ଭୁବନେଶ୍ୱର, (ରିପୋର୍ଟର୍ସ ପେନ): ବାତ୍ୟା ଅର୍ଣ୍ଣବ ମୁକାବିଲା କରିବାରେ ମହାପ୍ରଭୃଙ୍କ କୃପାରୁ ଜିରୋ କାଜୁଆଲ ଲକ୍ଷ୍ୟ ହାସଲରେ ଆମେ ସଫଳ ହୋଇଛୁ । ବର୍ତ୍ତମାନ ସୁଦ୍ଧା କୌଣସି ଜୀବନ ହାନୀର ସୂଚନା ନାହିଁ । ସ୍ୱତନ୍ତ୍ର ରିଲଫ୍ କମିଶନରଙ୍କ କଣ୍ଟୋଲ୍ ରୁମ୍ରେ ବାତ୍ୟା ‘ଅର୍ଣ୍ଣବ’ ପରିଚାଳନାର ସମୀକ୍ଷା କରିବା ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।
ମୁଖ୍ୟମନ୍ତ୍ରୀ SRCଙ୍କ କଣ୍ଟ୍ରୋଲ୍ ରୁମ୍ରେ ବାତ୍ୟା ଅର୍ଣ୍ଣବ’ର ସ୍ଥିତି ଓ ଓଡ଼ିଶା ଉପରେ ଏହାର ପ୍ରଭାବ ସମ୍ପର୍କରେ ଅନୁଧ୍ୟାନ କରିଥିଲେ । SRC, ରାଜେଶ ପ୍ରଭାକର ପାଟିଲ ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କରେ ସବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ବାତ୍ୟା ପରିଚାଳନା ଓ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ । ବିଭିନ୍ନ ଜିଲ୍ଲାରେ ତଦାରଖ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ସହିତ ସେଠାକାର ପରିସ୍ଥିତି ଓ ପରିଚାଳନା ବିଷୟରେ ପଚାରି ବୁଝିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ୧୭ଟି ବ୍ଲକ୍ରେ ୧୦୫ ମିଲିମିଟରରୁ ଅଧିକ ବର୍ଷା ହୋଇଛି । କୋରାପୁଟର ପଟାଙ୍ଗୀରେ ସର୍ବାଧିକ ୧୮୮ ମିଲିମିଟର ଓ ଗଜପତିର ମୋହନାରେ ୧୮୨.୪ ମିଲିମିଟର ବର୍ଷା ହୋଇଛି । ତେବେ ଗଜପତି ଜିଲ୍ଲା ବର୍ଷା ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ବର୍ତ୍ତମାନ ସୁଦ୍ଧା ପ୍ରଭାବିତ ୮ଟି ଜିଲ୍ଲାର ୬୩୪ଟି ଆଶ୍ରୟ ସ୍ଥଳୀରେ ୪୩, ୮୨୭ ଲୋକଙ୍କୁ ସୁରକ୍ଷିତ ରଖାଯାଇଛି। ଏହି ଜିଲ୍ଲା ଗୁଡିକ ହେଲା ମାଲାକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଞ୍ଜାମ, ଗଜପତି ଓ ନୂଆପଡା।ଏହି ସମୟରେ ୨,୨୪୫ ଜଣ ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି ଏବଂ ୯୩୧ ଜଣ ଶିଶୁ ସୁରକ୍ଷିତ ଭାବେ ଜନ୍ମ ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରୁ ଫେରାଇ ଆଣିବା ପାଇଁ ପଦକ୍ଷେପ ନିଆଯାଇଥିଲା । ଗଞ୍ଜାମରୁ ବାଲେଶ୍ୱର ପର୍ଯ୍ୟନ୍ତ ସମୁଦ୍ର ତଟରୁ ମତ୍ସ୍ୟଜୀବୀ ମାନେ ୧୯, ୧୪୩ଟି ବୋଟ୍ରେ ସମୁଦ୍ରକୁ ଯାଇଥିଲେ, ସେମାନେ ସମସ୍ତେ କୂଳକୁ ଆସିଛନ୍ତି । ସେମାନଙ୍କୁ ଫେରାଇ ଆଣିବାରେ ଆମେ ଶତ-ପ୍ରତିଶତ ସଫଳ ହୋଇଛୁ ବୋଲି ସେ କହିଥିଲେ ।
ବର୍ତ୍ତମାନ ମଧ୍ୟ ଆମେ ପରିସ୍ଥିତି ଉପରେ ନଜର ରଖିଛୁ । ବର୍ଷା ଯୋଗୁ ବିଭିନ୍ନ ଜିଲ୍ଲାରେ ତଳିଆ ଅଞ୍ଚଳରେ ପାଣିଘେର ସମସ୍ୟା ଦେଖା ଯିବାର ସମ୍ଭାବନା ରହିଛି । ସେଥିପାଇଁ ବ୍ୟାପକ ପମ୍ପ୍ ବନ୍ଦୋବସ୍ତ କରି ଜଳ ନିଷ୍କାସନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ଏହି ସମୀକ୍ଷାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢୀ ଏବଂ SRCଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

