କେନ୍ଦୁଝର ମଇଦାନକେଲ ସ୍ଥିତ ପ୍ରଗତି ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳିତ;ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

Reporterspen

କେନ୍ଦୁଝର,(ରିପୋର୍ଟର୍ସ ପେନ୍‌) : ଶିକ୍ଷା ହେଉଛି ମାନବ ସଭ୍ୟତାର ବିକାଶର ପ୍ରଥମ ପାହାଚ। ଏହି ପାହାଚ ଚଢ଼ି ଭାରତ ବିକଶିତ ହେବ ଏବଂ ଆମେ ନିର୍ଭରଶୀଳ ହୋଇ ପାରିବା। ତେଣୁ ଛାତ୍ରଛାତ୍ରୀମାନେ ଜୀବନରେ ସବୁବେଳେ ଶିକ୍ଷାକୁ ସର୍ବାଧିକ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ମଇଦାନକେଲସ୍ଥିତ ପ୍ରଗତି ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି। କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ”ଶିକ୍ଷା ହେଉଛି ମାନବ ସଭ୍ୟତାର ବିକାଶର ପ୍ରଥମ ପାହାଚ। ଆଜି ସମୟ ବଦଳିଛି, ଶିକ୍ଷାଦାନ, ଶିକ୍ଷା ଆହରଣ ପଦ୍ଧତି ମଧ୍ୟ ବଦଳିଛି। ଆଜିର ପିଲାମାନେ ଅତ୍ୟନ୍ତ ବିଚକ୍ଷଣ, ବୁଦ୍ଧିମାନ ଏବଂ ପ୍ରତିଭାବାନ୍। ମୋ କହିବାରେ ଆଦୌ ସଙ୍କୋଚ ନାହିଁ ଯେ ଆମ ସମୟରେ କିମ୍ବା ଆମ ପୂର୍ବ ପିଢ଼ିମାନେ ଯାହା ଦଶମ-ଏକାଦଶ ଶ୍ରେଣୀରେ ପଢୁଥିଲେ ତାହା ଆଜିର ପିଲାମାନେ ସପ୍ତମ ଶ୍ରେଣୀରୁ ପଢିବା ଆରମ୍ଭ କରିଦେଉଛନ୍ତି। ଆଗାମୀ ଦିନରେ ଏହି ଜ୍ଞାନର ପରିସୀମା ଆହୁରି ବୃଦ୍ଧି ହେବ।”

