ଭୁବନେଶ୍ଵର, (ରିପୋର୍ଟର୍ସ ପେନ୍): ବିଜେପି ପକ୍ଷରୁ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବର୍ତ୍ତମାନର ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯାଇଛି । ଓଡ଼ିଶାରୁ ଦୁଇ ଜଣ ଯୋଗ୍ୟ ତଥା ଅଭିଜ୍ଞ ନେତାଙ୍କୁ ରାଜ୍ୟସଭା ପଠାଯାଉଛି। ଭାରତୀୟ ଜନତା ପାର୍ଟି ଓଡ଼ିଶାର ସ୍ୱାର୍ଥ ଏବଂ ଅଭିଜ୍ଞତାକୁ ସବୁବେଳେ ସମ୍ମାନ ଦେଇଆସିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
ମନମୋହନ ସାମଲ ହେଉଛନ୍ତି ଜଣେ ତୃଣମୂଳ ସ୍ତରର ସଂଗଠକ ଓ ନେତା । ତାଙ୍କ ନେତୃତ୍ୱରେ ଓଡ଼ିଶାରେ ବିଜେପି ଐତିହାସିକ ସଫଳତା ପାଇଛି । ତାଙ୍କର ସଂସଦୀୟ ଅଭିଜ୍ଞତା ଏବଂ ଓଡ଼ିଶାର ସମସ୍ୟା ବୁଝିବାର ଶୈଳୀ ନିଶ୍ଚିତ ଭାବେ ଦିଲ୍ଲୀ ଦରବାରରେ ଓଡ଼ିଶାର ସ୍ୱରକୁ ଶାଣିତ କରିବ । ସେହିପରି ସୁଜିତ କୁମାର ଜଣେ ଉଚ୍ଚଶିକ୍ଷିତ ଏବଂ ଦକ୍ଷ ନେତା । ପୂର୍ବରୁ ସାଂସଦ ଭାବେ ସେ ନିଜର ପାରଦର୍ଶିତା ପ୍ରମାଣିତ କରିଛନ୍ତି ।
ଏହି ଦୁଇ ବରିଷ୍ଠ ନେତା ରାଜ୍ୟସଭାକୁ ଗଲେ ରାଜ୍ୟର ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବେ ଓ ସମୃଦ୍ଧ ଓଡ଼ିଶା ଓ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନରେ ନିଜର ଅବଦାନ ରଖିବେ। ଏଥିସହ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତୀନ ନବୀନଙ୍କୁ କୃତଜ୍ଞତା ଜଣାଇଛନ୍ତି।
ସେହିପରି ଦିଲ୍ଲୀପ ରାୟଙ୍କ ପ୍ରାର୍ଥୀତ୍ୱ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚତୁର୍ଥ ଆସନରେ ସ୍ୱାଧିନ ପ୍ରାର୍ଥୀ ଭାବେ ଲଢ଼ିବା ପାଇଁ ଦିଲ୍ଲୀପ ରାୟ ଆଜି ତାଙ୍କ ନାମ ଘୋଷଣା କରିଛନ୍ତି । ରାଜ୍ୟ ବିଜେପି ପକ୍ଷରୁ ମଧ୍ୟ ତାଙ୍କୁ ପୂର୍ଣ୍ଣ ସମର୍ଥନ ଦିଆଯିବ ବୋଲି ଦଳର ସଭାପତି କହିଛନ୍ତି । ମୁଁ ମଧ୍ୟ ଏଥିରେ ସହମତ ଅଛି । ଦିଲ୍ଲୀପ ରାୟଙ୍କର ବିଧାୟକ, ସାଂସଦ ସହ ମନ୍ତ୍ରୀ ଭାବେ ଅଭିଜ୍ଞତା ରହିଛି ।
ଦିଲ୍ଲୀପଙ୍କର ରାଜ୍ୟ ପ୍ରତି ଯେଉଁ ଅବଦାନ ଅଛି ଓ ରାଜନୈତିକ ଅଭିଜ୍ଞତା ଅଛି ସେ ଦୃଷ୍ଟିକୋଣରୁ ଆମ ଦଳ ସମର୍ଥନ କରିଛି ଏବଂ ସମସ୍ତ ବିଧାୟକ ମାନଙ୍କର ମଧ୍ୟ ତାଙ୍କ ପ୍ରତି ପୂର୍ଣ୍ଣ ସମର୍ଥନ ରହିବ । ଚତୁର୍ଥ ଆସନ ପାଇଁ ଯେହେତୁ କୌଣସି ରାଜନୈତିକ ଦଳର ସ୍ପଷ୍ଟସଂଖ୍ୟା ନାହିଁ, ତେଣୁ ସେ ନିଶ୍ଚିନ୍ତ ଭାବେ ବିଜୟପ୍ରାପ୍ତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

