ରାଜଧାନୀରେ ୪ଟି ରାସ୍ତାରେ ଭସାଣ ଉତ୍ସବ, ବିସର୍ଜନ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ

Reporterspen

ଭୁବନେଶ୍ୱର, (ରିପୋର୍ଟର୍ସପେନ୍‌): ରାଜଧାନୀରେ ଦୁର୍ଗା ମେଢ଼ ଭସାଣି ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କିଛି ନିର୍ଦ୍ଦିଷ୍ଟ ରାସ୍ତାରେ କଟକଣା ଲାଗୁ କରାଯାଇଛି । ଏନେଇ ପୋଲିସ ପକ୍ଷରୁ ଆଜି (ମଙ୍ଗଳବାର) ଟ୍ରାଫିକ୍ ନିର୍ଦ୍ଦେଶନାମା ଜାରି ହୋଇଛି । ଆସନ୍ତା ୨୨ ତାରିଖ (ଗୁରୁବାର) ସହରର ୪ଟି ରାସ୍ତାରେ ୪ଟି କମିଟି ଭସାଣ ଉତ୍ସବ ପାଳନ କରିବ ।

ରାଜଧାନୀରେ ମୁଖ୍ୟତଃ ଭୁବନେଶ୍ୱର ଭସାଣ ଉତ୍ସବ କମିଟି (ସହିଦନଗର), ରାଜଧାନୀ ମନ୍ଦିର ସୁରକ୍ଷା ଭସାଣି କମିଟି (ନୟାପଲ୍ଲୀ), ଉତ୍ତର ଭୁବନେଶ୍ୱର ଭସାଣି କମିଟି (ଚନ୍ଦ୍ରଶେଖରପୁର) ଓ ଓଲ୍ଡ ଟାଉନ ଭସାଣି କମିଟି ରହିଛି । ଏହି କମିଟି ସହରର ପ୍ରମୁଖ ୪ଟି ରାସ୍ତାରେ ଭସାଣୀ ଶୋଭାଯାତ୍ରା ଆୟୋଜନ କରିବେ । ଏଥିପାଇଁ ୨୨ ତାରିଖ ଅପରାହ୍ନ ୨ଟା ଠାରୁ ରାତି ୧ଟା ଯାଏ କଟକଣା ବଳବତ୍ତର ରହିବ ପୋଲିସ ପକ୍ଷରୁ ବୋଲି କୁହାଯାଇଛି ।

ସହିଦନଗର ଭସାଣି କମିଟିର ମେଢ଼ଗୁଡ଼ିକ ସହିଦନଗରରେ ଏକତ୍ରିତ ହୋଇ ସେଠାରୁ ରାଜମହଲ ଛକ ଭାୟା ରାମ ମନ୍ଦିର ଛକ, ମାଷ୍ଟର କ୍ୟାଣ୍ଟିନ୍ ଛକ ହୋଇ ଯିବ । ଏତିକିବେଳେ କୌଣସି ଗାଡ଼ି ଜନପଥରେ ଯାଇପାରିବ ନାହିଁ । ଉକ୍ତ ଗାଡ଼ିଗୁଡିକ ସଚିବାଳୟ ମାର୍ଗ ଓ ଏହାର ସଂଲଗ୍ନ ରାସ୍ତା ଦେଇ ଯାଇପାରିବ ।

ନୟାପଲ୍ଲୀ ଭସାଣି କମିଟିର ସବୁ ମେଢ଼ ନୟାପଲ୍ଲୀରେ ଏକତ୍ରିତ ହୋଇ ସେଠାରୁ ସୁର କମ୍ପାନୀ ଛକ ଭାୟା ନୟାପଲ୍ଲୀ ଅଣ୍ଡରପାସ୍‌, ସିଆରପି ଛକ, ଡିଏଭି ଛକ ଡାହାଣ ମୋଡ଼ ନେଇ ଗୋପବନ୍ଧୁ ଛକ, ଶିରିପୁର ଛକ ହୋଇ ଯିବ । ଏହି ସମୟରେ ସିଆରପି ଛକ ପାର୍ଶ୍ୱରୁ ଜୟଦେବ ବିହାର ଆଡ଼କୁ ଯିବାକୁ ଚାହୁଁଥିବା ଗାଡ଼ିଗୁଡ଼ିକ ସିଆରପି ଛକରୁ ଏକାମ୍ର ପାର୍କ ରାସ୍ତା ଦେଇ ଯିବ । ଏହି ସମୟରେ ଷ୍ଟୁଆର୍ଟ ସ୍କୁଲ୍ ରାସ୍ତା, ୟୁନିଟ୍‌-୮ ରାସ୍ତା, ଓୟୁଏଟି ଛକ, ନିୟୁ ଏୟାରପୋର୍ଟ ରାସ୍ତାରେ ଯାଉଥିବା ଗାଡ଼ିଗୁଡ଼ିକ ଏହାର ସଂଲଗ୍ନ ରାସ୍ତା ଦେଇ ଯିବ ।

