ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍): ଟିମ୍ ଇଣ୍ଡିଆକୁ ଫେରିବା ଆଶା ଛାଡ଼ିନାହାନ୍ତି ଭାରତୀୟ କ୍ରିକେଟର ସୂର୍ଯ୍ୟକୁମାର ଯାଦବ। ଜାତୀୟ ଦଳରୁ ବାଦ୍ ପଡ଼ିବା ପରେ ମଧ୍ୟ ତାଙ୍କ ମନୋବଳ ଭାଙ୍ଗିନାହିଁ। ବର୍ତ୍ତମାନ ସେ ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ମୁମ୍ବାଇ ଦଳର ନେତୃତ୍ୱ ନେଉଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ତାଙ୍କ ବ୍ୟାଟ୍ରୁ ରନ୍ ବର୍ଷା ହେଉଛି। ଏହାରି ମଧ୍ୟରେ ଟିମ୍ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ ନେଇ ମୁହଁ ଖୋଲିଛନ୍ତି ସୂର୍ଯ୍ୟ।
ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ଭାରତ ୨୦୨୬ ଟି-୨୦ ବିଶ୍ୱକପ୍ ଜିତିଥିଲା। ହେଲେ ଏହାପରେ ହଠାତ୍ ତାଙ୍କୁ ଅଧିନାୟକ ପଦରୁ ହଟାଯିବା ସହ ଦଳରୁ ମଧ୍ୟ ବାଦ୍ ଦିଆଯାଇଥିଲା। ଦୀର୍ଘ ପାଞ୍ଚ ବର୍ଷ ଧରି ଭାରତୀୟ ଦଳ ପାଇଁ ଖେଳିବା ପରେ ହଠାତ୍ ଦଳରୁ ବାହାରିବା ତାଙ୍କ ପାଇଁ କଷ୍ଟଦାୟକ ବୋଲି ସେ ସ୍ୱୀକାର କରିଛନ୍ତି।
ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ସୂର୍ଯ୍ୟ କହିଛନ୍ତି, ଭାରତୀୟ ଦଳରୁ ବାଦ୍ ପଡ଼ିବା ନିଶ୍ଚିତ ଭାବେ ଯନ୍ତ୍ରଣାଦାୟକ। ଆପଣ ଲଗାତାର ପାଞ୍ଚ ବର୍ଷ ଧରି ଦେଶ ପାଇଁ ଖେଳୁଛନ୍ତି ଏବଂ ହଠାତ୍ ଦଳରୁ ବାହାର ହୋଇଯାଉଛନ୍ତି। ଏହା ଦୁଃଖ ଦିଏ। କିନ୍ତୁ ଏହା ହିଁ ଖେଳର ପ୍ରକୃତ ମଜା ବୋଲି ସେ କହିଛନ୍ତି।
ପ୍ରତିଟି କଷ୍ଟ ପରେ ଆଶାର କିରଣ
ସୂର୍ଯ୍ୟ ଆହୁରି କହିଛନ୍ତି, ଏହି ଖେଳ ତାଙ୍କୁ ଅନେକ କିଛି ଶିଖାଇଛି। ଗତ ଦୁଇ ବର୍ଷ ଏବଂ ଆଇପିଏଲ୍ ପରେ ମଧ୍ୟ ତାଙ୍କୁ ଅନେକ ଅନୁଭୂତି ମିଳିଛି। କୁହାଯାଏ, ପ୍ରତ୍ୟେକ କଷ୍ଟ ପରେ ଆଶାର କିରଣ ନିଶ୍ଚୟ ଦେଖାଦିଏ। ତେଣୁ ହାର ନମାନି ଖେଳ ଜାରି ରଖିବା ଉଚିତ୍।
ଏବେ ମୁସ୍ତାକ ଅଲ୍ଲୀ ଟ୍ରଫି ଉପରେ ନଜର
ଆଗାମୀ ଆଇପିଏଲ୍କୁ ନେଇ ଏବେଠାରୁ ଚିନ୍ତା କରୁନାହାନ୍ତି ସୂର୍ଯ୍ୟ। ସେ କହିଛନ୍ତି, ଆଇପିଏଲ୍ ଏବେ ବହୁତ ଦୂରରେ ଅଛି। ଏହା ମଧ୍ୟରେ ଅନେକ ଘରୋଇ ଟୁର୍ଣ୍ଣାମେଣ୍ଟ ରହିଛି। ମୁସ୍ତାକ ଅଲ୍ଲୀ ଟ୍ରଫି ପରେ ବିଜୟ ହଜାରେ ଟ୍ରଫି ଏବଂ ରଣଜୀ ଟ୍ରଫିର ଦ୍ୱିତୀୟ ପର୍ଯ୍ୟାୟ ଖେଳାଯିବ। ବର୍ତ୍ତମାନ ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ ମୁସ୍ତାକ ଅଲ୍ଲୀ ଟ୍ରଫିର ସୁପର ଲିଗ୍ ଉପରେ ରହିଛି। ପ୍ରତି ମ୍ୟାଚ୍ ଜିତିବା ସହ ଶେଷରେ ଟାଇଟଲ୍ ହାସଲ କରିବା ତାଙ୍କର ଲକ୍ଷ୍ୟ।
ବ୍ୟାଟିଂରେ କୌଣସି ତ୍ରୁଟି ନାହିଁ
ନିଜ ବ୍ୟାଟିଂକୁ ନେଇ ମଧ୍ୟ ଆତ୍ମବିଶ୍ୱାସ ଦେଖାଇଛନ୍ତି ସୂର୍ଯ୍ୟ। ତାଙ୍କ ବ୍ୟାଟିଂରେ କୌଣସି ତ୍ରୁଟି ନାହିଁ ବୋଲି ସେ କହିଛନ୍ତି। ଗତ ପାଞ୍ଚ ବର୍ଷ ଧରି ସେ ଯେଉଁ ଶୈଳୀରେ ଖେଳି ଆସୁଛନ୍ତି, ସେଥିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଭାରତ ପାଇଁ ହେଉ କି ମୁମ୍ବାଇ ପାଇଁ, ବ୍ୟାଟିଂ କରିବାକୁ ସେ ସବୁବେଳେ ଉପଭୋଗ କରିଥାନ୍ତି।
ଆଗାମୀ ଆଇପିଏଲ୍ ୨୦୨୭ରେ ମଧ୍ୟ ସେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା ନଜର ଆସିବେ। ଏବେ ଘରୋଇ କ୍ରିକେଟ୍ରେ ଭଲ ପ୍ରଦର୍ଶନ କରି ପୁଣିଥରେ ଜାତୀୟ ଦଳରେ ସ୍ଥାନ ପକ୍କା କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ।

