ଭୁବନେଶ୍ୱର, (ରିପୋର୍ଟର୍ସପେନ୍): ଦୁର୍ଗାପୂଜା ପାଇଁ ରାଜଧାନୀ ଭୁବନେଶ୍ୱର ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି । ବିଶେଷ କରି ଟ୍ରାଫିକ୍ ଭିଡ଼ ନିୟନ୍ତ୍ରଣ କରିବା ଲାଗି କମିଶନରେଟ ପୋଲିସ ଯୋଜନା ପ୍ରସ୍ତୁତ କରିସାରିଛି । ପୂଜାକୁ ଦୃଷ୍ଟିରେ ରଖି ଯାନବାହନଗୁଡ଼ିକର ସୁନିୟନ୍ତ୍ରିତ ଚଳାଚଳ, ଜନସାଧାରଣ ଓ ପଥଚାରୀଙ୍କ ସୁବିଧା ଉଦ୍ଦେଶ୍ୟରେ କମିଶନରେଟ୍ ପୋଲିସ ପକ୍ଷରୁ କଟକଣା ଜାରି କରାଯାଇଛି । ଅକ୍ଟୋବର ୧୬ରୁ ୨୧ ତାରିଖ ପର୍ଯ୍ୟନ୍ତ (୬ଦିନ) ଅପରାହ୍ନ ୨ଟାରୁ ରାତି ୨ଟା ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରାଯାଇଛି ।
ପୂଜା ୬ ଦିନରେ କୌଣସି ଭାରୀଯାନ ରାଜଧାନୀର ଗୁରୁତ୍ୱପୂର୍ଣ୍ଣ ରାସ୍ତା ଦେଇ ଯାଇପାରିବେ ନାହିଁ । ପୋଲିସ କଟକଣା ଅନୁଯାୟୀ- ରସୁଲଗଡ଼ ଛକଠାରୁ ଲିଙ୍ଗିପୁର ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା (ବମିଖାଲ, ଲକ୍ଷ୍ମୀସାଗର, କଳ୍ପନା, ରବି ଟକିଜ୍ ଏବଂ ସାମନ୍ତରାପୁର ଛକ ସଂଲଗ୍ନ ରାସ୍ତା) ଦେଇ କୌଣସି ଭାରୀଯାନ ଚଳାଚଳ କରିବା ଉପରେ କଟକଣା ଜାରି କରାଯାଇଛି ।
ସେହିପରି ବାଣୀବିହାର ଛକଠାରୁ ଶିଶୁଭବନ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା (ରୁପାଲି, ସତ୍ୟନଗର, ରାମ ମନ୍ଦିର, ମାଷ୍ଟର କ୍ୟାଣ୍ଟିନ ଏବଂ ରାଜମହଲ ଛକ ସଂଲଗ୍ନ ରାସ୍ତା) । ଆଚାର୍ଯ୍ୟ ବିହାର ଛକଠାରୁ କଳିଙ୍ଗ ହସ୍ପିଟାଲ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା (ସୈନିକ ସ୍କୁଲ ଛକ ସଂଲଗ୍ନ ରାସ୍ତା) । ଆଚାର୍ଯ୍ୟ ବିହାର ଛକଠାରୁ ନ୍ୟୁ ଏୟାରପୋର୍ଟ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା (ନିକୋ ପାର୍କ, ପଟେଲ ମାର୍ଗ, ହାଉସିଂ ବୋର୍ଡ, ରବୀନ୍ଦ୍ର ମଣ୍ଡପ ଏବଂ ଏଜି ଛକ ସଂଲଗ୍ନ ରାସ୍ତା)ରେ ମଧ୍ୟ କଟକଣା ଲଗାଯାଇଛି ।
