Odisha Police: ପାସ୍‌ପୋର୍ଟ ପାଉଣାକୁ ନେଇ ପୋଲିସ ମହଲରେ ଅସନ୍ତୋଷ

Reporterspen

Odisha Police: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ପାସ୍‌ପୋର୍ଟ ପାଉଣାକୁ ନେଇ ଏବେ ପୋଲିସ ମହଲରେ ଅସନ୍ତୋଷ ବଢିବାରେ ଲାଗିଛି । ଏହି ପାଉଣା ପାଇବାକୁ ତଳ ଠାରୁ ଉପର ପର୍ଯ୍ୟନ୍ତ ପୋଲିସ କର୍ମଚାରୀ ଚାହିଁବସିଥିବା ବେଳେ ଏହାକୁ ଏବେ ଥାନା ମଙ୍ଗୁଆଳଙ୍କ ବ୍ୟାଙ୍କ ଖାତାକୁ ଆସିବା ଘଟଣା ଏବେ ଚାପା ଗୁଞ୍ଜରଣ ସୃଷ୍ଟି କରିଛି ।

ସୂଚନା ଅନୁସାରେ, ପାସ୍‌ପୋର୍ଟ ଆବେଦନ ହେଲେ ତାହା ଯାଞ୍ଚ ପାଇଁ ନିକଟସ୍ଥ ଥାନାକୁ ଯାଇଥାଏ । ଏହି କାର୍ଯ୍ୟ ପାଇଁ ପ୍ରତି ଥାନାରେ ଜଣେ ଅଫିସର କିମ୍ବା ଦାୟିତ୍ୱ ସମ୍ପର୍ଣ୍ଣ କର୍ମଚାରୀଙ୍କୁ ଦିଆଯାଇଥାଏ । ଗୋଟିଏ ପାସପୋର୍ଟ ଯାଞ୍ଚ କରିବା ଲାଗି ପାସପୋର୍ଟ ଅଫିସ ପୋଲିସ ବିଭାଗକୁ (ସ୍ପେଶାଲ ବ୍ରାଂଚ)କୁ ୧୫୦ ଟଙ୍କା ଦେଇଥାଏ । ଏହି ଟଙ୍କାରୁ ୫୦ପ୍ରତିଶତ ଗୁଇନ୍ଦା (ରାଜ୍ୟ ଓ ଜିଲ୍ଲା) ବିଭାଗ ପାଖରେ ରଖୁଥିବା ବେଳେ ବାକି ଟଙ୍କା ଜିଲ୍ଲା ଏସପି ବା ଡିସିପିଙ୍କୁ ପ୍ରଦାନ କରାଯାଇଥାଏ । ଏସ୍‌ପି ଅଫିସରୁ ଉକ୍ତ ଟଙ୍କା କେଉଁ ଥାନାର କେତେ ଭାଗ ତାହାର ହିସାବ କରାଯାଇ ଥାନାକୁ ଦିଆଯାଏ । ଥାନାରେ ଯେଉଁ କର୍ମଚାରୀ ବା ଅଫିସର ପାସପୋର୍ଟ ଦାୟିତ୍ୱରେ ଥାଆନ୍ତି, ତାଙ୍କୁ ଉକ୍ତ ଟଙ୍କା ସିଂହ ଭାଗ ଦିଆଯାଇଥାଏ ।

ମାତ୍ର ଏବେ ସ୍ପେଶାଲ ବ୍ରାଂଚ ଉକ୍ତ ଟଙ୍କାକୁ ସିଧାସଳକ ଥାନା ଅଧିକାରୀଙ୍କ ଆକାଉଣ୍ଟକୁ ପଠାଇ ଦେଇଛି । ଫଳରେ ଏହି ଟଙ୍କା ପାସ୍‌ପୋର୍ଟ ଯାଞ୍ଚ କରୁଥିବା କର୍ମଚାରୀ କିମ୍ବା ତତକାଳୀନ ଥାନା ଅଧିକାରୀ ଆଉ ପାଇବେ ନାହିଁ । ବର୍ତମାନ ଯେଉଁ ଥାନାରେ ଯିଏ ଦାୟିତ୍ୱରେ ଅଛି, ତାଙ୍କ ଖାତାକୁ ଉକ୍ତ ଟଙ୍କା ପଠାଯାଇଛି । ଫଳରେ ପୂର୍ବ ଥାନା ଅଧିକାରୀ କିମ୍ବା ପାସପୋର୍ଟ ଯାଞ୍ଚକରୁଥିବା କର୍ମଚାରୀ ଆଉ ଉକ୍ତ ଟଙ୍କା ପାଇପାରିବେ ନାହିଁ । ତେଣୁ ଏହାକୁ ନେଇ ପୂର୍ବ ଥାନା ଅଧିକାରୀଙ୍କ ଠାରୁ ଆରମ୍ଭ କରି ପାସପୋର୍ଟ ଯାଂଚ କରୁଥିବା କର୍ମଚାରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାକୁ ନେଇ ପୋଲିସ ବିଭାଗରେ ଏକ ଚାପା ଗୁଂଜରଣ ସୃଷ୍ଟି ହୋଇଛି ।

