ପ୍ରତ୍ୟେକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏମବିବିଏସ୍ ଡାକ୍ତର ନିୟୋଜିତ
ଜରୁରୀ ସହାୟତା ପାଇଁ ୧୧୨ ନମ୍ବରକୁ କଲ୍ କରିବାକୁ ପରାମର୍ଶ
ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍): ରାଜ୍ୟର ବନ୍ୟା ପରିସ୍ଥିତି ଉପରେ ରାଜ୍ୟ ସରକାର ଚବିଶ ଘଣ୍ଟିଆ କଡ଼ା ନଜର ରଖିଛନ୍ତି । ପ୍ରଭାବିତ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର, ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି । ରାଜ୍ୟରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଜନସାଧାରଣଙ୍କ ସୁରକ୍ଷା ରାଜ୍ୟସରକାରଙ୍କ ପ୍ରାଥମିକତା ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବନ୍ୟା ପରିସ୍ଥିତି ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନର ବନ୍ୟା ପରିସ୍ଥିତି, ଉଦ୍ଧାର ଓ ରିଲିଫ କାର୍ଯ୍ୟ, ସ୍ୱାସ୍ଥ୍ୟ ସେବାର ପ୍ରସ୍ତୁତି, ନଦୀଗୁଡ଼ିକର ଜଳସ୍ତର, ପାଣିପାଗ ପୂର୍ବାନୁମାନ ଏବଂ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସମୟୋପଯୋଗୀ ପଦକ୍ଷେପ ନେବା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟର ସମୀକ୍ଷା କରାଯାଇଥିଲା ।
ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଥିଲେ ଯେ, ଲଗାଣ ବର୍ଷାଜନିତ ବନ୍ୟା ଯୋଗୁଁ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି । ୪୪ଟି ବ୍ଲକ୍, ୨୪୩ଟି ଗ୍ରାମ ପଞ୍ଚାୟତ ଏବଂ ୭୪୮ଟି ଗ୍ରାମ ବନ୍ୟା ପ୍ରଭାବରେ ରହିଛି । ଏହା ବ୍ୟତୀତ ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା, ଗଜପତି ଓ ମାଲକାନଗିରି ଜିଲ୍ଲାର କେତେକ ଅଞ୍ଚଳ ମଧ୍ୟ ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି । ପ୍ରଭାବିତ ଜିଲ୍ଲାଗୁଡ଼ିକରୁ ପ୍ରାୟ ୩୦,୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବାବେଳେ ଅନ୍ୟାନ୍ୟ ବିପଦପୂର୍ଣ୍ଣ ଅଞ୍ଚଳରେ ମଧ୍ୟ ଆବଶ୍ୟକତା ଅନୁଯାୟୀ ସ୍ଥାନାନ୍ତରଣ କରାଯାଇଛି ।
ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଦୃଢ଼ କରାଯାଇଛି । ମେଡିକାଲ ଟିମ୍ ମୁତୟନ କରାଯାଇଥିବାବେଳେ ଆବଶ୍ୟକ ଔଷଧ ମହଜୁଦ ରଖାଯାଇଛି ଏବଂ ସାପ କାମୁଡ଼ାର ଚିକିତ୍ସା ପାଇଁ ଆଣ୍ଟି-ସ୍ନେକ୍ ଭେନମ୍ ଇଞ୍ଜେକ୍ସନ୍ ପ୍ରଭାବିତ ଅଞ୍ଚଳକୁ ପଠାଯାଇଛି । ଜରୁରୀ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏମବିବିଏସ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି ।
ବର୍ତ୍ତମାନ ସୁଦ୍ଧା ୨୨୬ଟି ଗ୍ରାମରେ ଜଳବନ୍ଦୀ ସ୍ଥିତି ରହିଛି । ତେବେ ବିଶେଷକରି ବାଲେଶ୍ୱର ଜିଲ୍ଲାରେ ଜଳସ୍ତର କମିବା ଆରମ୍ଭ କରିଥିବାରୁ ଅନେକ ଲୋକ ଧୀରେ ଧୀରେ ରିଲିଫ କେନ୍ଦ୍ରରୁ ନିଜ ଘରକୁ ଫେରୁଛନ୍ତି । ରାଜ୍ୟ ସରକାର ସମଗ୍ର ପରିସ୍ଥିତି ଉପରେ ନିରନ୍ତର ନଜର ରଖି ଆବଶ୍ୟକ ସହାୟତା ଯୋଗାଇ ଦେଉଛନ୍ତି । ସମସ୍ତ ନଦୀବନ୍ଧ, ରିଲିଫ କେନ୍ଦ୍ର ଓ ସମ୍ବେଦନଶୀଳ ଅଞ୍ଚଳରେ ପୁଲିସ ପାଟ୍ରୋଲିଂକୁ ବାଧ୍ୟତାମୂଳକ କରାଯାଇଛି ।