ଏଥିସହିତ ଜୟଦେବ ବିହାର ଛକଠାରୁ ନନ୍ଦନକାନନ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା (ଜାଭିୟର, କଳିଙ୍ଗ ହସ୍ପିଟାଲ, ଡମଣା ଏବଂ ପଟିଆ ଛକ ସଂଲଗ୍ନ ରାସ୍ତା) । ଜୟଦେବ ବିହାର ଛକ ଠାରୁ ରାଜ ଭାବନ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା (ବେହେରା ସାହି ଛକ ଏବଂ ଶାସ୍ତ୍ରୀ ନଗର ଛକ ସଂଲଗ୍ନ ରାସ୍ତା) । ସିଆରପି ଛକଠାରୁ ପାୱାର ହାଉସ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା (ଷ୍ଟୁଆର୍ଟ ସ୍କୁଲ ଏବଂ ୟୁନିଟ୍ – ୮, ଡିଏଭି ସ୍କୁଲ ସଂଲଗ୍ନ ରାସ୍ତା)ରେ ମଧ୍ୟ କଟକଣା ଲଗାଯାଇଛି ।
ଫାୟାର ଟ୍ରେନିଂ ସ୍କୁଲ ଛକଠାରୁ ଶିଶୁଭବନ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା (ପାଇକନଗର, ଶିରିପୁର ଛକ ଏବଂ ଗଙ୍ଗନଗର ଛକ ସଂଲଗ୍ନ ରାସ୍ତା) । ଖଣ୍ଡଗିରି ଛକଠାରୁ ପୋଖରୀପୁଟ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା (ଜାଗମରା ଛକ ଏବଂ ଗଣ୍ଡମୁଣ୍ଡା ଛକ ସଂଲଗ୍ନ ରାସ୍ତା) ।
ଜାତୀୟ ରାଜପଥ -୧୬, ବରମୁଣ୍ଡା ଠାରୁ ପଳାସୁଣୀ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରେ ଥିବା ସର୍ଭିସ୍ ରୋଡ୍ । ଖୋର୍ଦ୍ଧା ପଟୁ କଟକ ଆଡ଼କୁ ଆସୁଥିବା ସମସ୍ତ ପ୍ରକାର ଭାରୀ ଯାନ ଗୁଡ଼ିକୁ ଭୁବନେଶ୍ୱର ଆଡ଼କୁ ଆସିବାକୁ ଦିଆଯିବ ନାହିଁ । ସେହି ଗାଡ଼ି ଗୁଡ଼ିକ ପିତାପଲି ଛକଠାରୁ ବାମପଟ ରାସ୍ତାରେ ଭାୟା ଚନ୍ଦକା-ବାରଙ୍ଗ ରାସ୍ତା ଦେଇ ବାଲିକୁଦା ଠାରେ ଜାତୀୟ ରାଜପଥ- ୧୬ରେ ମିଶିବେ ।
ସେହିପରି କଟକ ପଟୁ ଖୋର୍ଦ୍ଧା ଆଡ଼କୁ ଆସୁଥିବା ଭାରୀ ଯାନ ଗୁଡ଼ିକ ବାଲିକୁଦା ଛକ ଦେଇ ପିତାପଲ୍ଲୀ ଠାରେ ଜାତୀୟ ରାଜପଥ– ୧୬ରେ ମିଶିବେ । ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦେଖ୍ ଆବଶ୍ୟକ ପଡ଼ିଲେ ପିତାପଲ୍ଲୀ ଛକ ଓ ବିରୂପା ବ୍ରିଜ୍ ଠାରୁ ଭାରୀ ଯାନ ଗୁଡ଼ିକର ଚଳାଚଳ ନିଷେଧ କରାଯିବ ।
