ଘାଟିକିଆ ଓ ଗାଡ଼କଣଠାରେ ଦୁଇଟି ସୁଲଭ ଆବାସିକ ପ୍ରକଳ୍ପର ଲୋକାର୍ପିତ
ଗାଡ଼କଣଠାରେ ସୁଲଭ ଭଡ଼ା ଆବାସ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ
୧୨ଟି ଅତ୍ୟାଧୁନିକ ଖେଳପଡ଼ିଆ ଲୋକାର୍ପିତ
ଭୁବନେଶ୍ୱର, (ରିପୋର୍ଟର୍ସ ପେନ): ଆମେ ଏପରି ଏକ ଭୁବନେଶ୍ଵର ଗଢିବାକୁ ଚାହୁଁଛୁ, ଯେଉଁଠି ଗରିବ ପରିବାର ସମ୍ମାନର ସହ ରହି ପାରିବେ। ଶ୍ରମିକ ମାନେ ସୁଲଭ ଅବାସ ପାଇ ପାରିବେ, ଯୁବପିଢି ନିଜ ପ୍ରତିଭା ବିକଶିତ କରିପାରିବେ ଏବଂ ପ୍ରତ୍ୟେକ ନାଗରିକ ସୁସ୍ଥ ଓ ଉନ୍ନତ ଜୀବନଯାପନ କରିପାରିବେ । ଘାଟିକିଆ ଠାରେ ସୁଲଭ ଆବାସିକ ପ୍ରକଳ୍ପ ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି ।
ଘାଟିକିଆଠାରେ ‘ନୀଳକଣ୍ଠେଶ୍ୱର ନିବାସ’ ଏବଂ ଗାଡ଼କଣଠାରେ ‘ମୁକ୍ତେଶ୍ୱର ରେସିଡେନ୍ସି’ ନାମକ ଦୁଇଟି ସୁଲଭ ଆବାସିକ ପ୍ରକଳ୍ପ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି । ଗାଡ଼କଣରେ ୬ ଏକରରୁ ଅଧିକ ଜମି ଉପରେ ପ୍ରାୟ ୯୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ୬୮୦ଟି ଆବାସ ଗୃହ ଏବଂ ଘାଟିକିଆରେ ୫ ଏକରରୁ ଅଧିକ ଜମି ଉପରେ ୬୬ କୋଟି ୪୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୯୨୮ଟି ଆବାସ, ଅର୍ଥାତ୍ ମୋଟ ୧,୬୦୮ଟି ସୁଲଭ ଆବାସ ଲୋକାର୍ପିତ କରିଛନ୍ତି।ଏଥିସହିତ ବୁଦ୍ଧ ବିହାର, ନୀଳମାଧବ, ସୁବୁଦ୍ଧିପୁର ଓ ଶାନ୍ତିପଲ୍ଲୀଠାରେ ମଧ୍ୟ ୯୬୨ଟି ପରିବାରକୁ ଗୃହପ୍ରବେଶ କରାଯାଇଛି।
କେବଳ ଆବାସ ନୁହେଁ, ପିଲାମାନଙ୍କ କ୍ରୀଡ଼ା ପ୍ରତିଭା ବିକଶିତ କରିବା ଏବଂ ବରିଷ୍ଠ ନାଗରିକଙ୍କ ସୁସ୍ଥତା ପାଇଁ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ବିଡ଼ିଏ ଦ୍ଵାରା ସମ୍ପୂର୍ଣ୍ଣ ହୋଇଥିବା ୧୨ଟି ଅତ୍ୟାଧୁନିକ ଖେଳପଡ଼ିଆକୁ ମଧ୍ୟ ଲୋକଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଉତ୍ସର୍ଗ କରିଛନ୍ତି। ଏହି ଖେଳପଡ଼ିଆଗୁଡ଼ିକ ମଧ୍ୟରେ ବଜରଙ୍ଗୀ, କେ-୪, କୋଳଥିଆ, ତମାଣ୍ଡୋ, ନଖରା, ସିବିଏସ୍ଇ ଆଞ୍ଚଳିକ କାର୍ଯ୍ୟାଳୟ, ଯଦୁପୁର, ଡମଣା ହାଇସ୍କୁଲ, ୟୁନିଟ୍-୨ ବାଳିକା ଉଚ୍ଚ ବିଦ୍ୟାଳୟ, ଭୁବନେଶ୍ୱର ସେଣ୍ଟ୍ରାଲ ୟୁପି ସ୍କୁଲ, ଘାଟିକିଆ, ୟୁନିଟ୍-୮ ବାଳକ ଉଚ୍ଚ ବିଦ୍ୟାଳୟ ଏବଂ ସହିଦ ନଗର ହାଇସ୍କୁଲ ଖେଳପଡ଼ିଆ ଅନ୍ତର୍ଭୁକ୍ତ।
