ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍): ଓଡ଼ିଶା ସହ ହକିର ଗଭୀର ସମ୍ପର୍କ ରହିଥିବା ବେଳେ ଏହି ଖେଳର ଶୃଙ୍ଖଳା, ଦଳଗତ ଭାବନା, ସହଯୋଗ ଓ ଧୈର୍ଯ୍ୟ ଭଳି ଗୁଣ ପୁଲିସ କର୍ମଚାରୀଙ୍କ ବୃତ୍ତିଗତ ଦକ୍ଷତାକୁ ସୁଦୃଢ଼ କରିପାରେ ବୋଲି କହିଛନ୍ତି ସେଣ୍ଟ୍ରାଲ ରେଞ୍ଜ ଆଇଜି ଡଃ ସତ୍ୟଜିତ ନାୟକ।

କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ୭୬ତମ ରାଜ୍ୟ ପୁଲିସ ହକି ଚାମ୍ପିୟନଶିପ୍-୨୦୨୬ରେ ଯୋଗଦେଇ ସେ କହିଥିଲେ ଯେ ପୁଲିସ ବାହିନୀ ପାଇଁ ଶାରୀରିକ ସକ୍ଷମତା, ମାନସିକ ସତର୍କତା, ଶୃଙ୍ଖଳା, ଧୈର୍ଯ୍ୟ ଓ ଚାପରେ କାର୍ଯ୍ୟ କରିବାର କ୍ଷମତା ଅତ୍ୟନ୍ତ ଜରୁରୀ। ହକି ପଡ଼ିଆରେ ଯେପରି ପ୍ରତ୍ୟେକ ଖେଳାଳିଙ୍କ ମଧ୍ୟରେ ବିଶ୍ୱାସ ଓ ସମନ୍ୱୟ ଆବଶ୍ୟକ, ସେହିପରି ପୁଲିସ ବ୍ୟବସ୍ଥାରେ ମଧ୍ୟ ଦଳଗତ ଭାବନା ଓ ସାମୂହିକ ଦାୟିତ୍ୱ ଜରୁରୀ ବୋଲି ସେ କହିଥିଲେ।

ଖେଳାଳିମାନେ ବିଜୟରେ ନମ୍ର ଓ ପରାଜୟରୁ ଶିକ୍ଷା ନେଇ ଆଗକୁ ବଢ଼ିବା ସହ ପ୍ରତିପକ୍ଷ, ଅମ୍ପାୟାର ଓ ଖେଳର ନିୟମକୁ ସମ୍ମାନ ଦେବାକୁ ଆଇଜି ଆହ୍ୱାନ ଦେଇଥିଲେ। ଯୁବ ପୁଲିସ କର୍ମଚାରୀମାନେ ନିୟମିତ କ୍ରୀଡ଼ାକୁ ଜୀବନର ଅଂଶ କରିବା ଉଚିତ ବୋଲି ସେ କହିବା ସହ ଚାମ୍ପିୟନଶିପ୍ ଆୟୋଜନ ପାଇଁ ଓଡ଼ିଶା ପୁଲିସ କ୍ରୀଡ଼ା ଓ ସାଂସ୍କୃତିକ ସଂଘ, ପ୍ରଶିକ୍ଷକ, ରେଫରି ଓ ସହାୟକ କର୍ମଚାରୀଙ୍କୁ ପ୍ରଶଂସା କରିଥିଲେ। “ପ୍ରକୃତ ବିଜୟ କେବଳ ଟ୍ରଫି ଜିତିବାରେ ନୁହେଁ; ଜଣେ ଭଲ ଖେଳାଳି, ଭଲ ସାଥୀ ଏବଂ ଶେଷରେ ଜଣେ ଭଲ ପୁଲିସ ଅଧିକାରୀ ହେବାରେ ରହିଛି,” ବୋଲି ଡଃ ନାୟକ କହିଥିଲେ।