ଉଲ୍ଲେଖଥାଉ କି, ଭୁବନେଶ୍ୱରର କ୍ୟାପିଟାଲ, ନୂଆପଲ୍ଲୀ, ଚନ୍ଦ୍ରଶେଖରପୁର, ଖାରବେଳନଗର ଓ ଖଣ୍ଡଗିରି ଭଳି ବଡ ଥାନାରେ ପାସପୋର୍ଟ ବାବାଦ ବର୍ଷକ ପ୍ରାୟ ଦେଢରୁ ଅଧିକ ଟଙ୍କା ମିଳିଥାଏ । ତେବେ ଯଦି ୨/୩ ବର୍ଷର ଟଙ୍କା ଏକକାଳୀନ ଆସେ, ତେବେ ଏହା ୫ଲକ୍ଷ ଛୁଇଁବା ସମ୍ଭାବନା ରହିଛି । ଯାହା ବର୍ତ୍ତମାନର ଥାନା ଅଧିକାରୀଙ୍କ ଖାତାକୁ ଆସିବ । ଯାହାକୁ ନେଇ ଏ ଅସନ୍ତୋଷ ସୃଷ୍ଟି ହୋଇଛି ।

ଏନେଇ ଥାନାର ଜଣେ ଅଧିକାରୀ କହିଛନ୍ତି, ଯେଉଁମାନେ ପାସପୋର୍ଟ ଦାୟିତ୍ୱରେ ଥାଆନ୍ତି, ଭୂଲ ପାଇଁ ମଧ୍ୟ ସେମାନେ ଦାୟୀ ରୁହନ୍ତି । ବିଳମ୍ବ କିମ୍ବା ଭୂଲ ପାଇଁ ଡିସିପିଙ୍କ ପାଖରୁ ଗାଳି ଖାଇଥାନ୍ତି । ଏପରିକି ଆବଶ୍ୟକ ସ୍ଥଳରେ ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବନ ମଧ୍ୟ କରାଯାଇଥାଏ । ଏଥିସହିତ ଯେଉଁ ଥାନା ଅଧିକାରୀଙ୍କ ସମୟରେ ଯେତିକି ପାସପୋର୍ଟ ଯାଂଚ କରାଯାଇଛି, ସେମାନେ ମଧ୍ୟ ତ୍ରୁଟି ପାଇଁ ଦାୟି ହୋଇଥାନ୍ତି । ତେଣୁ ପୂର୍ବ ଭଳି ଉକ୍ତ ଟଙ୍କାକୁ ସମାନ ଭାବରେ ଦିଆଯିବା କଥା । ମାତ୍ର ଏହି ନିୟମ କ’ଣ ପାଇଁ ତାହା ମୁଁ କହିପାରିବି ନାହିଁ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ସ୍ପେଶାଲ ବ୍ରାଞ୍ଚ କାହା ନିର୍ଦ୍ଦେଶରେ ଏଭଳି କାର୍ଯ୍ୟ କରୁଛି । ଥାନା ଅଧିକାରୀଙ୍କ ପାଖକୁ ସରକାରଙ୍କ ପକ୍ଷରୁ ତଦନ୍ତ ଲାଗି ପ୍ରତି ମାସରେ ୪୦ହଜାର ଟଙ୍କା ଆସୁଛି । ଏହା ସତ୍ୱେ ପୁଣି ପାସପୋର୍ଟ ଟଙ୍କା କ’ଣ ପାଇଁ ଦିଆଗଲା? ତେବେ ଯଦି ଉକ୍ତ ଟଙ୍କା ଇନ୍ସପେକ୍ଟରଙ୍କୁ ପାଖକୁ ଆସୁଛି, ତାହାହେଲେ ସେ ପୂର୍ବଭଳି ସମସ୍ତଙ୍କୁ ପ୍ରଦାନ କରନ୍ତୁ ବୋଲି ଦାବି ହେଉଛି । ଯଦି ଏଭଳି ନହୁଏ, ତେବେ ଆଉ ପାସପୋର୍ଟ ଯାଂଚ ପାଇଁ କୌଣସି ଅଫିସର କିମ୍ବା କର୍ମଚାରୀ ସହମତି ପ୍ରକାଶ କରିବେ ନାହିଁ ବୋଲି ଜଣାପଡିଛି । ଏନେଇ ସ୍ପେଶାଲବ୍ରାଂଚର ଜଣେ ଅଧିକାରୀ କହିଛନ୍ତି, ଏହା ପୋଲିସ ଡିଜିଙ୍କ ନିର୍ଦ୍ଦେଶ । ଡିଜିଙ୍କ ନିର୍ଦ୍ଦେଶ ଅନୁସାରେ ଏଭଳି କରାଯାଇଛି ।


Reporterspen
!-- afp header code starts here -->