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ଛାତ୍ରଛାତ୍ରୀମାନେ ହିଁ ବିକଶିତ ଭାରତର ସୁତ୍ରଧର। ବର୍ତ୍ତମାନର ଛାତ୍ରଛାତ୍ରୀ ହେଉଛନ୍ତି ଏକବିଂଶ ଶତାବ୍ଦୀର ଛାତ୍ରଛାତ୍ରୀ। ୫୦ ବର୍ଷ ତଳେ ଛାତ୍ରଛାତ୍ରୀମାନେ ଯେଉଁ ସୁଯୋଗ ବିଷୟରେ ସ୍ବପ୍ନରେ ସୁଦ୍ଧା ଭାବି ନ ଥିଲେ, ଆଜି ସବୁ ସୁଯୋଗ ପାଉଛନ୍ତି। ତେବେ ଛାତ୍ରଛାତ୍ରୀମାନେ କେବଳ ପାଠରେ ଗୁରୁତ୍ବ ନୁହେଁ ବରଂ ସବୁଦିଗରୁ ପ୍ରତିଭାବାନ ହେବା ଆବଶ୍ୟକ। କେବଳ ପାଠ କଥା କହୁ ନାହିଁ। କିଛି ପିଲା ଭଲ ପାଠ ପଢନ୍ତି, ଆଉ କିଛି ପିଲା ଭଲ ଖେଳନ୍ତି। ଅନ୍ୟ କିଛି ପିଲାଙ୍କର ନାଚ, ଗୀତ ଓ ଅନ୍ୟାନ୍ୟ ବିଷୟରେ ରୁଚି ଥାଏ। ସବୁଠୁ ବଡ଼ କଥା ହେଉଛି, ନିଜ ଭିତରେ ଥିବା ପ୍ରତିଭାକୁ ଜାଣିବା, ଚିହ୍ନିବା। ଯଦି ନିଜ ପ୍ରତିଭାକୁ ଜାଣିପାରିବ, ଏବଂ ନିଜ ପ୍ରତିଭା ଅନୁଯାୟୀ ଆଗକୁ ବଢିବାର ପ୍ରୟାସ କରିବ, ତେବେ ତୁମକୁ କେହି ରୋକିପାରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆଜିକାଲି ଯୁଗ ହେଉଛି, ପ୍ରଫେସନାଲ ଏକ୍ସେଲେନ୍ସର ଯୁଗ। ଦକ୍ଷତାର ଯୁଗ। ଯେକୌଣସି କ୍ଷେତ୍ରରେ କେହି ପାଦ ଦେଇ ପାର, କିନ୍ତୁ ଦକ୍ଷ ହେବାକୁ ପଡ଼ିବ। ଦକ୍ଷ ହେଲେ ଦେଶ ମଧ୍ୟ ପ୍ରଗତି କରିବ। ଆଜିକାଲିର ଛାତ୍ରଛାତ୍ରୀଙ୍କ ଜ୍ଞାନ ଓ ଦକ୍ଷତାକୁ ଭିତ୍ତିକରି, ଭାରତ ବିଶ୍ୱରେ ଶ୍ରେଷ୍ଠ ହେବ। ଆଜି ଆଧୁନିକ ଯୁଗରେ ଶିକ୍ଷାରେ ବୈପ୍ଳବିକ ପରିବର୍ତ୍ତନ ଆସିଛି। ନୂତନ ଶିକ୍ଷାନୀତି-୨୦୨୦ ଏହାର ଏକ ଜ୍ଵଳନ୍ତ ଉଦାହରଣ। ଯଶସ୍ବୀ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଦିଗଦର୍ଶନରେ ଏହି ଶିକ୍ଷା ନୀତି ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ହେଉଅଛି। ଆମ ରାଜ୍ୟରେ ମଧ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରିଛନ୍ତି। ଏହି ନୂତନ ଶିକ୍ଷାନୀତି ଫଳରେ ବିଦ୍ୟାର୍ଥୀଙ୍କ ସାମଗ୍ରିକ ବିକାଶ ହେବା ସହ, ସେମାନେ ଜୀବନରେ ଉତ୍ତମ ମଣିଷ ମଧ୍ୟ ହୋଇପାରିବେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ, ଶିକ୍ଷାର ବିକାଶ ପାଇଁ ଅନେକ ମହତ୍ବାକାଂକ୍ଷୀ ଯୋଜନା ଆରମ୍ଭ କରାଯାଇଛି । ଶିଶୁ ବାଟିକା, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା, ପଞ୍ଚଶଖା ଶିକ୍ଷା ସେତୁ ଅଭିଯାନ ଆଦି ଯୋଜନା ଜରିଆରେ ସ୍କୁଲ ଶିକ୍ଷାର ସୁଦୃଢୀକରଣ ପାଇଁ ପଦକ୍ଷେପ ନିଆଯାଉଛି। ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ନିକଟରେ ଆରମ୍ଭ ହୋଇଥିବା ଶିଶୁ ବାଟିକା ଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଉଛି। ଅପର ପକ୍ଷରେ ଖାଲିଥିବା ଶିକ୍ଷକ ପଦବୀ ପୂରଣ ସହିତ ନୂତନ ଶିକ୍ଷକ ପଦବୀ ସୃଷ୍ଟି କରାଯାଉଛି, ଯାହା ଶିକ୍ଷାର ମାନ ବୃଦ୍ଧି କରିବାରେ ବିଶେଷ ସାହାଯ୍ୟ କରିବ। ଚଳିତ ବର୍ଷ ମଧ୍ୟ ଆମେ ଓଡ଼ିଆ ପରମ୍ପରା ଅନୁଯାୟୀ ରାଜ୍ୟବ୍ୟାପୀ ସବୁ ପ୍ରାଥମିକ ବିଦ୍ୟାଳୟରେ ଶିଶୁବାଟିକା ପାଇଁ ‘ଖଡ଼ି ଛୁଆଁ’ କାର୍ଯ୍ୟକ୍ରମ ଆରମ୍ଭ କରିଛୁ ।

ବର୍ତ୍ତମାନ ଆମର ଡବଲ ଇଞ୍ଜିନ ସରକାର ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ପିଏମଶ୍ରୀ ସ୍କୁଲ ରୂପେ ପ୍ରତ୍ୟେକ ଜିଲ୍ଲାର କିଛି ବିଦ୍ୟାଳୟର ବିକାଶ ପାଇଁ ପଦକ୍ଷେପ ନେଇଛନ୍ତି । ସେହିପରି ଆଦିବାସୀ ପିଲାମାନଙ୍କ ମଧ୍ୟରେ ଡ୍ରପ୍ ଆଉଟ ହାର କମାଇବା ପାଇଁ ଆମ ସରକାର ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା ଆରମ୍ଭ କରିଛନ୍ତି। ଏହିସବୁ ପଦକ୍ଷେପ ଗୁଡିକ ଆଗାମୀ ଦିନରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଦିଗରେ ନିଶ୍ଚିତ ଭାବରେ ଭଲ ପ୍ରଭାବ ପକାଇବ। ନିପୂଣ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ, ଆମର ଛାତ୍ରଛାତ୍ରୀମାନେ ନିଶ୍ଚିତ ଭାବରେ ମୌଳିକ ଜ୍ଞାନ ହାସଲ କରି ଉଚ୍ଚଶିକ୍ଷାରେ ସଫଳ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ ମୁଖ୍ୟମନ୍ତ୍ରୀ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାଟଣା ବିଧାୟକ ଶ୍ରୀ ଅଖିଳ ଚନ୍ଦ୍ର ନାୟକ, ତେଲକୋଇ ବିଧାୟକ ଡାକ୍ତର ଫକୀର ନାୟକ, ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହ, ବିଜେପି ଜିଲ୍ଲା ସଭାପତି ଶ୍ରୀ ଶୁକଦେବ ମହାନ୍ତ, ବିଜେପିର ଉପସଭାପତି ଶ୍ରୀ ବିବେକାନନ୍ଦ ମହାନ୍ତ, ପ୍ରମୁଖ ଉପସ୍ଥିତ ଥିଲେ।


Reporterspen