୪୪୨ ଅସ୍ଥାୟୀ ବାଣ ଦୋକାନକୁ ମିଳିଲା ଲାଇସେନ୍ସ
ବେଆଇନ ବାଣ ବିକ୍ରି ରୋକିବାକୁ ୨ଟି ସ୍ୱତନ୍ତ୍ର ଟିମ୍ ଗଠନ
୮ଟି ମାମଲା ରୁଜୁ; ୧୫ ଲକ୍ଷ ଟଙ୍କାର ବାଣ ଜବତ
ଭୁବନେଶ୍ୱର, (ରିପୋର୍ଟର୍ସ ପେନ): ଦୀପାବଳି-୨୦୨୬କୁ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ଭାବେ ପାଳନ କରିବା ପାଇଁ ଭୁବନେଶ୍ୱର ଅର୍ବାନ ପୋଲିସ ଜିଲ୍ଲା (ୟୁପିଡି) ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଅସ୍ଥାୟୀ ବାଣ ଦୋକାନଗୁଡ଼ିକର ଆବଶ୍ୟକ ଯାଞ୍ଚ ପରେ ଲାଇସେନ୍ସ ପ୍ରଦାନ କରାଯାଇଛି । ନଭେମ୍ବର ୬ ତାରିଖ ସୁଦ୍ଧା ଭୁବନେଶ୍ୱର ୟୁପିଡି ଅଞ୍ଚଳରେ ମୋଟ ୪୪୨ଟି ଅସ୍ଥାୟୀ ବାଣ ଦୋକାନକୁ ଲାଇସେନ୍ସ ମିଳିଛି ।
ଏଥିମଧ୍ୟରେ ଜଟଣୀରେ ସର୍ବାଧିକ ୧୨୧ଟି ଦୋକାନକୁ ଲାଇସେନ୍ସ ମିଳିଥିବା ବେଳେ ଖଣ୍ଡଗିରିରେ ୭୫, ବାଲିଅନ୍ତାରେ ୪୮, ଚନ୍ଦ୍ରଶେଖରପୁରରେ ୪୬, ଇନ୍ଫୋଭ୍ୟାଲିରେ ୪୨, ମଞ୍ଚେଶ୍ୱରରେ ୨୭, ବଡ଼ଗଡ଼ରେ ୨୦, ନୟାପଲ୍ଲୀରେ ୧୮, ପାହାଳରେ ୧୦, ତମାଣ୍ଡୋରେ ୯, ଏୟାରଫିଲ୍ଡରେ ୮, ଧଉଳିରେ ୮, ନନ୍ଦନକାନନରେ ୬ ଏବଂ ଚନ୍ଦକାରେ ୪ଟି ଦୋକାନ ରହିଛି ।
ବେଆଇନ ବାଣ ବିକ୍ରି, ନିଷିଦ୍ଧ ଉଚ୍ଚ ଶବ୍ଦଯୁକ୍ତ ଓ ବିଦେଶୀ ବାଣର ବ୍ୟବହାର ରୋକିବା ପାଇଁ ଡିସିପିଙ୍କ ନିର୍ଦ୍ଦେଶରେ ନଭେମ୍ବର ୪ରୁ ୮ ତାରିଖ ପର୍ଯ୍ୟନ୍ତ ଦୁଇଟି ସ୍ୱତନ୍ତ୍ର ଯାଞ୍ଚ ଟିମ୍ ଗଠନ କରାଯାଇଛି ।
ପ୍ରଥମ ଟିମ୍ର ନେତୃତ୍ୱ ନେଉଛନ୍ତି ଏସିପି ମୁଖ୍ୟାଳୟ ଶରତ ଚନ୍ଦ୍ର ପାତ୍ର । ଏହି ଟିମ୍ରେ ପୋଲିସ ପକ୍ଷରୁ ଇନ୍ସପେକ୍ଟର ଜ୍ୟୋତି ପ୍ରକାଶ ସାହୁ ଓ ଏସ୍ଆଇ ପି.କେ. ମହଲା ଏବଂ ଅଗ୍ନିଶମ ବିଭାଗରୁ ବିଷ୍ଣୁ ନାରାୟଣ ସେନାପତି ଓ ପ୍ରମୋଦ କୁମାର ସ୍ୱାଇଁ ସାମିଲ ଅଛନ୍ତି । ଏହି ଟିମ୍ କ୍ୟାପିଟାଲ, ଖାରବେଳନଗର, ଶ୍ରୀଲିଙ୍ଗରାଜ, ଏୟାରପୋର୍ଟ, ଏୟାରଫିଲ୍ଡ, ଧଉଳି, ଲକ୍ଷ୍ମୀସାଗର ଓ ବଡ଼ଗଡ଼ ଅଞ୍ଚଳରେ ଯାଞ୍ଚ କରିବ ।
ସେହିପରି ଦ୍ୱିତୀୟ ଟିମ୍ର ନେତୃତ୍ୱ ନେଉଛନ୍ତି ଏସିପି ମୁଖ୍ୟାଳୟ ମମତା ନାୟକ । ଏହି ଟିମ୍?ରେ ଇନ୍ସପେକ୍ଟର ଡି. ବଳିଆରସିଂହ, ଏସ୍ଆଇ ଏ.କେ. ସି ଏବଂ ଅଗ୍ନିଶମ ବିଭାଗର ସୌମ୍ୟରଞ୍ଜନ ମଲ୍ଲିକ, ପ୍ରଶାନ୍ତ କୁମାର ନାୟକ ଓ ନାଗେନ୍ଦ୍ର ଭୋଳ ସାମିଲ ଅଛନ୍ତି । ଏହି ଟିମ୍ ଜଟଣୀ, ଇନ୍ଫୋଭ୍ୟାଲି, ଖଣ୍ଡଗିରି, ତମାଣ୍ଡୋ, ମଞ୍ଚେଶ୍ୱର, ନୟାପଲ୍ଲୀ, ସହିଦନଗର, ଚନ୍ଦ୍ରଶେଖରପୁର, ଇନ୍ଫୋସିଟି, ନନ୍ଦନକାନନ, ଚନ୍ଦକା, ପାହାଳ, ବାଲିଅନ୍ତା ଓ ବାଲିପାଟଣା ଅଞ୍ଚଳରେ ଯାଞ୍ଚ କରିବ ।
