ଭୁବନେଶ୍ୱର, (ରିପୋର୍ଟର୍ସପେନ୍) : ୨୦୨୫ ଅପରାଧିକ କାର୍ଯ୍ୟକଳାପକୁ ନେଇ ବିଧାନସଭାରେ ଶ୍ୱେତପତ୍ର ଉପସ୍ଥାପନ କଲା ଗୃହ ବିଭାଗ। ୨୦୨୪ ତୁଳନାରେ ୨୦୨୫ରେ ୭.୩୬% ବଢିଛି ଧର୍ତ୍ତବ୍ୟ ଅପରାଧ। ୨୦୨୪ରେ ୨ ଲକ୍ଷ ୧୪ ହଜାର ୧୧୩ ଅପରାଧ ହୋଇଥିଲା। ସେହିପରି ୨୦୨୫ରେ ଏହି ସଂଖ୍ୟା ୨ ଲକ୍ଷ ୨୯ ହଜାର ୮୮୧କୁ ବୃଦ୍ଧି ପାଇଛି। ରାଜ୍ୟରେ ଚିନ୍ତାଜନକ ସ୍ଥିତିରେ ମହିଳା ଦୁଷ୍କର୍ମ। ଚୋରି, ଡକାୟତି ସାଙ୍ଗକୁ ମହିଳା ଦୁଷ୍କର୍ମ ବଢିଛି। ଅପରାଧରେ ବାଲେଶ୍ୱର ଜିଲ୍ଲା ସବୁଠୁ ସମ୍ୱେଦନଶୀଳ ରହିଛି। ହତ୍ୟା, ଡକାୟତି ଓ ଦୁଷ୍କର୍ମରେ ଜିଲ୍ଲା ରେକର୍ଡ ଭାଙ୍ଗିଛି। ବିଧାନସଭାରେ ଉପସ୍ଥାପିତ ଶ୍ୱେତ ପତ୍ରରେ ଉଲ୍ଲେଖ ରହିଛି।
ରାଜ୍ୟରେ ସମୁଦାୟ ୨ ଲକ୍ଷ ୨୯ ହଜାର ୮୮୧ଟି ଧର୍ତବ୍ୟ ଅପରାଧ ପଞ୍ଜୀକରଣ ହୋଇଛି । ଏଥିରେ ୧,୩୦୪ଟି ହତ୍ୟା, ୩୫୩ଟି ଜଳାପତି, ୧,୮୦୨ଟି ଲୁଣ୍ଠନ, ୬,୨୮୨ଟି ସିନ୍ଧିଚୋରୀ, ୨୧,୧୯୨ଟି ଚୋରୀ, ୬,୦୫୪ ପ୍ରତାରଣା, ୧,୦୯୫ଟି ଦଙ୍ଗା, ୨,୯୯୪ଟି ଦୁଷ୍କର୍ମ, ୧୨, ୭୮୨ଟି ମୋଟର ଯାନ ଦୁର୍ଘଟଣା ଏବଂ ୧, ୭୬,୦୨୪ଟି ତିନି ମାମଲା ଅନ୍ତର୍ଭୁକ୍ତ ଥିଲା । ଏହା ମଧ୍ୟରୁ ୧ ଲକ୍ଷ ୯୮ ହଜାର ୫୧୩ଟି ମାମଲା ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ପଞ୍ଜି କରାଯାଇଛି ।
ଧର୍ତ୍ତବ୍ୟ ଅପରାଧ:
ମୋଟ୍ ୨ ଲକ୍ଷ ୨୯ ହଜାର ୮୮୧ଟି ଧର୍ତ୍ତବ୍ୟ ଅପରାଧ ମଧ୍ୟରୁ ୨, ୨୨, ୩୦୮ଟି ମାମଲା ସତ୍ୟ ଘଟଣା ଉପରେ ଆଧାରକ ଥିଲା ଓ ବର୍ଷ ଶେଷ ସୁଦ୍ଧା ୧, ୫୫,୨୨୩ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି । ଏହା ବ୍ୟତୀତ ୧୧, ୩୯୮ଟି ମୋକଦ୍ଦମା ଚୂଡାନ୍ତ ରିପୋର୍ଟ, ୫,୮୦୭ଟି ଉପଯୁକ୍ତ ସାକ୍ଷ୍ୟପ୍ରମାଣ ଅଭାବ, ୫, ୭୭୦ଟି ଭ୍ରମାତ୍ମକ, ୧,୭୬୬ଟି ମିଥ୍ୟା, ୨୫ଟି ଅଧତବ୍ୟ ଓ ୧୪ଟି ଅନ୍ୟାନ୍ୟ କାରଣରୁ ପରି ସମାପ୍ତ ହୋଇଛି । ଅବଶିଷ୍ଟ ୪୯, ୮୭୮ଟି ମାମଲାର ତଦନ୍ତାଧୀନ ଥିବାବେଳେ, ସେଥିମଧ୍ୟରୁ ୩୧,୯୯୬ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ ହେବାର ସମ୍ଭାବନା ରହିଛି ।
