କିଶୋରୀ ଓ ମହିଳାଙ୍କୁ ମାଗଣାରେ ମିଳିବ ଜରାୟୁ କ୍ୟାନ୍‌ସର ଟିକା, ୨୮ରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

Reporterspen

ଭୁବନେଶ୍ଵର, (ରିପୋର୍ଟର୍ସ ପେନ୍‌): ଓଡ଼ିଶାରେ କିଶୋରୀ ଓ ମହିଳାଙ୍କ ପାଇଁ ବଡ଼ ଆଶ୍ୱସ୍ତି । ମିଳିବ ‘ଜରାୟୁ କ୍ୟାନସର’ ସୁରକ୍ଷା କବଚ । ଦିଆଯିବ ହ୍ୟୁମାନ ପାପିଲୋମା ଭାଇରସ୍‌ (ଏଚ୍‌ପିଭି) ଇଞ୍ଜେକ୍ସନ୍‌ । ସମସ୍ତଙ୍କୁ ବ୍ୟୟ ବହୁଳ ଇଞ୍ଜେକ୍ସନ୍‌ ବା ଟିକା ମାଗଣା ଦିଆଯିବ । ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଚ୍‌ପିଭି ଇଞ୍ଜେକ୍ସନ୍‌ ପ୍ରଦାନ ନେଇ ଶୁଭାରମ୍ଭ କରିବେ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ଏହା ମହିଳାଙ୍କୁ ସଞ୍ଜିବନୀ ଭଳି କାମ କରିବ । ରାଜ୍ୟରେ ପର୍ଯ୍ୟାୟ କ୍ରମେ ବିଭିନ୍ନ ଜିଲ୍ଲାରେ ଟିକା ପ୍ରଦାନ କରାଯିବ ।

ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ୨୮ରେ ଏଚ୍‌ପିଭି ଭ୍ୟାକ୍‌ସିନ୍‌ ଦିଆଯିବ । ସେଥିପାଇଁ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ରୂପରେଖ ପ୍ରସ୍ତୁତ କରିଛି । ଏକ ସ୍ୱତନ୍ତ୍ର ମାଇକ୍ରୋ ପ୍ଲାନ୍‌ ପ୍ରସ୍ତୁତି ଆରମ୍ଭ କରିଛି । ଟିକା ପ୍ରଦାନ ଲାଗି ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । କେନ୍ଦ୍ର ସରକାର ଟିକା ପ୍ରଦାନ କରିଛନ୍ତି । ଏହି ଟିକା ଦୁଇ ଦିନ ଭିତରେ ଓଡ଼ିଶାରେ ପହଞ୍ଚିବ । ଆଶାକର୍ମୀ ଓ ଅଙ୍ଗନୱାଡି କର୍ମୀଙ୍କୁ କିଶୋରୀଙ୍କ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେଥିପାଇଁ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତ କରିଛନ୍ତି । ସେହି ମାର୍ଗଦର୍ଶିକା ଅନୁଯାୟୀ ଟିକା ପ୍ରଦାନ କରାଯିବ । ପ୍ରଥମେ ବିଦ୍ୟାଳୟ ଓ ମହାବିଦ୍ୟାଳସ୍ତରରେ ଏଚ୍‌ପିଭି ଇଞ୍ଜେକ୍ସନ୍‌ ପ୍ରଦାନ କରାଯିବ । ଏହାପରେ ୪୦ ବର୍ଷ ପର୍ଯ୍ୟନ୍ତ ମହିଳାଙ୍କୁ ଟିକା ଦିଆଯିବ । ଡାକ୍ତରମାନେ ଏହି ଟିକାର ଦୁଇଟି ଡୋଜ୍‌ ନେବାକୁ ପରାମର୍ଶ ଦେଇଛନ୍ତି । ବିଶେଷ କରି ଯେଉଁମାନେ ପ୍ରଥମ ଡୋଜ୍‌ ଯେଉଁ ଦିନ ନେବେ, ତାହାର ୬ ମାସରୁ ୧୨ ମାସ ଭିତରେ ଦ୍ୱିତୀୟ ଡୋଜ୍‌ ନେବେ ଜଣାପଡ଼ିଛି ।

