ଭୁବନେଶ୍ୱର, (ରିପୋର୍ଟର୍ସପେନ୍): ରାଜ୍ୟ ପୋଲିସର ଆଇନା ଭାବେ ପରିଚିତ କମିଶନରେଟ ପୋଲିସର ଭାବମୂର୍ତ୍ତୀ ଧିରେଧିରେ କମିବାରେ ଲାଗିଛି । ଅପରାଧ ନିୟନ୍ତ୍ରଣ ଠାରୁ ଆରମ୍ଭ କରି ଲୋକଙ୍କ ଧନଜୀବନ ରକ୍ଷା କ୍ଷେତ୍ରରେ ପୋଲିସର ବିଫଳତା ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି । ଇତି ମଧ୍ୟରେ ପୋଲିସ ଅଧିକାରୀଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଯୋଗୁଁ ଅପରାଧ ବଢିବା ସହ ତଦନ୍ତ ମଧ୍ୟ ମନ୍ଥର ହେଉଥିବା ଅଭିଯୋଗ ହେଉଛି । ଅଫିସରଙ୍କ ମଧ୍ୟରେ ସମନ୍ୱୟର ଅଭାବ ଓ ଗୋଡଟଣା ନୀତି ଏବେ ପୋଲିସ ମହଲରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । କେତେକ କ୍ଷେତ୍ରରେ ସମନ୍ୱୟ ଅଭାବ ଯୋଗୁଁ ଅଫିସର ଲମ୍ବା ଛୁଟିରେ ପଳାଉଥିବା ବେଳେ ଆଉ କେତେକ କ୍ଷେତ୍ରରେ ପୋଲିସ ଗାଡିକୁ ନେଇ ଭିଡାଓଟରା ଲାଗି ରହିଛି ।
ପୋଲିସ ବିଭାଗର ଭିତିର ମହଲରୁ ଆସିଥିବା ଖବର ମୁତାବକ ବେଶ କିଛିଦିନ ହେଲା ଥାନା ଗାଡିକୁ ନେଇ ଇନ୍ସପେକ୍ଟର, ଅତିରିକ୍ତ ଇନ୍ସପେକ୍ଟର ଓ ସବ୍-ଇନ୍ସପେକ୍ଟରଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଲାଗି ରହିଛି । ଫଳରେ ଲୋକଙ୍କୁ ତ୍ୱରିତ ନ୍ୟାୟ ଓ ଅପରାଧୀ ଧରପକଡରେ ସମସ୍ୟା ସୃଷ୍ଟି ହେଉଛି । ସୂଚନା ମୁତାବକ, ପ୍ରତ୍ୟେକ ଥାନାକୁ ଦୁଇ କିମ୍ବା ୩ଟି ଭ୍ୟାନ ଯୋଗାଇ ଦିଆଯାଇଛି । ଗୋଟିଏ ଥାନା ଅଧିକାରୀ ବ୍ୟବହାର କରୁଥିବା ବେଳେ ଗୋଟିଏ ଅତିରିକ୍ତ ଥାନା ଅଧିକାରୀ ଓ ଅନ୍ୟଟି ପାଟ୍ରୋଲିଂରେ ବ୍ୟବହାର କରାଯାଉଛି । ଏହା ବ୍ୟତିତ ପ୍ରତି ଥାନା ଅଂଚଳରେ ଦୁଇଟି ଲେଖାଏଁ ପିସିଆର ଭ୍ୟାନ ମଧ୍ୟ ପଇଁନ୍ତରା ମାରୁଛି ।
ଗୋଟିଏ ଗାଡି ଥାନା ଅଧିକାରୀ ନିଜସ୍ୱ ଯିବା ଆସିବା ଲାଗି ବ୍ୟବହାର କରୁଛନ୍ତି । ସେ ଗାଡିକୁ ଅନ୍ୟ କେହି ଷ୍ଟାଫ ବ୍ୟବହାର କରିପାରୁନାହାନ୍ତି । ଗୋଟିଏ ଗାଡି ପାଟ୍ରୋଲିଂ କାମରେ ବ୍ୟବହାର କରାଯାଉଛି । ହେଲେ ଅତିରିକ୍ତ ଥାନା ଅଧିକାରୀଙ୍କ ଗାଡିକୁ ଅନେକ ସମୟରେ ଥାନାର ଅନ୍ୟ କର୍ମଚାରୀ ତଦନ୍ତ କାମରେ ବ୍ୟବହାର କରୁଥିଲେ । ମାତ୍ର ଗତକିଛିଦିନ ହେଲା କୌଣସି କାରଣରୁ ଅତିରିକ୍ତ ଥାନା ଅଧିକାରୀ ତାଙ୍କ ଗାଡି ଆଉ ଅନ୍ୟଷ୍ଟାଫଙ୍କୁ ବ୍ୟବହାର ଲାଗି ଦେଉନାହାଁନ୍ତି । ଏହାକୁ ନେଇ ଥାନାରେ ଅଫିସରଙ୍କ ମଧ୍ୟରେ ଶୀଳତ ଯୁଦ୍ଧ ଆରମ୍ଭ ହୋଇଛି । ଗାଡି ପାଇଁ ଅନେକ ସମୟରେ ଅଫିସରମାନେ ଅଭିଯୁକ୍ତକୁ ଧରିବା ଓ ତଦନ୍ତ କରିବାକୁ ଯାଉନଥିବା ମଧ୍ୟ ଜଣାପଡିଛି । ରାଜଧାନୀ ପ୍ରାୟ ସବୁ ଥାନାରେ ଏଭଳି ଶୀଳତ ଯୁଦ୍ଧ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି ।
ଜଣେ ଅତିରିକ୍ତ ଇନ୍ସପେକ୍ଟରଙ୍କୁ ଏନେଇ ପଚାରିବାରୁ ସେ କହିଛନ୍ତି, ଆମକୁ ଯେଉଁ ଗାଡି ମିଳିଛି, ସେଥିପାଇଁ ତେଲ ମାତ୍ରାଧିକ କମ ମିଳୁଛି । ଏପରିକି ଅନେକ ସମୟରେ ଗାଡିରେ ଆମକୁ ହାତରୁ ତେଲ ପକାଇବାକୁ ପଡୁଛି । ଅନେକ କର୍ମଚାରୀ ଗାଡି ନେଇ ନିଜ ବ୍ୟକ୍ତଗତ କାମରେ ବ୍ୟବହାର କରୁଛନ୍ତି । ଏଥିପାଇଁ ତେଲ ମଧ୍ୟ ମିଳୁନାହିଁ । ଆମେ ଗାଡି ଦେବାକୁ କାହାକୁ ମନା କରୁନାହୁଁ ବରଂ ଗାଡିରେ ତେଲ ପକାଇବାକୁ କହୁଛୁ । ତେବେ ଏଦିଗରେ ଡିସିପି ଓ ପୋଲିସ କମିଶନର ଦୃଷ୍ଟି ଦେଇ ଏହାର ସମାଧାନ ନକଲେ, ଆଗକୁ ଏହା ବିସ୍ଫୋରକ ରୂପ ନେବା ସମ୍ଭାବନା ସୃଷ୍ଟି ହୋଇଛି ।