ଚନ୍ଦ୍ରଶେଖରପୁର ଭସାଣି କମିଟିର ସବୁ ମେଢ କ୍ଲବ ଟାଉନ ଆପାର୍ଟମେଣ୍ଟ ପଡ଼ିଆରେ ଏକତ୍ରିତ ହୋଇ ସେଠାରୁ ନାଲ୍‌କୋ ଛକ ହୋଇଯିବ । ଶୋଭାଯାତ୍ରା ବେଳେ ନନ୍ଦନକାନନ ପଟୁ ଜୟଦେବ ବିହାର ଛକ ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ କିଟ୍ କିମ୍ବା କଳାରାହାଙ୍ଗ ଛକଠାରେ ଥିବା ସଂଲଗ୍ନ ରାସ୍ତା ଦେଇ ଯିବ । ଶୋଭାଯାତ୍ରା ବେଳେ ଖୋର୍ଦ୍ଧାରୁ ଭୁବନେଶ୍ୱର ଆସୁଥିବା ଭାରିଯାନ ବସ୍ ଗୁଡ଼ିକ ସର୍ଭିସ୍ ରୋଡରେ ଚଳାଚଳ କରିପାରିବ ନାହିଁ । ସେହି ଗାଡ଼ିଗୁଡ଼ିକ କେବଳ ଏନ୍‌ଏଚରେ ଯିବ । ଏହାଛଡ଼ା ଭୁବନେଶ୍ୱର ସହରର ବିଭିନ୍ନ ରାସ୍ତାରେ ଅନ୍ୟ ପୂଜା କମିଟିମାନଙ୍କ ଦ୍ୱାରା ବ୍ୟକ୍ତିଗତ ବିସର୍ଜନ ଶୋଭାଯାତ୍ରା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

ଏହି ନିୟମ ଉଲଂଘନକାରୀଙ୍କୁ ଓଡ଼ିଶା ଅର୍ବାନ ପୋଲିସ ଆକ୍ଟ-୨୦୦୩ ଧାରା ଅନୁଯାୟୀ ଜରିମାନା ଆଦାୟ କରାଯିବ । ଅପରପକ୍ଷରେ ପ୍ରଶାସନ ପକ୍ଷରୁ ବିସର୍ଜନ ପାଇଁ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ବ୍ୟବସ୍ଥା କରାଯାଇଛି । କୁଆଖାଇ ନଦୀ ନିକଟରେ ଦୁଇଟି ସ୍ଥାନ (ପଳାଶୁଣୀ ଏବଂ ହଂସପାଳ), ଲିଙ୍ଗିପୁର ପୁରୀ ରାସ୍ତାରେ ଦୟା ନଦୀ ନିକଟ, କୁଆଖାଇ ନଦୀ ନିକଟରେ, ବାସୁଆଘାଇ, ଟଙ୍କପାଣିରୋଡ୍‌, ସେଞ୍ଚୁରିଆନ ନିକଟରେ ଜେଏମସି, ଜଟଣୀ ଅଧୀନରେ କିଟସ କ୍ୟାମ୍ପସ ପାଶ୍ୱର୍, ଚନ୍ଦକା ଗ୍ରାମ ପଞ୍ଚାୟତ ଦ୍ୱାରା ଅସ୍ଥାୟୀ ସ୍ଥାନ ନିଟ୍‌ସ ନିକଟରେ, କୁଶଭଦ୍ରା ନଦୀ ଏବଂ ବାଲିପାଟଣା ପିଏସ୍ ଏବଂ ଭିଙ୍ଗାରପୁର ପଞ୍ଚାୟତ ଅନ୍ତର୍ଗତ ଅନ୍ୟାନ୍ୟ ଅସ୍ଥାୟୀ ସ୍ଥାନ କେନାଲ ପାର୍ଶ୍ୱ ନିକଟରେ ରାମଚନ୍ଦ୍ରପୁରର ଅସ୍ଥାୟୀ ପୁଷ୍କରିଣୀ ନିର୍ମାଣ କରାଯାଇଛି । ଏହି ସ୍ଥାନରେ ବିସର୍ଜନ କରିବାକୁ ପୂଜା କମିଟିକୁ ଅନୁରୋଧ କରାଯାଇଛି ।


Reporterspen