ବଜ୍ରପାତରେ ଥରିଲା ଇଣ୍ଡିଗୋ ବିମାନ, କ୍ଷତିଗ୍ରସ୍ତ ହେଲା ଆଗ ଭାଗ; ୧୦୪ ଯାତ୍ରୀ ସୁରକ୍ଷିତ

Reporterspen

ଲକ୍ଷ୍ନୌ, ୭/୧୦: ପାଟନାରୁ ଲକ୍ଷ୍ନୌ ଯାଉଥିବା ଇଣ୍ଡିଗୋର ଏକ ବିମାନ ବୁଧବାର ସନ୍ଧ୍ୟାରେ ଖରାପ ପାଗ ମଧ୍ୟରେ ବଜ୍ରପାତର ଶିକାର ହୋଇଛି। ଘଟଣା ସମୟରେ ବିମାନଟି ପ୍ରାୟ ୧୭ ହଜାର ଫୁଟ୍ ଉଚ୍ଚତାରେ ଥିବା ଜଣାପଡ଼ିଛି। ବଜ୍ରପାତ ଯୋଗୁ ବିମାନର ଆଗ ଭାଗ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ପାଇଲଟ୍ ବିମାନର ନିୟନ୍ତ୍ରଣ ବଜାୟ ରଖି ସୁରକ୍ଷିତ ଭାବେ ଲକ୍ଷ୍ନୌର ଚୌଧୁରୀ ଚରଣ ସିଂହ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରାଇଥିଲେ।

ବିମାନରେ ପ୍ରାୟ ୧୦୪ ଜଣ ଯାତ୍ରୀ ଥିଲେ। ବଜ୍ରପାତ ପରେ କିଛି ସମୟ ପାଇଁ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।

ଇଣ୍ଡିଗୋର ନିର୍ଦ୍ଧାରିତ ଘରୋଇ ବିମାନ 6E925 ପାଟନାରୁ ଅପରାହ୍ନ ୩ଟା ୧୦ରେ ଲକ୍ଷ୍ନୌ ଅଭିମୁଖେ ଉଡ଼ାଣ କରିଥିଲା। ବିମାନଟି ସନ୍ଧ୍ୟା ୪ଟା ୨୦ରେ ଲକ୍ଷ୍ନୌରେ ପହଞ୍ଚିବାର ଥିଲା। ତେବେ ଖରାପ ପାଗ ସତ୍ତ୍ୱେ ଏହା ପ୍ରାୟ ୪ଟା ୦୫ରେ ଲକ୍ଷ୍ନୌ ବିମାନବନ୍ଦରରେ ଅବତରଣ କରିଥିଲା।

ଲକ୍ଷ୍ନୌରୁ ଏହି ବିମାନକୁ ଇଣ୍ଡିଗୋର 6E6968 ଭାବେ ସନ୍ଧ୍ୟା ୫ଟା ୦୫ରେ ଅହମଦାବାଦ ଯିବାର ଥିଲା। କିନ୍ତୁ ଅବତରଣ ପରେ ବିମାନର ଯାଞ୍ଚ ସମୟରେ କିଛି ବୈଷୟିକ ତ୍ରୁଟି ଚିହ୍ନଟ ହୋଇଥିଲା। ଏହାପରେ ବିମାନଟିକୁ ଏୟାରପୋର୍ଟରେ ହିଁ ରଖାଯାଇଥିଲା।

ଯାତ୍ରୀମାନଙ୍କୁ ଅଧିକ ଅସୁବିଧା ନହେବା ପାଇଁ ଇଣ୍ଡିଗୋ ପକ୍ଷରୁ ବିକଳ୍ପ ବିମାନର ବ୍ୟବସ୍ଥା କରାଯାଇଥିଲା। ପରେ ଯାତ୍ରୀମାନେ ଅନ୍ୟ ଏକ ବିମାନ ଯୋଗେ ସନ୍ଧ୍ୟା ପ୍ରାୟ ୬ଟା ୨୨ରେ ଅହମଦାବାଦ ଅଭିମୁଖେ ଯାତ୍ରା କରିଥିଲେ।

ଉଲ୍ଲେଖଯୋଗ୍ୟ, ଇଣ୍ଡିଗୋ ବିମାନରେ ବଜ୍ରପାତ ହେବାର ଏହା ପ୍ରଥମ ଘଟଣା ନୁହେଁ। ଗତ ଜୁନ୍ ୧୯ ତାରିଖରେ ଝଡ଼ତୋଫାନ ସମୟରେ କୋଲକାତା ବିମାନବନ୍ଦରରେ ଛିଡ଼ା ହୋଇଥିବା ଇଣ୍ଡିଗୋର ଏକ ବିମାନ ଉପରେ ମଧ୍ୟ ବଜ୍ରପାତ ହୋଇଥିଲା। ବିମାନଟି ଅଗରତାଲା ଯିବାକୁ ପ୍ରସ୍ତୁତ ଥିବାବେଳେ ଏହି ଘଟଣା ଘଟିଥିଲା। ବଜ୍ରପାତ ଯୋଗୁ ବିମାନର ପାୱାର ସିଷ୍ଟମ୍ ପ୍ରଭାବିତ ହୋଇଥିଲା। ଏହାପରେ ବିମାନରେ ଥିବା ୧୪୧ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟଙ୍କୁ ଓହ୍ଲାଇ ଦିଆଯାଇଥିଲା ଏବଂ ପରେ ଅନ୍ୟ ଏକ ବିମାନରେ ଯାତ୍ରୀମାନଙ୍କୁ ଅଗରତାଲା ପଠାଯାଇଥିଲା।


Reporterspen