ନାଟକ ରଚି ଖସିଯିବାକୁ ବସିଥିଲେ ଅଭିଯୁକ୍ତ, ସମସ୍ତେ ଗିରଫ, ବନ୍ଧୁକ ଜବତ
ଭୁବନେଶ୍ୱର, (ରିପୋର୍ଟର୍ସ ପେନ): ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ଗୁଳିମାଡ ଘଟଣାର ରହସ୍ୟ ଖୋଲିଛି । ଶିଶୁଭବନ ଓଭରବ୍ରିଜ ନୁହେଁ ବରଂ ଶିଶୁପାଳଗଡର ଏକ ଅଫିସ ଭିତରେ ଗୁଳିକାଣ୍ଡ ଘଟିଥିଲା । ମାଉଜର କିଣିବା ଖୁସିରେ ସାଙ୍ଗମାନେ ପାର୍ଟି ମନାଉଥିବା ବେଳେ ଅସାବଧାନତା ଯୋଗୁଁ ଗୁଳିଫୁଟି ତପୁ ନାଏକର ଛାତିରେ ବାଜିବାରୁ ତାର ମୃତ୍ୟୁ ଘଟିଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି । ଏହି ଘଟଣାରେ ଧଉଳିଥାନା ପୋଲିସ ସମସ୍ତ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ଼ ଜିଲ୍ଲା ରଣପୁର ଥାନା ନବଘନପୁରର ଉମେଶ କୁମାର ପଟ୍ଟନାୟକ (୩୦), ଧଉଳି ଥାନା ଶିଶୁପାଳଗଡ଼ ଜେନାସାହିର ବିଷ୍ଣୁପ୍ରସାଦ ସାମନ୍ତରାୟ ଓରଫ ପିକୁନ (୨୩), ନୟାଗଡ଼ ଜିଲ୍ଲା ଇଟାମାଟି ଥାନା କେନ୍ଦୁଟିପିର ରତ୍ନାକର ସାହୁ ଓରଫ ବାବୁଲ (୨୩), ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ପଥରଦ୍ୱାରର ଆଲୋକ ଜେନା (୩୦), ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ମଲ୍ଲିକପୁରର ମାନସ ସ୍ୱାଇଁ (୩୯), ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ବିଶ୍ୱାଳପଡ଼ାର ଅକ୍ଷୟ ପ୍ରଧାନ (୩୬), କଟକ ଜିଲ୍ଲା ବଡ଼ମ୍ବା ଥାନା ରତାପାଟର କଳିଙ୍ଗ କେଶରୀ ପାତ୍ର (୨୩) ଏବଂ ଶିଶୁପାଳଗଡ଼ ନବଜ୍ୟୋତି କଲେଜ ନିକଟ ଟଇଲସାହିର ଚିତ୍ରସେନ ଗଜେନ୍ଦ୍ର (୩୨) ।
ପୋଲିସ ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ ୭.୬୫ ଏମ୍ଏମ୍ ପିସ୍ତଲ, ଗୋଟିଏ ଜୀବନ୍ତ ଗୁଳି, ଗୋଟିଏ ଖୋକା, ବିଭିନ୍ନ ଜୈବିକ ଓ ଭୌତିକ ପ୍ରମାଣ ସାମଗ୍ରୀ ଏବଂ ଓଡି-୦୨-ସିଭି-୪୬୩୩ ନମ୍ବର ବିଶିଷ୍ଟ ଗୋଟିଏ ସୁଜୁକି ଆକ୍ସେସ୍ ସ୍କୁଟର ଜବତ କରିଛି । ଏହି ଘଟଣାରେ ମୃତକ ତପୁ ନାୟକଙ୍କ ପତ୍ନୀ ମାନସୀ ନାୟକ (୨୪)ଙ୍କ ଲିଖିତ ଅଭିଯୋଗ ଆଧାରରେ ଧଉଳି ଥାନାରେ କେସ୍ ନଂ ୩୦୫, ତାରିଖ ୦୫.