ଅଗ୍ନିକାଣ୍ଡରେ ଦେଢ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଜଳିଯାଇଥିଲା । ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ‘ନୋ ଲିମିଟ ଏୟାର’ ଶୁକ୍ରବାର ସକାଳ ପ୍ରାୟ ୮ ଟା ୩୦ରେ ଜଳୁଥିବା ଦେଖି ଅଗ୍ନିଶମ ବିଭାଗର ୫ଟି ଟିମ୍ ପହଁଛି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ଅଗ୍ନିକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ଅଭିଯୋଗ ଅନୁସାରେ, ବିନା ଅବକାରୀ ଲାଇସେନ୍ସରେ ସେଠାରେ ମଦର ଆସର ଚାଲିଥିଲା ।
ନିଶା ଚଢିବା ପରେ ରୁଫ ଟଫରେ ହୁକା ମିଳୁଥିଲା । ଡିଜେର ତାଳେ ତାଳେ ନିୟମ କାନୁନର ଧଜିଆ ଉଡାଉଥିଲେ ନୋ ଲିମିଟକୁ ଆସୁଥିବା ଯୁବପୀଢ଼ି । କର୍ତ୍ତୃପକ୍ଷଙ୍କର ନା ପୋଲିସକୁ ଭୟ ଥିଲା, ନା ଅବକାରୀ ବିଭାଗକୁ ଖାତିର ଥିଲା । ରେଷ୍ଟୁରାଣ୍ଟ ନାଁରେ ରାତିତମାମ ରାଜଧାନୀରେ ଏହି ବାରରେ ନିଶା ସେବନ ଚାଲୁଥିଲା । ଲାଇସେନ୍ସ ନଥିଲା କିନ୍ତୁ ପୁଳା ପୁଳା ମଦ ବୋତଲ ପଡିଥିଲା ।
ରାଜମହଲରେ ଥିବା ‘ନୋ ଲିମିଟ୍’ ବ୍ରାଞ୍ଚରୁ ସେଠାକୁ ସପ୍ଲାଏ ମଦ ସପ୍ଲାଏ ହେଉଥିଲା । ବ୍ୟାଚଲର୍ ପାର୍ଟି, ବାର୍ଥ ଡେ ପାର୍ଟି ହେଲେ ନିଶା ଖାଇ ନିଶାଡି ନାକେଦମ କରୁଥିବା ଅଭିଯୋଗଭ ହୋଇଥିଲା । କିଛି ମାସ ତଳେ ମଧ୍ୟ ଠିକ ସେହି ସ୍ଥାନରେ ବିଳମ୍ବିତ ରାତିରେ ଯୁବକଙ୍କୁ ଛୁରାମାଡ଼ ହୋଇଥିଲା । ସବୁଦେଖି ମଧ୍ୟ ପୋଲିସ ନିଦାବିଷ୍ଣୁ ପାଲଟିଥିଲା । ଅବକାରୀ ବିଭାଗ କୁମ୍ଭକର୍ଣ୍ଣ ନିଦରେ ଶୋଇଥିଲା ।
ବାରକୁ ନେଇ ସ୍ଥାନୀୟ ଲୋକ କହିଛନ୍ତି,ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ବାର୍ ଖୋଲିବାଠାରୁ ଆଖାପାଖ ଅଞ୍ଚଳରେ ଅପରାଧୀଙ୍କ ସଂଖ୍ୟା ବଢିଯାଇଛି । ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । କାରଣ ବାରକୁ ଗୁଣ୍ଡା ଓ ଅପରାଧୀ ଶ୍ରେଣୀର ଲୋକ ଆସି ଗଣ୍ଡଗୋଳ କରି ଆତଙ୍କ ଖେଳାଉଛନ୍ତି । ରାସ୍ତା ମଝିରେ ଗାଡି ରଖି ଜାମ୍ କରୁଛନ୍ତି । ଯଦି କେହି ସେମାନଙ୍କୁ ବାରଣ କରୁଛି, ସେମାନେ ଆକ୍ରମଣ କରିବାକୁ ପଛାଉ ନାହାନ୍ତି । କିଛିଦିନ ତଳେ ସେଠାରେ ଗଣ୍ଡଗୋଳ ହୋଇଥିଲା । ୪-୫ଜଣ ରକ୍ତାକ୍ତ ହୋଇଥିଲେ । ଏନେଇ ଅଭିଯୋଗ ପରେ ମଧ୍ୟ କେ?ଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବା ସ୍ଥାନୀୟ ଲୋକ କହିଛନ୍ତି ।