ରାଜ୍ୟରେ ଦିନକୁ ଦିନ ମହିଳାଙ୍କଠାରେ ଜରାୟୁ କର୍କଟ ବୃଦ୍ଧି ପାଇବାରେ ଲାଗିଛି । ଦୀର୍ଘ ଦିନ ଧରି ଜଣଙ୍କଠାରେ ହାଇରିସ୍କ ଏଚ୍‌ପିଭି ପରବର୍ତ୍ତୀ ସମୟରେ ଜରାୟୁ କର୍କଟ ରୋଗ ସୃଷ୍ଟି କରିଥାଏ । ୯୦% ଜରାୟୁ କର୍କଟ ଏଚ୍‌ପିଭି ଭାଇରସ ଦ୍ୱାରା ହୋଇଥାଏ । ବିଶେଷକରି ଏଚ୍‌ପିଭି ଟାଇପ୍‌ ୧୬ ଓ ୧୮ ଯୌନ ସଂକ୍ରମଣରୁ ହିଁ ବ୍ୟାପିଥାଏ । ତେଣୁ ଗୋଷ୍ଠୀସ୍ତରରେ କେତେ ସଂଖ୍ୟକ ମହିଳାଙ୍କଠାରେ ଏଚ୍‌ପିଭି ରହିଛି, ତାହା ଜାଣିବା ଲାଗି କଟକ ଓ ଭୁବନେଶ୍ୱରରେ ତୃତୀୟ ପକ୍ଷ ଦ୍ୱାରା ଏହାର ସର୍ଭେ ପାଇଁ ନିଷ୍ପତ୍ତି ହୋଇଥିଲା । ୫ ହଜାର ମହିଳାଙ୍କୁ ଏଥିରେ ସାମିଲ ପାଇଁ ଲକ୍ଷ୍ୟ ରହିଥିଲା ।

ସର୍ଭେ ଅନୁସାରେ, କଟକରେ ୧୨% ମହିଳାଙ୍କଠାରେ ଏଚ୍‌ପିଭି ଚିହ୍ନଟ ହୋଇଥିଲା । ଚିହ୍ନଟ ୨ଶହ ମହିଳାଙ୍କଠାରେ ଏଚ୍‌ପିଭି ଚିହ୍ନଟ ହୋଇଥିବା ବେଳେ ତହିଁରୁ କେବଳ ୯ଜଣ ଜରାୟୁ କର୍କଟରେ ଆକ୍ରାନ୍ତ ହୋଇଥିଲେ । ସେଥିରୁ ଜଣାପଡ଼ିଛି ଅନୁରୂପ ଭାବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟ ଜରାୟୁ କ୍ୟାନ୍‌ସରରେ ପୀଡ଼ିତା ଅନ୍ୟପଟରେ ଦେଶରେ ପ୍ରତି ୮ ମିନିଟରେ ଜଣେ ମହିଳାଙ୍କ ମୃତ୍ୟୁ ଜରାୟୁ କ୍ୟାନସର ପାଇଁ ହେଉଛି । ଓଡ଼ିଶାରେ ବର୍ଷକୁ ୫ ହଜାରରୁ ୧୦ ହଜାର ଜରାୟୁ କ୍ୟାନ୍‌ସରରେ ପୀଡ଼ିତ ହେଉଛନ୍ତି । ଏହି ହ୍ୟୁମାନ ପାପିଲୋମା ଭାଇରସ୍‌ କେତେଗୁଡ଼ିଏ ଷ୍ଟ୍ରେନ୍‌ ଅଛନ୍ତି । ଟିକା ଦ୍ୱାରା ଷ୍ଟ୍ରେନ୍‌ଗୁଡ଼ିକୁ ନିଷ୍କ୍ରିୟ କରିପାରିବ । ବିଶେଷ କରି ଯୌନ ସମ୍ପର୍କ ଦ୍ୱାରା ଏହି ସଂକ୍ରମଣ ହୋଇଥାଏ ।


Reporterspen