ସହରରେ ପ୍ରବାସୀ ଶ୍ରମିକ ଓ ନିମ୍ନ ଆୟବର୍ଗର ପରିବାରଙ୍କୁ ସୁଲଭ ଭଡ଼ାରେ ଘର ଯୋଗାଇ ଦେବା ପାଇଁ “PMAY -Urban BANDHU” ଯୋଜନା ଆରମ୍ଭ କରାଯାଇଥିବା କଥା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଗାଡ଼କଣଠାରେ ସୁଲଭ ଭଡ଼ା ଆବାସ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାଦ୍ୱାରା ଶ୍ରମିକମାନେ ନିଜ କାର୍ଯ୍ୟସ୍ଥଳୀ ନିକଟରେ କମ୍ ଭଡ଼ାରେ ରହିପାରିବେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘାଟିକିଆସ୍ଥିତ ‘ନୀଳକଣ୍ଠେଶ୍ୱର ରେସିଡେନ୍ସି’ର କେତେ ଜଣ ହିତାଧିକାରୀଙ୍କ ବାସଗୃହ ଆବଣ୍ଟନ କରିଛନ୍ତି। ଏହାସହିତ ମୁଖ୍ୟମନ୍ତ୍ରୀ ବୁଦ୍ଧବିହାର ବାସିନ୍ଦା ତୁଳସୀ ତିରିଆଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା, ଦୁର୍ଗା ଚରଣ ସିଂହଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା, ରଶ୍ମିକା ନାଏକଙ୍କୁ ୧ ଲକ୍ଷ ୩୫ ହଜାର ଟଙ୍କା, ସର୍ବେଶ୍ୱର ଗୟାଙ୍କୁ ୧ ଲକ୍ଷ ୨୫ ହଜାର ଟଙ୍କା ଏବଂ ପ୍ରଫୁଲ୍ଲ ମହାରଣାଙ୍କୁ ୧ ଲକ୍ଷ ୩୫ ହଜାର ଟଙ୍କାର ବ୍ୟାଙ୍କ ଋଣ ସହାୟତା ରାଶି ମଧ୍ୟ ନିଜ ହସ୍ତରେ ବିତରଣ କରିଛନ୍ତି ।
ଏହି ଅବସରରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡା କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ ଯେ, ଏହି ବାସଗୃହଗୁଡ଼ିକ ବସ୍ତି ବାସିନ୍ଦାମାନଙ୍କୁ ଏକ ନୂଆ ପରିଚୟ ପ୍ରଦାନ କରିବ | ସମସ୍ତ ବସ୍ତି ବାସିନ୍ଦାଙ୍କୁ ସୁନ୍ଦର ତଥା ସୁଲଭ ମୂଲ୍ୟରେ ବାସଗୃହ ଯୋଗାଇ ଦେବା ପାଇଁ ଆମ ମୁଖ୍ୟମନ୍ତ୍ରୀ ସ୍ୱପ୍ନ ଦେଖିଛନ୍ତି, ଯାହାଦ୍ୱାରା କେହି ବି ସେମାନଙ୍କର ଜୀବନଶୈଳୀ ଉପରେ ପ୍ରଶ୍ନ ଉଠାଇ ପାରିବେ ନାହିଁ।ଏକାମ୍ର-ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂ କହିଥିଲେ ଯେ, ଆପଣମାନଙ୍କର ସ୍ୱପ୍ନ ଖୁବ୍ଶୀଘ୍ର ପୂରଣ ହେଲା । ଭୁବନେଶ୍ୱରରେ ନିଜର ଏକ ଘରଟିଏ କରିବା ସମସ୍ତଙ୍କ ପାଇଁ ଏକ ବଡ଼ ସ୍ୱପ୍ନ ହୋଇଥାଏ, ତେଣୁ ଯେତେବେଳେ ଜଣେ ଗରିବ ଲୋକ ଭୁବନେଶ୍ୱରରେ ନିଜର ଘରଟିଏ ପାଇବ, ସେ ନିଶ୍ଚିତ ଭାବରେ ଅତ୍ୟନ୍ତ ଆନନ୍ଦିତ ହେବ ।
ଖୋର୍ଦ୍ଧା ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦେବ କହିଥିଲେ ଯେ, ସମସ୍ତଙ୍କୁ ଉତ୍ତମ ଖାଦ୍ୟ, ବାସଗୃହ ଓ ପୋଷାକ ଯୋଗାଇଦେବା ଆମର ମୂଳ ଲକ୍ଷ୍ୟ ଏବଂ ଏହା ପ୍ରତ୍ୟେକ ନାଗରିକଙ୍କର ଏକ ମୌଳିକ ଅଧିକାର । ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ କହିଥିଲେ ଯେ, ଭୁବନେଶ୍ୱରବାସୀଙ୍କ ପାଇଁ ଏହା ଅତ୍ୟନ୍ତ ଖୁସିର ମୁହୂର୍ତ୍ତ ଏବଂ ଆପଣ ସମସ୍ତଙ୍କ ପାଇଁ ଏହା ଏକ ପୂଜା ଭେଟି ଅଟେ । ବିଡିଏର ଭାଇସ୍ ଚେୟାରମ୍ୟାନ୍ ତଥା ଭୁବନେଶ୍ୱର ମହାନଗର ନିଗମ କମିଶନର୍ ଚଞ୍ଚଲ ରାଣା ସ୍ୱାଗତ ଭାଷଣ ଦେଇଥିଲେ । ବିଡିଏର ସଚିବ ମାନସ ରଞ୍ଜନ ପାଢ଼ୀ ଧନ୍ୟବାଦ୍ ଦେଇଥିଲେ।

