ଭୁବନେଶ୍ୱର (ରିପୋର୍ଟର୍ସପେନ୍): ରାଜ୍ୟରେ ପୁଣି ସକ୍ରିୟ ହୋଇଛି ଅବପାତ । ଏହାର ପ୍ରଭାବରେ ଆଜି ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବିଶେଷକରି ଉତ୍ତର, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୯ଟି ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । କେତେକ ସ୍ଥାନରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ସହ ଜଳବନ୍ଦୀ ସ୍ଥିତି ଉପୁଜିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଅପରପକ୍ଷରେ ସ୍ଥିତିର ସମୀକ୍ଷା ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଜନସାଧାରଣଙ୍କୁ ଆତଙ୍କିତ ନହେବାକୁ ଅନୁରୋଧ କରିଛନ୍ତି ।
ଅବପାତ ଯୋଗୁଁ ବଦଳିଛି ରାଜ୍ୟର ପାଣିପାଗ । ଉତ୍ତର ଓ ପଶ୍ଚିମ ଓଡ଼ିଶା ସହ ସେଣ୍ଟ୍ରାଲ୍ ପୋକେଟରେ ବର୍ଷାର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ଯାଜପୁର, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି । ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ମଧ୍ୟ ବର୍ଷାର ପ୍ରଭାବ ଜାରି ରହିବ । ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହେବାର ଆଶଙ୍କା ଥିବାରୁ ଖାଲୁଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇପାରେ । ଅନ୍ୟପଟେ, ଜଳମଗ୍ନ ଯୋଗୁଁ ବନ୍ୟା-ସହନଶୀଳ ନଥିବା ଧାନ ତଳି ଓ ଗଛ ନଷ୍ଟ ହେବା ନେଇ ଚାଷୀଙ୍କ ଚିନ୍ତା ବଢ଼ିଛି । ତେବେ ପୁରୀ ରଥଯାତ୍ରା ସମୟରେ ଉପକୂଳାଞ୍ଚଳରେ ପାଗ ସ୍ୱାଭାବିକ ରହିବା ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।
ଆସନ୍ତା ୨୪ ଘଣ୍ଟା ପାଇଁ ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୁରଭଞ୍ଜକୁ ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି । ଏହାସହ ୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତା କାଲି ସକାଳ ପର୍ଯ୍ୟନ୍ତ ବର୍ଷାର ପ୍ରଭାବ ରହିପାରେ । ବର୍ଷା ଯୋଗୁଁ ଅନେକ ସ୍ଥାନରେ ଆକସ୍ମିକ ବନ୍ୟା ପରିସ୍ଥିତି ଦେଖାଦେଇପାରେ ।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଏହି ସିଷ୍ଟମ୍ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ଏହା ଓଡ଼ିଶାର ବାଲେଶ୍ୱର ଏବଂ ପଶ୍ଚିମବଙ୍ଗର କ୍ୟାନିଂ ମଧ୍ୟଦେଇ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି । ସ୍ଥଳଭାଗ ଅତିକ୍ରମ କରିବା ସମୟରେ ଉପକୂଳିଆ ଅଞ୍ଚଳରେ ପବନର ବେଗ ବୃଦ୍ଧି ପାଇବା ସହ ନଦୀ ଓ ସମୁଦ୍ର ଅଶାନ୍ତ ରହିବ । ପବନର ବେଗ ୬୦-୭୦ କିମି ପର୍ଯ୍ୟନ୍ତ ରହିପାରେ ।
ପ୍ରବଳ ବର୍ଷା ସମ୍ଭାବନାକୁ ଆଖିଆଗରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ନଯିବା ପାଇଁ ବାରଣ କରାଯାଇଛି । ଏହାସହ ନଦୀକୂଳିଆ ଓ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ଏବଂ ଆବଶ୍ୟକ ନହେଲେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଏହି ଅବପାତଟି ତା\’ର ଗତିପଥ ବଦଳାଇ ମଧ୍ୟ ଭାରତ ଦେଇ ଜୁଲାଇ ୩୦-୩୧ ତାରିଖ ବେଳକୁ ଗୁଜରାଟ ଆଡ଼କୁ ଅଗ୍ରସର ହେବ । ତେବେ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ରାଜ୍ୟରେ ଏହାର ପ୍ରଭାବ ବଳବତ୍ତର ରହିବ । ଫ୍ଲାସ୍ ଫ୍ଲଡ୍ କିମ୍ବା ସହରାଞ୍ଚଳ ଜଳବନ୍ଦୀ ସ୍ଥିତି ନିୟନ୍ତ୍ରଣ ପାଇଁ ମୋଟର ପମ୍ପ ପ୍ରସ୍ତୁତ ରଖିବାକୁ ପୌର ଓ ପଞ୍ଚାୟତ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପଟେ ଏହି ଆକଳନକୁ ଲକ୍ଷ୍ୟ କରି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀ । ପାଣିପାଗ ବିଭାଗ ଅନୁମାନ ଅନୁସାରେ ୯ଟି ଜିଲ୍ଲା ପାଇଁ ରେଡ୍ ଆଲର୍ଟ ରହିଛି । ଆଲର୍ଟ ଥିବା ଜିଲ୍ଲାପାଳମାନଙ୍କ ସହ ବୈଠକ ସରିଛି, ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଛି । ଆବଶ୍ୟକ ହେଲେ ଲୋକଙ୍କୁ ସ୍ଥାନାନ୍ତର, ରନ୍ଧା ଖାଦ୍ୟ, ଜାରି ପାଲ, ଙଊଜଇୠ ଓ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ରଖାଯାଇଛି ବୋଲି କହିଛନ୍ତି ମନ୍ତ୍ରୀ । ଉପରମୁଣ୍ଡରେ ବର୍ଷା ନଥିବାରୁ ବଡ଼ ବନ୍ୟାର ଆଶଙ୍କା ନାହିଁ । ଆଜି ସନ୍ଧ୍ୟାରୁ ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ସମସ୍ତଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