ନରହତ୍ୟା:
୨୦୨୫ ମସିହାରେ ପଞ୍ଜୀକୃତ ୧୩୦୪ଟି ହତ୍ୟା ମାମଲା ମଧ୍ୟରୁ ୧,୨୧୮ଟି ସତ୍ୟ ଘଟଣା ଥିଲା । ବର୍ଷ ଶେଷ ସୁଦ୍ଧା ୬୦୧ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ ହୋଇଥିଲା । ତଦନ୍ତାଧୀନ ୬୧୨ଟି ମାମଲା ମଧ୍ୟରୁ ୪୮୨ଟି କିଛି ମାମଲାରେ ଦୋଷାରୋପ ହେବାର ସମ୍ଭାବନା ରହିଛି ।
ଡକାୟତି:
ସେହିପରି ୨୦୨୫ରେ ମୋଟ୍ ୩୫୩ଟି ଡକାୟତି ମାମଲା ମଧ୍ୟରୁ ୩୪୩ଟି ସତ୍ୟ ମାମଲା। ବର୍ଷ ଶେଷ ସୁଦ୍ଧା ୯୧ଟି ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଛି। ୨୪୫ଟି ତଦନ୍ତାଧୀନ ମାମଲା ମଧ୍ୟରୁ ୧୩୩ଟି ମାମଲାରେ ଦୋଷାରୋପ ଫର୍ଦ ଦାଖଲ ହେବାର ସମ୍ଭାବନା ରହିଛି । ପୁଲିସ ଦ୍ୱାରା ୫୧ଜଣ ଆନ୍ତଃରାଜ୍ୟ ଡକାୟତ ସମେତ ୭୬୮ ଜଣ ଡକାୟତ ଗିରଫ ହୋଇଛନ୍ତି ଏବଂ ୮ଟି ବନ୍ଧୁକ ଜବତ ହୋଇଛି । ୪୧,୦୬,୧୧,୧୦୧/- ଟଙ୍କା ମୂଲ୍ୟର ଲୁଟ୍ ସମ୍ପତ୍ତି ମଧ୍ୟରୁ ସେମାନଙ୍କ ଠାରୁ ୧୪,୩୬,୯୨,୧୩୨ ଟଙ୍କାର ସମ୍ପତ୍ତି ଉଦ୍ଧାର କରାଯାଇଛି ।
ଲୁଣ୍ଠନ:
୨୦୨୫ ମସିହାରେ ସମୁଦାୟ ୧୮୦୨ଟି ଲୁଣ୍ଠନ ମାମଲା ରଜୁ ହୋଇଥିଲା । ସେଥିମଧ୍ୟରୁ ୧, ୭୭୧ଟି ମାମଲା ସତ୍ୟ ଘଟଣା । ସେହିପରି ୭୬୨ ତଦନ୍ତାଧୀନ ମାମଲା ମଧ୍ୟରୁ ୩୧୧ ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ ହେବାର ସମ୍ଭାବନା ରହିଛି। ଏହି ଲୁଣ୍ଠନ ଘଟଣା ମଧ୍ୟରୁ ୧୭୩ଟି ବାସସ୍ଥାନରେ, ୨୭୧ଟି ରାସ୍ତାଘାଟରେ, ୧୧ ମାମଲା ଟ୍ରେନରେ, ୧୬୫ଟି ବାଣିଜ୍ୟ ପ୍ରତିଷ୍ଠାନରେ ଏବଂ ୧୧୩୦ ମାମଲା ଅନ୍ୟାନ୍ୟ ସ୍ଥାନରେ ସଂଘଟିତ ହୋଇଥିଲା। ଅବଶିଷ୍ଟ ୨୧ଟି ଘଟଣାରେ ଅପରାଧ ସଂଘଟିତ ପୂର୍ବରୁ ଆସାମୀମାନେ ଧରାପଡ଼ିଥିଲେ ।