ଛତିଶଗଡ଼ର ଉପର ଅବବାହିକା ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି । ବର୍ତ୍ତମାନ ହୀରାକୁଦ ବନ୍ଧର ଦୁଇଟି ଗେଟ୍ ଖୋଲା ରହିଛି ଏବଂ ଜଳଭଣ୍ଡାରର ଜଳସ୍ତର ସୁରକ୍ଷିତ ସୀମା ମଧ୍ୟରେ ରହିଛି । ଜଳ ସମ୍ପଦ ବିଭାଗ ପକ୍ଷରୁ ନିରନ୍ତର ଜଳପ୍ରବାହ ଓ ନଦୀ ଜଳସ୍ତରର ତଦାରଖ କରାଯାଉଛି ଏବଂ ଭବିଷ୍ୟତରେ ଆବଶ୍ୟକ ପଡ଼ିଲେ ବୈଷୟିକ ଆକଳନ ଆଧାରରେ ପର୍ଯ୍ୟାୟକ୍ରମେ ଜଳ ନିଷ୍କାସନ କରାଯିବ । ବର୍ତ୍ତମାନ ନଦୀ ପରିସ୍ଥିତି ନିୟନ୍ତ୍ରଣରେ ରହିଛି । କ୍ଷତିଗ୍ରସ୍ତ ଘରଗୁଡ଼ିକର ଆକଳନ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ପ୍ରଭାବିତ ପରିବାରମାନଙ୍କୁ ସରକାରୀ ନିୟମାବଳୀ ଅନୁଯାୟୀ ସହାୟତା ପ୍ରଦାନ ପ୍ରକ୍ରିୟା ଜାରି ରହିଛି ।
ସର୍ବଶେଷ ପାଣିପାଗ ପୂର୍ବାନୁମାନ ଅନୁଯାୟୀ ବରଗଡ଼, ବଲାଙ୍ଗୀର, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାକୁ ସତର୍କ ରଖାଯାଇଛି । ସମ୍ଭାବ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲା ପ୍ରଶାସନକୁ ସଂପୂର୍ଣ୍ଣ ପ୍ରସ୍ତୁତ ରହିବା ସହ ଉଦ୍ଧାରକାରୀ ଦଳ, ଜରୁରୀ ଉପକରଣ ଓ ରିଲିଫ ସାମଗ୍ରୀ ପ୍ରସ୍ତୁତ ରଖିବାକୁ କୁହାଯାଇଛି ।
ବିପର୍ଯ୍ୟୟ ମୁକାବିଲାକୁ ଆହୁରି ସୁଦୃଢ଼ କରିବା ପାଇଁ ୧୭ଟି ଏନଡିଆରଏଫ ଟିମ୍, ଓଡ୍ରାଫ ଟିମ୍ ଏବଂ ପ୍ରାୟ ୬୦ଟି ଅଗ୍ନିଶମ ସେବା ଟିମ୍ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ମୁତୟନ କରାଯାଇଛି । ବରିଷ୍ଠ ଆଇଏଏସ ଅଧିକାରୀମାନଙ୍କୁ ମଧ୍ୟ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି କ୍ଷେତ୍ରସ୍ତରରେ ପରିସ୍ଥିତିର ତଦାରଖ ପାଇଁ ଦାୟିତ୍ୱ ଦିଆଯାଇଛି ।
ଜନସାଧାରଣଙ୍କୁ ସତର୍କ ରହିବାକୁ ଆହ୍ୱାନ ଜଣାଇ ରାଜସ୍ୱ ମନ୍ତ୍ରୀ କହିଥିଲେ ଯେ କେହି ବନ୍ୟାଜଳ ମଧ୍ୟକୁ ପ୍ରବେଶ କରନ୍ତୁ ନାହିଁ, ଅସୁରକ୍ଷିତ ସ୍ଥାନକୁ ଯାଆନ୍ତୁ ନାହିଁ । ଜିଲ୍ଲା ପ୍ରଶାସନର ପରାମର୍ଶ ପାଳନ କରିବା, ଆବଶ୍ୟକ ହେଲେ ରିଲିଫ କେନ୍ଦ୍ରକୁ ସ୍ଥାନାନ୍ତର ହେବା ଏବଂ ଜରୁରୀ ସହାୟତା ପାଇଁ ୧୧୨ ନମ୍ବରକୁ ଯୋଗାଯୋଗ କରିବାକୁ ସେ ଅନୁରୋଧ କରିଥିଲେ ।
ଜରୁରୀ ଉଦ୍ଧାର କାର୍ଯ୍ୟ ବେଳେ ବିଦ୍ୟୁତ୍ ସ୍ପର୍ଶରେ ଜଣେ ଅଗ୍ନିଶମ ସେବା କର୍ମଚାରୀଙ୍କ ଦୁଃଖଦ ମୃତ୍ୟୁ ଘଟଣାରେ ମନ୍ତ୍ରୀ ଓ ଉପସ୍ଥିତ ସମସ୍ତ ଅଧିକାରୀ ଗଭୀର ଶୋକ ପ୍ରକାଶ କରିଥିଲେ । ମୃତକଙ୍କ ପରିବାରକୁ ତୁରନ୍ତ ସମସ୍ତ ସରକାରୀ ସହାୟତା ଓ ପ୍ରାପ୍ୟ ସୁବିଧା ପ୍ରଦାନ କରିବାକୁ ମନ୍ତ୍ରୀ ଶ୍ରୀ ପୂଜାରୀ ସମ୍ପୃକ୍ତ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର-ତଥା-ଶାସନ ସଚିବ ଅଶ୍ୱଥୀ ଏସ୍., ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ, ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଜଳ ସମ୍ପଦ ବିଭାଗ ଓ ଅନ୍ୟାନ୍ୟ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