୧୧.୨୦୨୬ ରୁଜୁ ହୋଇଛି । ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୩(୧)/୩(୫), ଆର୍ମସ୍ ଆକ୍ଟର ଧାରା ୨୫(୧)(କ)/୨୭ ଏବଂ ଏସ୍ସି-ଏସ୍ଟି (ଅତ୍ୟାଚାର ନିରୋଧ) ଆଇନର ଧାରା ୩(୨)(ଭି) ଅନୁଯାୟୀ ମାମଲା ରୁଜୁ କରାଯାଇଛି ।
ପୋଲିସ ସୂଚନା ଅନୁସାରେ, କଟକ ଜିଲ୍ଲା ବୈଦେଶ୍ୱର ଥାନା ଅନ୍ତର୍ଗତ ଗୋଲଗଣ୍ଡା ଗାଁର ତପୁ ନାୟକ ସେ ଭୁବନେଶ୍ୱରର ତପୋବନସ୍ଥିତ ସୀତାରାମ ବସ୍ତିରେ ରହୁଥିଲେ । ତପୁ, ଉମେଶ ଓ ପିକୁନ ମିଶି ଠିକାଦାରୀ କାମ କରୁଥିଲେ । ତେବେ ଗତକାଲି ରାତି ପ୍ରାୟ ୧୦ଟା ବେଳେ ଉମେଶ ଫୋନ କରି ତପୁକୁ ଡାକିଥିଲା । ପରେ ତପୁ ଘରୁ ବାହାରି ଆସିଥିଲା । ଶିଶୁପାଳଗଡ଼ରେ ଥିବା ଉମେଶ ଅଫିସରେ ସମସ୍ତେ ମିଶି ଭୋଜି-ଭାତ କରିଥିଲେ । ଏହି ସମୟରେ ଏକ ମାଉଜର କିଣିଥିବା ନେଇ ଉମେଶ କହିବା ସହ ସେମାନଙ୍କୁ ଦେଖାଇଥିଲା । ମାଉଜର ଦେଖି ସମସ୍ତେ ଖସି ହୋଇଯାଇଥିବା ବେଳେ ପିକୁନ ବନ୍ଧୁକ ଖୋଲି ଟେଷ୍ଟ କରୁଥିଲେ । ହେଲେ ବନ୍ଧୁରେ ଗୁଳିଲୋଡ ଥିବାରୁ ତାହା ହଠାତ ଫୁଟି ତପୁର ଛାତିରେ ବାଜିଥିଲା । ଫଳରେ ସେ ଗୁରୁତର ଆହତ ହୋଇଥିଲା । ତୁରନ୍ତ ପିକୁନ ଓ ଉମେଶ ତାଙ୍କୁ ନେଇ କ୍ୟାପିଟାଲ ହସପିଟାଲ ଯାଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଏକ ଘରୋଇ ହସପିଟାଲକୁ ନେଇଯାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ଜାଣିବା ପରେ ସେମାନେ ଦୁହେଁ ଫେରାର ହୋଇଯାଇଥିଲେ । ଫେରାର ପୂର୍ବରୁ ରତ୍ନାକର ଉକ୍ତ ମାଉଜରକୁ ନେଇ ଗଙ୍ଗୁଆ ନାଳରେ ଫିଙ୍ଗି ଦେଇଥିଲା । ଯାହାକୁ ପୋଲିସ ଅଗ୍ନିଶମବାହିନୀ ଟିମ ସହାୟତାରେ ଜବତ କରିଛି ।
ପୋଲିସ ଭୂଆଁ ବୁଲାଇଥିଲେ ଉମେଶ, ପିକୁନ
