ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହୁଡିଲେ ଚତୁର୍ଦ୍ଧାମୂର୍ତ୍ତି

Reporterspen

ପୁରୀ/ଭୁବନେଶ୍ୱର (ରିପୋର୍ଟର୍ସପେନ୍‌): ନବଦିନାତ୍ମକ ଘୋଷଯାତ୍ରା ସାରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି ମହାବାହୁ । ଲକ୍ଷାଧିକ ଭକ୍ତଙ୍କ ଗହଳି ସହିତ ହରିବୋଲ ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଶରଧାବାଲି । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟର ଦେଢ଼ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ପହଣ୍ଡି । ଗଜପତି ମହାରାଜାଙ୍କ ଶ୍ରୀନଅର ସମ୍ମୁଖରେ ଲକ୍ଷ୍ମୀନାରାୟଣ ଭେଟ ଅନୁଷ୍ଠିତ ହେବାର ପରମ୍ପରା ରହିଛି । ସେପଟେ ଶନିବାର ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ।

ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କର ସେନାପଟା ଲାଗି ପରେ ୮ ଟା ୨୫ ରେ ମଙ୍ଗଳ ଆଳତି, ମଇଲମ, ରୋଷ ହୋମ, ତଡପ ଲାଗି, ଅବକାଶ ପୂଜା, ବେଶ ଶେଷ, ସୂର୍ଯ୍ୟପୂଜା ସମ୍ପନ୍ନ ହେବା ପରେ ଗୋପାଳ ବଲ୍ଳଭ ଓ ସକାଳ ଧୂପ ଖେଚୁଡ଼ି ଭୋଗ ଖାଇ ମହାପ୍ରଭୁଙ୍କ ଧାଡ଼ି ପହଣ୍ଡି ଆରମ୍ଭ ହୋଇଥିଲ । ପ୍ରଥମେ ଚକ୍ରରାଜ ସୁଦର୍ଶନ, ପଛକୁ ପଛ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସୁସଜ୍ଜିତ ଟାହିଆ ପରିଧାନ କରି ରଥାରୂଢ଼ ହୋଇଥିଲେ । ପରେ ରାମକୃଷ୍ଣ , ମଦନମୋହନ ରଥାରୂଢ଼ ହେବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା କରିଥିଲେ ।

ଗଜପତି ମହାରାଜାଙ୍କ ଛେରାପହଁରା ପରେ ଚାରମାଳ ଖୋଲାଯାଇ ଘୋଡା ଯୋଚା ଯାଇଥିଲା । ଏହାପରେ ଆରମ୍ଭ ହୋଇଥିଲା ରଥଟଣା । ପ୍ରଥମେ ଗଡିଥିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ । ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ଅଭିମୁଖେ ଗଡିଥିଲା ।

ଅନ୍ୟପଟେ ମହାପ୍ରଭୁ ଆଜି ବାହୁଡ଼ି ଆସିବାରୁ ଏବେ ଝୁରୁଛି ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପ ସହ ଶରଧାବାଲି । ଗତ ନଅ ଦିନ ଧରି ମହାପ୍ରଭୁଙ୍କୁ ପାଇଁ ଆଡ଼ପ ମଣ୍ଡପ ନିଜକୁ ଧନ୍ୟ ମନେ କରୁଥିବା ବେଳେ ଶରଧାବାଲି ଅଞ୍ଚଳ ଏବେ ମହାପ୍ରଭୁଙ୍କ ଅନୁପସ୍ଥିତିରେ ନିରବ ପଡିଯାଇଛି ।

