ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍): ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି । ଉତ୍ତର ଓଡିଶା ଉବୁଟୁବୁ ହେଉଛି । ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଯାଜପୁର, ମୟୂରଭଞ୍ଜ ଏବଂ ସମ୍ବଲପୁର ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି । ଏହି ୬ ଜିଲ୍ଲାର ୪୪ ବ୍ଲକ ପ୍ରଭାବିତ ହୋଇଛନ୍ତି । ୭ ହଜାର ୯୦୧ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ଏହି ପ୍ରତିକୂଳ ପରିସ୍ଥିତିରେ ଆଦୌ ବିଚଳିତ ନହେବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅପିଲ୍ କରିଛନ୍ତି । ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ଜୀବନ ଓ ସୁରକ୍ଷା ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ଲଗାଣ ବର୍ଷା ଓ କେତେକ ନଦୀରେ ସୃଷ୍ଟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି, ପ୍ରତିଟି ମୁହୂର୍ତ୍ତ ଉପରେ ସରକାର ସିଧାସଳଖ ନଜର ରଖିଛନ୍ତି ବୋଲି କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବନ୍ୟା ପରିସ୍ଥିତି ଓ ଏହାର ମୁକାବିଲା ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲଫ୍ କମିଶନରଙ୍କ ସହିତ ଆଲୋଚନା କରିଛି । ପ୍ରଭାବିତ ଅଞ୍ଚଳରେ ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ପାଇଁ ସମଗ୍ର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି । ଆପଣମାନଙ୍କୁ ନିବେଦନ, ଆଦୌ ବିଚଳିତ କିମ୍ବା ଭୟଭୀତ ହୁଅନ୍ତୁ ନାହିଁ । ଆମେ ପ୍ରତିଟି ପଦକ୍ଷେପରେ ଆପଣଙ୍କ ସହିତ ଛିଡ଼ା ହୋଇଛୁ । ପ୍ରଶାସନର ସୂଚନାକୁ ପାଳନ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ।