ପୋଲିସ କମିଶନର ସୁରେଶ ଦେବଦତ୍ତ କହିଛନ୍ତି, ଏହି ଘଟଣା ଗତକାଲି (ଗୁରୁବାର) ରାତି ଗୋଟାଏ ବେଳେ ଆମ ନଜରକୁ ଆସିଥିଲା । ଜଣେ ଲୋକଙ୍କୁ ଗୁଳି ବାଜିଥିବା ବେଳେ ତାକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ଖବର ମିଳିଥିଲା । ପୋଲିସ ଟିମ୍ ବୁଝିବାରୁ ସେତେବେଳେ ମୃତକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଯାଇଥିଲେ । ଉକ୍ତ ଘରୋଇ ହସ୍ପିଟାଲରେ ଡାକ୍ତର ମୃତ ଘୋଷଣା କରିଥିଲେ । ଯେଉଁ ଲୋକମାନେ ମୃତକଙ୍କୁ ଆଣିଥିଲେ ସେମାନଙ୍କୁ ଖୋଜାଖୋଜି କରିବା ବେଳେ ସେମାନେ ଫେରାର ହୋଇଯାଇଥିଲେ । ହେଲେ କ୍ୟାପିଟାଲ ହସ୍ପିଟାଲରେ ତାଙ୍କ ନାଁ ରହିଥିଲା । ପରେ ସେମାନଙ୍କୁ ଡ଼କାଯିବାରୁ ୩୦ ମିନିଟ ଭିତରେ ପଳାଇ ଆସିଥିଲେ । ସେମାନେ ହେଲେ ଉମେଶ ଓ ପିକୁନ ।
ପ୍ରଥମେ ଉମେଶ ଓ ପିକୁନ ପୋଲିସକୁ ଭୂଆଁ ବୁଲାଇଥିଲେ । ଶିଶୁ ଭବନ ଫ୍ଲାଇ ଓଭର ବ୍ରିଜ୍ ଉପରେ ରାତିରେ ଠିଆ ହୋଇ ତପନ ଓ ଆମେ ଦୁଇ ଜଣ କଥାବାର୍ତ୍ତା ହେଉଥିଲୁ । ହେଲେ ଏହି ସମୟରେ ଜଣେ ବାଇକରେ ଦୁଇ ଦୁର୍ବୃତ୍ତ ଆସିଥିଲେ । ଜଣେ ମୁଖା ଓ ଅନ୍ୟଜଣେ ହେଲମେଟ ପିନ୍ଧିଥିଲା । ସେମାନେ ଆସି ଗୋଟିଏ ରାଉଣ୍ଡ ଗୁଳିମାଡ଼ କରିଥିଲେ । ଗୁଳି ତପନଙ୍କ ଶରୀରରେ ବାଜିଥିଲା । ତାପରେ ଦୁଇ ଦୁର୍ବୃତ୍ତ ଫେରାର ହୋଇଗଲେ, ସେମାନେ କିଏ ଥିଲେ ଆମେ ଜାଣିନାହୁଁ ବୋଲି ଉଭୟ କହିଥିଲେ । ଏହାପରେ ପୋଲିସ ସିସିଟିଭି ଫୁଟେଜ ଚେକ୍ କରିବା ସହ ଅନ୍ୟାନ୍ୟ ମାଧ୍ୟମରେ ତଦନ୍ତ କରିଥିଲା । ହେଲେ ଉଭୟଙ୍କ କଥା ଅନୁଯାୟୀ, ଫ୍ଲାଇ ଓଭର ଉପରେ କୌଣସି ଘଟଣା ଘଟିନଥିଲା ବୋଲି ପୋଲିସ ସ୍ପଷ୍ଟ ହୋଇଥିଲା । ସିସିଟିଭି ଯାଞ୍ଚ ପରେ ଉଭୟ ମୃତକଙ୍କୁ ଧରି ସିଧା କ୍ୟାପିଟାଲ ହସ୍ପିଟାଲ ଆସିଥିଲେ ବୋଲି ଜଣାପଡିଥିଲା । ଏହାପରେ ରାତିରେ ଉଭୟଙ୍କୁ ପଚରାଉଚରା କରାଯିବା ପରେ ଘଟଣା ପଛର ରହସ୍ୟ ସାମ୍ନାକୁ ଆସିଥିଲା । ଶିଶୁପାଳଗଡ଼ରେ ହିଁ ତପନଙ୍କ ଶରୀରରେ ଗୁଳି ବାଜିଥିବା ବେଳେ ଚିକିତ୍ସା ପାଇଁ ଉଭୟ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ ବୋଲି ଜଣାପଡିଥିଲା ବୋଲି ପୋଲିସ କମିଶନର କହିଛନ୍ତି । ସେମାନଙ୍କ ବୟାନକୁ ଆଧାର କରି ପୋଲିସ ଟିମ ସମସ୍ତ ଅଭିଯୁକ୍ତକୁ ଗିରଫ କରିଛି ।