ନୟାପଲ୍ଲୀ ରାବଣ ପୋଡ଼ି ସମୟରେ ଜାତୀୟ ରାଜପଥ ୧୬ ଦେଇ କଟକ ପଟୁ ଆସୁଥିବା ସମସ୍ତ ଗାଡ଼ିଗୁଡ଼ିକ (ଭାରୀ ଯାନ ବ୍ୟତୀତ) ଜୟଦେବ ବିହାର ଠାରୁ ବାମପାର୍ଶ୍ୱ ରାସ୍ତା ଦେଇ ବେହେରା ସାହି, ଶାସ୍ତ୍ରୀ ନଗର, ପାୱାର ହାଉସ ଏବଂ ୟୁନିଟ- ୮, ଡିଏଭି ସ୍କୁଲ ଛକ ଦେଇ ସିଆରପି/ଫାୟାର ଷ୍ଟେସନ ଛକ ଆଡ଼କୁ ଯାଇପାରିବେ । ସେହିପରି ସମସ୍ତ ଗାଡିଗୁଡିକ ସିଆରପି ଛକଠାରୁ ଏକାମ୍ର କାନନ ରାସ୍ତା, ବିଜୁ ପଟ୍ଟନାୟକ କଲେଜ୍ ରାସ୍ତା ଦେଇ ଜୟଦେବ ବିହାର ଆଡ଼କୁ ଯିବେ ।
ସେହିପରି ଭୁବନେଶ୍ୱର ଦେଇ ଯାତାୟାତ କରୁଥିବା ବସ୍ ଗୁଡ଼ିକ ପାଇଁ ମଧ୍ୟ କଟକଣା ଜାରି ହୋଇଛି । ବସ୍ ଗୁଡ଼ିକ କିଛି ନିର୍ଦ୍ଦିଷ୍ଟ ରାସ୍ତା ଦେଇ ଯାଇପାରିବେ । ପୁରୀ ପଟୁ ବରମୁଣ୍ଡା ଆଡ଼କୁ ଆସୁଥିବା ବସ୍ ଗୁଡ଼ିକ ଲିଙ୍ଗିପୁର ଛକ ଠାରୁ ପାଣ୍ଡରା ଛକ ଓ ହାଇଟେକ୍ ଛକ ଦେଇ ବରମୁଣ୍ଡା ବସ ଷ୍ଟାଣ୍ଡକୁ ଯାଇପାରିବେ । ସେହିପରି ବରମୁଣ୍ଡା ପଟୁ ପୁରୀ ଆଡ଼କୁ ଯିବାକୁ ଚାହୁଁଥିବା ଗାଡ଼ିଗୁଡ଼ିକ ଏହି ରାସ୍ତାରେ ଯାଇପାରିବେ । କୌଣସି ପ୍ରକାର ବସ୍ ସହର ପ୍ରବେଶ କରିବାକୁ ଦିଆଯିବ ନାହିଁ ।
ସେହିପରି ପୁରୀ ପଟୁ କଟକ ଆଡ଼କୁ ଯିବାକୁ ଥିବା ସମସ୍ତ ବସ୍ ଗୁଡ଼ିକ ଲିଙ୍ଗିପୁର ଛକଠାରୁ ବାଇପାସ୍ ରୋଡରେ ଆସି ହାଇଟେକ୍ ଛକ ଠାରେ ଜାତୀୟ ରାଜପଥ ଦେଇ ଯାଇପାରିବେ । ସେହିପରି କଟକ ପଟୁ ପୁରୀ ଆଡକୁ ଯିବାକୁ ଚାହୁଁଥିବା ଗାଡ଼ିଗୁଡ଼ିକ ଉପରଲିଖିତ ରାସ୍ତା ଦେଇ ଲିଙ୍ଗିପୁର ଛକ ଦେଇ ଯାଇପାରିବେ । ମାଷ୍ଟର କ୍ୟାଣ୍ଟିନ୍ ବସ୍ ଷ୍ଟାଣ୍ଡରୁ କୌଣସି ସରକାରୀ କିମ୍ବା ବେସରକାରୀ ବସ୍ ବାଣୀ ବିହାର ଛକ କିମ୍ବା ରବି ଟକୀଜ୍ ଛକ ଆଡ଼କୁ ଯାଇପାରିବେ ନାହିଁ । ଉକ୍ତ ଗାଡ଼ି ଗୁଡ଼ିକ ରାମ ମନ୍ଦିର ଛକ, ହାଉସିଂ ବୋର୍ଡ ଛକ ଦେଇ ଆଚାର୍ଯ୍ୟ ବିହାର ଛକରେ ମିଶିବେ ।
ଲିଙ୍ଗରାଜ ମନ୍ଦିର ପଟୁ କୌଣସି ପ୍ରକାର ବସ୍ କଳ୍ପନା ଛକ ଆଡ଼କୁ ଯାଇପାରିବେ ନାହିଁ । ସେହି ବସ୍ ଗୁଡ଼ିକ ଗ୍ୟାରେଜ୍ ଛକ, ସାମନ୍ତରାପୁର ଦେଇ ଲିଙ୍ଗିପୁର ଆଡ଼କୁ ଯାଇପାରିବେ । ତେବେ ଏହି ନିୟମ ଉଲଂଘନକାରୀଙ୍କ ଠାରୁ ୫୦୦ ଟଙ୍କା କିମ୍ବା ସର୍ବାଧିକ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।