ଚଳିତବର୍ଷ ବାହୁଡ଼ା ଯାତ୍ରାରେ ପହଣ୍ଡି ଶୀଘ୍ର ଆରମ୍ଭ ହୋଇଥିଲେ ମଧ୍ୟ ପହଣ୍ଡି ଶେଷ ବେଳକୁ ବିଳମ୍ବ ହୋଇଥିଲା । ଏମିତି ଅନୁଭବ ହେଉଥିଲା ସତେ ଯେମିତି ମହାପ୍ରଭୁ ନିଜ ଜନ୍ମବେଦୀ ଛାଡ଼ି ଯିବା ପାଇଁ ମନେ କରୁନଥିଲେ । ସେପଟେ ମହାପ୍ରଭୁଙ୍କ ପବିତ୍ର ବାହୁଡା଼ ଯାତ୍ରା ଅବସରରେ ଭକ୍ତ ଓ ମହାପ୍ରଭୁଙ୍କ ମିଳନ ହୋଇଥିଲା । ଶନିବାର ମହାପ୍ରଭୁଙ୍କ ହରିଶୟନ ଏକାଦଶୀ ନୀତି । ତିନିରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ସ୍ୱତନ୍ତ୍ର ଟ୍ରାଫିକ ପରିଚାଳନା ବ୍ୟବସ୍ଥା ମଧ୍ୟ ହୋଇଛି ।

ବାହୁଡ଼ା ଯାତ୍ରା ବେଳେ ପୁଣି ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ!
ବାହୁଡ଼ା ଯାତ୍ରା ବେଳେ ପୁଣି ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, କଟକର ଅବିରାମ ଦାସ (୫୭) ସୁଭଦ୍ରାଙ୍କ ରଥ ନିକଟରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ପ୍ରଥମେ ନିକଟସ୍ଥ ବଗଲା ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।
ସୂଚନାଥାଉକି, ଏହା ପୂର୍ବରୁ ରଥଯାତ୍ରା ଦିନ ମଧ୍ୟ ଦୁଇ ଜଣକ ଜୀବନ ଯାଇଥିଲା । ଠେଲା ପେଲା କାରଣରୁ ଦୁଇ ଶ୍ରଦ୍ଧାଳୁ ଅଣନିଶ୍ୱାସୀ ହୋଇ ଅସୁସ୍ଥ ହୋଇପଡ଼ିଥିଲେ । ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଥିଲେ ।

ପହଣ୍ଡି ପୂର୍ବରୁ ରଥ ଉପରେ ଚଢ଼ିଲେ ଅଣ ସେବାୟତ
କଡା ସୁରକ୍ଷା ଭାଙ୍ଗି ଜଣେ ଅଣ ସେବାୟତ ରଥ ଉପରେ ଚଢୀଗଲେ । ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନଜରରୁ ବର୍ତ୍ତିପାରିନଥିଲେ । ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରରେ ଶ୍ରୀଜିଉମାନଙ୍କ ଆଗମନକୁ ଅପେକ୍ଷା କରି ରହିଥିଲେ ତିନି ରଥ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ । ଠିକ୍ ଏହି ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପାଖରେ ହଠାତ୍ ନଜର ଆସିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ନନ୍ଦିଘୋଷ ରଥର ଚାରମାଳ ଉପରକୁ ଚଢିଥିଲେ । ହଳଦିଆ ରଙ୍ଗର ମଠାପାଟ ପିନ୍ଧି ବେକରେ ତୁଳସୀମାଳ ପକାଇ ପୂରା ସେବାୟତଙ୍କ ଭଳି ଦେଖାଯାଉଥିଲେ ଜଣେ ବ୍ୟକ୍ତିଙ୍କୁ ସେ ତଳକୁ ଓହ୍ଲାଇ ଦେଇଥିଲେ । ସେ ଜଣେ ଅଣ ସେବାୟତ ବୋଲି ଜଣାପଡିଥିଲା । ସେହିଭଳି ଆଉ ଜଣେ ଅଣ ସେବାୟତଙ୍କୁ ବି ରଥ ଉପରୁ ଧରି ଆଣିଥିଲେ ପୋଲିସ କର୍ମୀମାନେ । ତେବେ ରଥ ଉପରୁ ଧରାପଡିଥିବା ଏହି ଦୁଇ ଜଣ ଅଣ ସେବାୟତ କିଏ ଏବଂ କିଏ ସେମାନଙ୍କୁ ରଥ ଉପରେ ଚଢାଇଥିଲେ ସେକଥା ଜଣାପଡିନଥିଲେ ମଧ୍ୟ ରଥ ଉପରେ ବସିଥିବା ଅନ୍ୟ ସେବାୟତଙ୍କ ଭିତରେ କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳିନଥିଲା ।


Reporterspen