ଉଭୟ ଟିମ୍ ବାଣ ଦୋକାନର ଲାଇସେନ୍ସ ବୈଧତା, ଅଗ୍ନି ନିରାପତ୍ତା ବ୍ୟବସ୍ଥା ଓ ବାଣର ଉତ୍ସ ଯାଞ୍ଚ କରୁଛନ୍ତି । ଏଥିସହ ବେଆଇନ ଓ ବିଦେଶୀ ବାଣ ଜବତ କରାଯାଉଛି ।
୧୫ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ
ବେଆଇନ ବାଣ ବିକ୍ରି ଓ ଗଚ୍ଛିତ ରଖିବା ବିରୋଧରେ ଅକ୍ଟୋବର ୨୦ରୁ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ଚାଲିଥିବା ସ୍ୱତନ୍ତ୍ର ଅଭିଯାନରେ ଭୁବନେଶ୍ୱର ୟୁପିଡି ଅଞ୍ଚଳରେ ମୋଟ ୮ଟି ମାମଲା ରୁଜୁ ହୋଇଛି । ଏଥିମଧ୍ୟରୁ ବାଲିଅନ୍ତା ଥାନାରେ ୨ଟି ଏବଂ ଏୟାରଫିଲ୍ଡ, ବାଲିପାଟଣା, କ୍ୟାପିଟାଲ, ଜଟଣୀ, ନନ୍ଦନକାନନ ଓ ମଞ୍ଚେଶ୍ୱର ଥାନାରେ ଗୋଟିଏ ଲେଖାଏଁ ମାମଲା ରୁଜୁ ହୋଇଛି । ଏହି ମାମଲାଗୁଡ଼ିକରେ ପ୍ରାୟ ୧୫ ଲକ୍ଷ ଟଙ୍କା ମୂଲ୍ୟର ବେଆଇନ ବାଣ ଜବତ କରାଯାଇଛି । ଅଭିଯୁକ୍ତଙ୍କ ବିରୋଧରେ ବିସ୍ଫୋରକ ଆଇନ ଓ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍) ଅନୁଯାୟୀ ଆଇନଗତ ପଦକ୍ଷେପ ନିଆଯାଉଛି ।
ଦୀପାବଳି ରାତିରେ ୨୭ ସେକ୍ସନ ଫୋର୍ସ ମୁତୟନ
ନଭେମ୍ବର ୮ ତାରିଖ ଦୀପାବଳି ଦିନ ଆଇନଶୃଙ୍ଖଳା ରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱରର ସମସ୍ତ ୨୪ଟି ଥାନା ଅଞ୍ଚଳରେ ମୋଟ ୨୭ ସେକ୍ସନ ଫୋର୍ସ ମୁତୟନ ହେବେ । ଏଥିସହ ୧୪ଟି ପ୍ରମୁଖ ଛକରେ ସ୍ଥାୟୀ ପୋଲିସ ମୁତୟନ ସହ ମୋବାଇଲ ପାଟ୍ରୋଲିଂ ଓ ପିସିଆର୍ ଟିମ୍ର ଗାଡ଼ି ପଇଁତରାକୁ ଜୋରଦାର କରାଯିବ । ଅତିରିକ୍ତ ଡିସିପି କଣ୍ଟ୍ରୋଲ ରୁମ୍ ଏହାର ତଦାରଖ କରିବ । ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ରିଜର୍ଭ ଅଫିସରେ ଷ୍ଟ୍ରାଇକିଂ ଫୋର୍ସକୁ ପ୍ରସ୍ତୁତ ରଖାଯାଇଛି ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସନ୍ଧ୍ୟା ୭ଟାରୁ ରାତି ୯ଟା ମଧ୍ୟରେ କେବଳ ବାଣ ଫୁଟାଇବାକୁ ପୋଲିସ ପକ୍ଷରୁ ସମସ୍ତ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ନିରବ ଅଞ୍ଚଳ ବା ସାଇଲେନ୍ସ ଜୋନ୍ରେ ବାଣ ଫୁଟାଇବା ଉପରେ ମଧ୍ୟ କଟକଣା ଲାଗୁ ହେବ ।
ଭୁବନେଶ୍ୱର ପୋଲିସ ପକ୍ଷରୁ ନାଗରିକମାନଙ୍କୁ କେବଳ ଲାଇସେନ୍ସପ୍ରାପ୍ତ ଦୋକାନରୁ ବାଣ କିଣିବା, କେବଳ ପରିବେଶ ଅନୁକୂଳ ସବୁଜ ବାଣ ବ୍ୟବହାର କରିବା ଏବଂ ନିଷିଦ୍ଧ ବାଣର ବିକ୍ରି କିମ୍ବା ବ୍ୟବହାର ସମ୍ପର୍କରେ ଜାଣିବା ମାତ୍ରେ ୧୧୨ ନମ୍ବରକୁ ଫୋନ୍ କରି ଜଣାଇବାକୁ ଅନୁରୋଧ କରାଯାଇଛି ।

