DCP Bhubaneswar: ଭୁବନେଶ୍ୱର (ରିପୋଟର୍ସ ପେନ୍) : ଆଜି ଜଗମୋହନ ମିନା ନୂତନ ଭାବେ ଭୁବନେଶ୍ୱର ସହରାଂଚଳ ଜିଲ୍ଲା ପୋଲିସ୍ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଡିଆଇଜି ପିନାକ ମିଶ୍ରଙ୍କ ଠାରୁ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ଅନ୍ୟ ବରିଷ୍ଠ ପୋଲିସ୍ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ସେ କହିଥିଲେ, ସାଧାରଣ ଲୋକଙ୍କ ଅଭିଯୋଗ ଲାଗି ମୋ ଅଫିସିଆଲ ମୋବାଇଲ ନମ୍ବର ସବୁବେଳେ ଖୋଲା ଅଛି ।
ଦାୟିତ୍ୱ ଗ୍ରହଣ ପରେ ସେ ଗଣମାଧ୍ୟମକୁ କହିଥିଲେ, ଭୁବନେଶ୍ୱର ଅପରାଧ ନିୟନ୍ତ୍ରଣ କରିବାକୁ ବହୁ ପ୍ରଚେଷ୍ଠା କରାଯାଉଛି । ଏଥିରେ କିପରି ଉନ୍ନତି ଆସିବ ସେ ଦିଗରେ ବିଶେଷ ଧ୍ୟାନ ଦିଆଯିବ । ବିଶେଷ କରି ଲୋକଙ୍କୁ କିପରି ନ୍ୟାୟ ପ୍ରଦାନ କରାଯିବ ଓ ଥାନାର କର୍ମଚାରୀମାନେ କିପରୀ ଉତ୍ତମ ବ୍ୟବହାର କରିବେ, ସେ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ । ଏଥିସହିତ ସମସ୍ତ ଅଫିସରଙ୍କ କାର୍ଯ୍ୟଦକ୍ଷତାକୁ ମଧ୍ୟ ମାପ କରାଯିବ । ଫଳରେ ମାମଲାର ତଦନ୍ତ ସଠିକ ଓ ସ୍ୱଚ୍ଛ ହୋଇପାରିବ । ସେହିପରି ଟ୍ରାଫିକ ସମସ୍ୟା ଠାରୁ ଆରମ୍ଭ କରି ଆଇନଶୃଙ୍ଖଳା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ସୁଚାରୁରୂପେ ତୁଲାଇବାକୁ ମୁଁ ଚେଷ୍ଠା କରିବି ବୋଲି ସେ କହିଛନ୍ତି ।
ଉଲ୍ଲେଖଥାଉ କି, ୨୦୧୩ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଶ୍ରୀମିନା ଜଣେ ଅଭିଜ୍ଞ, କ୍ଷମତାଶୀଳ ଏବଂ ପ୍ରଭାବଶାଳୀ ପୋଲିସ୍ ଅଧିକାରୀ ଭାବେ ପରିଚିତ । ତାଙ୍କ ପୂର୍ବ ଦାୟିତ୍ୱ ଅନୁଭବ ଓ ଦକ୍ଷତା ଭୁବନେଶ୍ୱରର ଆଇନ-ଶୃଙ୍ଖଳା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାରେ ଉପକୃତ ହେବ । ଏହି ନୂତନ ଦାୟିତ୍ୱରେ ସେ ଅପରାଧ ନିୟନ୍ତ୍ରଣ, ଟ୍ରାଫିକ୍ ପ୍ରବନ୍ଧନର ଆଧୁନିକୀକରଣ, ନିଶା ବ୍ୟବସାୟ ବିରୋଧୀ କାର୍ଯ୍ୟାନୁଷ୍ଠାନ ବୃଦ୍ଧି, ସାଇବର ସୁରକ୍ଷା ଏବଂ ଭିଭିଆଇପି ସୁରକ୍ଷାକୁ ଶକ୍ତିଶାଳୀ କରିବାକୁ ପ୍ରାଥମିକତା ଦେବେ ।
ଶ୍ରୀ ମିନା ପୂର୍ବରୁ ମାଲକାନଗିରି, ଅନୁଗୁଳ, ଗଞ୍ଜାମ ଜିଲ୍ଲାରେ ଏସ୍ପି ଏବଂ କଟକ ସହରାଂଚଳ ଜିଲ୍ଲାରେ ଡିସିପି ଭାବେ ସଫଳ ନେତୃତ୍ୱ ପ୍ରଦାନ କରିଛନ୍ତି । ଏବେ ଭୁବନେଶ୍ୱରର ନୂତନ ଡିସିପି ଭାବେ ସେ ଜନସାଧାରଣଙ୍କ ସୁରକ୍ଷା ଏବଂ ଆଇନ-ଶୃଙ୍ଖଳା ପ୍ରତି ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ କରିବେ । ପୋଲିସ୍ ବିଭାଗ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ସଂପର୍କ ବୃଦ୍ଧି କରି ଏକ ନିରାପଦ ଏବଂ ଶାନ୍ତିପୂର୍ଣ୍ଣ ଭୁବନେଶ୍ୱର ଗଠନ କରିବା ତାଙ୍କ ପ୍ରମୁଖ ଲକ୍ଷ୍ୟ ରହିବ ।