ଭୁବନେଶ୍ୱର, (ରିପୋର୍ଟର୍ସପେନ୍): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ୪୮ ତମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ୧୧ଟି ବିଭାଗର ୧୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି l
ବୈଠକରେ ମତ୍ସ୍ୟ ଓ ପ୍ରାଣୀପାଳନ ବିଭାଗର ୨ଟି, ଶିଳ୍ପ ବିଭାଗର ୧ଟି, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ୧ଟି, ଅର୍ଥ ବିଭାଗର ୧ଟି, ଇଲେକ୍ଟ୍ରୋନିକ ଓ ଆଇଟି ବିଭାଗର ୧ଟି, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ୧ଟି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୧ଟି, ଜଳ ସମ୍ପଦ ବିଭାଗର ୩ଟି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୩ଟି, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ୧ଟି ଏବଂ ଗୋଟିଏ ପ୍ରସ୍ତାବ ସପ୍ତଦଶ ଓଡ଼ିଶା ବିଧାନସଭାର ସପ୍ତମ ଅଧିବେଶନର ସତ୍ରାବସାନ (ସଂସଦୀୟ ବ୍ୟାପାର)ସମ୍ପର୍କିତ ରହିଥିଲା
କ୍ୟାବିନେଟ ନିଷ୍ପତ୍ତି ଅନୁସାରେ Level-II (ABEO) ର ବରିଷ୍ଠତା ଏଣିକି Level-III ର ଚାକିରି ଅବଧି ଆଧାରରେ ନୁହେଁ। ପୁରୁଣା ନିୟମ ଯୋଗୁଁ ଜୁନିୟର ଶିକ୍ଷକ ସିନିୟର ଠାରୁ ଉପରକୁ ଚାଲି ଯାଉଥିଲେ। ଏଣିକି ବରିଷ୍ଠତା ତାଲିକାର ପୋଜିସନ ଅନୁସାରେ ନିର୍ଦ୍ଧାରଣ ହେବ। ସେହିପରି ଶିଳ୍ପ ପୁନର୍ଗଠନ ପାଇଁ ଷ୍ଟାମ୍ପ ଡ୍ୟୁଟି ସୀମା ନିର୍ଦ୍ଧାରଣକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। କମ୍ପାନୀ ମିଶ୍ରଣ, ପୁନର୍ଗଠନ, ଡି-ମର୍ଜର ଏବଂ ବୁଝାମଣା ସମୟରେ ଷ୍ଟାମ୍ପ ଡ୍ୟୁଟି କମ୍ ହେବ। ଜଳ ସମ୍ପଦ ବିଭାଗରେ ଡିପ୍ଲୋମା ଇଞ୍ଜିନିୟର କ୍ୟାଡର ପୁନର୍ଗଠନକୁ ଅନୁମୋଦନ କରାଯାଇଛି ।
ସେହିପରି ବଲାଙ୍ଗିର ଜିଲ୍ଲା ତୁସ୍ତାପାଲି ଗାଁରେ In-Stream Water Storage ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ପ୍ରକଳ୍ପ ପାଇଁ ୧୦୫ କୋଟି ୬୨ ଲକ୍ଷ ୩୩ ହଜାର ଟଙ୍କାର ଟେଣ୍ଡର ଅନୁମୋଦନ ହେବ । ତେଲ ନଦୀର ଶାଖା ଲାନ୍ଥ ନଦୀ ଉପରେ ନିର୍ମାଣ ହେବ। ୩୦ ମାସରେ କାମ ସରିବ।ସଇଁତଳା ବ୍ଲକର ୧୨ ଟି ମରୁଡି ପ୍ରବଣ ଗାଁକୁ ବର୍ଷ ସାରା ପିଇବା ପାଣି ଯୋଗାଣ ହେବ।
ମାଧ୍ୟମିକ ଶିକ୍ଷକ ନିଯୁକ୍ତି ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ରାଜ୍ୟସ୍ତରୀୟ ସମାନ କ୍ୟାଡର ବ୍ୟବସ୍ଥା ହେବ, ପ୍ରମୋସନ ସୁବିଧା ବଢିବ। ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କୁ ଷ୍ଟେଟ୍ କ୍ୟାଡର ମାନ୍ୟତା ମିଳିବ। ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ମାଧ୍ୟମିକ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟ ପୁସ୍ତକ ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ ମିଳିଚି। Supply of Free Textbooks ଯୋଜନାରେ SC/ST ବ୍ୟତୀତ ଅନ୍ୟ ବର୍ଗର ପିଲାଙ୍କୁ ମିଳିବ ମାଗଣା ବହି। ରାଜ୍ୟର ସମସ୍ତ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ଏହି ଯୋଜନା ଲାଗୁ ହେବ।
ଦକ୍ଷତା ବିକାଶ ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ସେହିପରି ପୁରୀ ଜିଲ୍ଲା ଅସ୍ତରଙ୍ଗ (ନୂଆଗଡ଼)ରେ ଫିସିଂ ହାର୍ବର ଷ୍ଟେଜ-II ନିର୍ମାଣକୁ ଅନୁମୋଦନ କରାଯାଇଛି। ସେହିପରି କେନ୍ଦୁଝରରେ ହେବ ବଡ଼ ଡାଟା ସେଣ୍ଟର । ଏଥିପାଇଁ ଖର୍ଚ୍ଚ ହେବ ୧୭୬ କୋଟି ୮୩ ଲକ୍ଷ ଟଙ୍କା । ୯ ମାସରେ ନିର୍ମାଣ ଶେଷ ହେବ। ମତ୍ସ୍ୟ ବିଭାଗରେ ବଡ଼ ପୁନର୍ଗଠନ କରାଯାଇଛି। Odisha Subordinate Fisheries Service Cadre କୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ସହରାଞ୍ଚଳ ଜଳ ନିଷ୍କାସନ ପରିଚାଳନା ପାଇଁ ୫୦୦ କୋଟି ଟଙ୍କା ଏବଂ କଟକ ମହାନଦୀ ୱାଟରଫ୍ରଣ୍ଟର ସମନ୍ୱିତ ବିକାଶ ପାଇଁ ଟେଣ୍ଡରକୁ ଅନୁମୋଦନ ମିଳିଛି।

