ମୁମ୍ବାଇ, : ଭାରତୀୟ କ୍ରିକେଟ୍ ଦଳର ଯୁବ ଓପନର ଯଶସ୍ୱୀ ଜୟସ୍ୱାଲ ଏବେ ୱିକେଟକିପିଂ ଅଭ୍ୟାସ କରୁଛନ୍ତି। ତାଙ୍କର ୱିକେଟକିପିଂ କରୁଥିବା ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ କ୍ରିକେଟ୍ ମହଲରେ ଚର୍ଚ୍ଚା ଜୋର ଧରିଛି। ତେବେ ଜୟସ୍ୱାଲ କାହିଁକି ୱିକେଟକିପିଂ ଶିଖୁଛନ୍ତି, ସେ ନେଇ ମୁହଁ ଖୋଲିଛନ୍ତି ମୁମ୍ବାଇ ଦଳର ଅଧିନାୟକ ସିଦ୍ଧେଶ ଲାଡ୍।
ସିଦ୍ଧେଶ ଲାଡ୍ ଗୁରୁବାର ପିଟିଆଇକୁ କହିଛନ୍ତି ଯେ, ବ୍ୟାଟିଂ ଓ ଲେଗ୍ ସ୍ପିନ୍ ବୋଲିଂ ବ୍ୟତୀତ ଅତିରିକ୍ତ ଦକ୍ଷତା ଭାବେ ଜୟସ୍ୱାଲ ୱିକେଟକିପିଂ ଅଭ୍ୟାସ କରୁଛନ୍ତି। ବର୍ତ୍ତମାନ କ୍ରିକେଟ୍ରେ ପ୍ରତିଯୋଗିତା ବଢ଼ୁଥିବାରୁ ନିଜ ଖେଳରେ ଆଉ କିଛି ନୂଆ ଦକ୍ଷତା ଯୋଡ଼ିବା ଲାଗି ସେ ଏପରି ପ୍ରୟାସ କରୁଥାଇପାରନ୍ତି ବୋଲି ଲାଡ୍ କହିଛନ୍ତି।
ସେ କହିଛନ୍ତି, “ଜୟସ୍ୱାଲ କାହିଁକି ୱିକେଟକିପିଂ ଅଭ୍ୟାସ ଆରମ୍ଭ କରିଛନ୍ତି, ତାହାର ପ୍ରକୃତ କାରଣ ମୁଁ ଜାଣିନାହିଁ। କିନ୍ତୁ ସେ ଏବେ ବହୁତ ଅଭ୍ୟାସ କରୁଛନ୍ତି। ଯଦି ସେ ଏହି ଅଭ୍ୟାସ ଜାରି ରଖନ୍ତି, ତେବେ ଧୀରେ ଧୀରେ ଏଥିରେ ଅଭ୍ୟସ୍ତ ହୋଇଯିବେ ବୋଲି ମୋର ବିଶ୍ୱାସ।”
ରଣଜୀ ଟ୍ରଫିରେ ଖେଳିବେ ଜୟସ୍ୱାଲ
୨୦୨୬-୨୭ ରଣଜୀ ଟ୍ରଫିର ପ୍ରଥମ ପର୍ଯ୍ୟାୟ ଅକ୍ଟୋବର ୧୧ରୁ ଆରମ୍ଭ ହେବ। ମୁମ୍ବାଇ ଦଳ ତା’ର ପ୍ରଥମ ମ୍ୟାଚ୍ରେ ୱାଙ୍ଖଡ଼େ ଷ୍ଟାଡିୟମ୍ରେ ଚଣ୍ଡିଗଡ଼କୁ ଭେଟିବ। ଏହି ମ୍ୟାଚ୍ରେ ଜୟସ୍ୱାଲ ଖେଳିବେ। ତେବେ ଜାତୀୟ ଦଳର ଦାୟିତ୍ୱ ଯୋଗୁଁ ସେ ମୁମ୍ବାଇ ପକ୍ଷରୁ ଦ୍ୱିତୀୟ ମ୍ୟାଚ୍ ଖେଳିପାରିବେ ନାହିଁ।
ସୀମିତ ଓଭର କ୍ରିକେଟ୍ରେ ସୁଯୋଗକୁ ଅପେକ୍ଷା
ଯଶସ୍ୱୀ ଜୟସ୍ୱାଲଙ୍କୁ ସୀମିତ ଓଭର କ୍ରିକେଟ୍ରେ ଏବେ ଅଧିକ ସୁଯୋଗ ମିଳୁନାହିଁ। ତାଙ୍କର ଶେଷ ଦିନିକିଆ ମ୍ୟାଚ୍ ଜୁନ୍ ମାସରେ ଆଫଗାନିସ୍ତାନ ବିପକ୍ଷରେ ଥିଲା। ବିରାଟ କୋହଲିଙ୍କ ସ୍ଥାନରେ ଦଳରେ ସାମିଲ ହୋଇଥିବା ଜୟସ୍ୱାଲ ସେହି ମ୍ୟାଚ୍ରେ ୧୧୦ ରନ୍ର ଶତକୀୟ ଇନିଂସ ଖେଳିଥିଲେ। ତେଣୁ ନିଜ ଖେଳରେ ଅଧିକ ଦକ୍ଷତା ଯୋଡ଼ିବା ଲକ୍ଷ୍ୟରେ ସେ ୱିକେଟକିପିଂ ଅଭ୍ୟାସ କରୁଥାଇପାରନ୍ତି ବୋଲି ଆଲୋଚନା ହେଉଛି।
ଜୟସ୍ୱାଲଙ୍କ କ୍ରିକେଟ୍ କ୍ୟାରିୟର
୨୪ ବର୍ଷୀୟ ଯଶସ୍ୱୀ ଜୟସ୍ୱାଲ ଭାରତ ପାଇଁ ୩୧ଟି ଟେଷ୍ଟ, ୬ଟି ଦିନିକିଆ ଓ ୨୩ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଏହି ତିନୋଟି ଫର୍ମାଟ୍ରେ ସେ ଯଥାକ୍ରମେ ୨୬୧୨, ୨୮୫ ଓ ୭୨୩ ରନ୍ ସଂଗ୍ରହ କରିଛନ୍ତି। ଟେଷ୍ଟରେ ୭ଟି, ଦିନିକିଆରେ ୨ଟି ଓ ଟି-୨୦ରେ ଗୋଟିଏ ଶତକ ତାଙ୍କ ନାମରେ ରହିଛି।
ସେହିପରି ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ୫୩ଟି ମ୍ୟାଚ୍ର ୯୭ଟି ଇନିଂସରୁ ସେ ୪୯୬୮ ରନ୍ କରିଛନ୍ତି। ଏବେ ୱିକେଟକିପିଂ ଅଭ୍ୟାସ ତାଙ୍କ କ୍ରିକେଟ୍ କ୍ୟାରିୟରରେ କେତେ ଉପଯୋଗୀ ହେବ, ତାହା ଆଗାମୀ ଦିନରେ ଜଣାପଡ଼ିବ।

