ସମସ୍ତ ମେଡିକାଲରେ ଆଣ୍ଟି ସ୍ନେକ ଭେନମ୍ ରଖିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍): ରାଜ୍ୟରେ ବନ୍ୟା ପରିସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ବିଭାଗ ହାଇ ଆଲର୍ଟରେ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ଏନେଇ ସମୀକ୍ଷା ମଧ୍ୟ କରିଛନ୍ତି । ସେ କହିଛନ୍ତି, ସ୍ୱାସ୍ଥ୍ୟ ବିଭାଗ ତରଫରୁ ପ୍ରମୁଖ ସଚିବଙ୍କ ଅଧକ୍ଷତାରେ ନିର୍ଦ୍ଦେଶକ ଓ ସିଡିଏମଓ ମାନଙ୍କ ସହିତ ସମୀକ୍ଷା ବୈଠକ କରାଯାଇଛି । ଭିସି ମାଧ୍ୟମରେ ସମସ୍ତ ଅଧିକାରୀମାନେ ଯୋଡି ହୋଇଥିଲେ । ବୈଠକରେ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଜିଲ୍ଲାପାଳ ମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଯେଉଁଥିରେ ସମସ୍ତ ସିଡିଏମଓ ମାନଙ୍କୁ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପଟେ ଉତ୍ତର ଓଡ଼ିଶା ବନ୍ୟା ସ୍ଥିତି ଜଟିଳ ରହିଛି । ତେଣୁ ଉତ୍ତର ଓଡ଼ିଶାର ସମସ୍ତ ମେଡିକାଲ କଲେଜକୁ ଆଲର୍ଟରେ ରଖାଯାଇଛି । ଆବଶ୍ୟକ ପଡିଲେ ସେହି ମେଡିକାଲ ଟିମ୍କୁ ବିଭିନ୍ନ ସ୍ଥାନରେ ମୁତୟନ କରାଯିବ । କୋଭିଡ୍ ପାଇଁ ବ୍ୟତୀବ୍ୟସ୍ତ ହୁଅନ୍ତୁ ନାହିଁ । କୋଭିଡକୁ ସତର୍କତା ଦୃଷ୍ଟିରେ ରଖିଛୁ । ଭାରତ ସରକାରଙ୍କ ଯାହା ଗାଇଡ୍ ଲାଇନ୍ ଆସିବ ତାହାକୁ ଆମେ ଅନୁପାଳନ କରିବୁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।
ସେହିପରି ଗତକାଲି ଏହାକୁ ନେଇ ସ୍ୱାସ୍ଥ୍ୟ ସଚିବ ସମୀକ୍ଷା କରିଥିଲେ । ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ଜଳସ୍ତର ବୃଦ୍ଧି ପାଉଥିବା ପରିସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସତର୍କ ହୋଇଛି । ସୋମବାର ବିଭାଗର କମିଶନର ତଥା ଶାସନ ସଚିବ ଅସ୍ୱତୀ ଏସ. ପ୍ରଭାବିତ ଜିଲ୍ଲାଗୁଡ଼ିକର ସ୍ୱାସ୍ଥ୍ୟ ପ୍ରସ୍ତୁତିକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା କରିଥିଲେ ।

