ଭୁବନେଶ୍ୱର, : ଶେଷ ବଲ୍ରେ ଦରକାର ଥିଲା ୩ ରନ୍। ଆଉ ଚୌକା ମାରି ଭାରତକୁ ଚାମ୍ପିୟନ୍ କରିଦେଲେ ମୋହିତ ଉଲୱା। ଏହା କୌଣସି ସିନେମାର ଦୃଶ୍ୟ ନୁହେଁ, ବରଂ ଅଣ୍ଡର-୧୯ ଏସିଆ କପ୍ ୨୦୨୬ର ଫାଇନାଲ୍ ମ୍ୟାଚ୍ର ରୋମାଞ୍ଚକର ମୁହୂର୍ତ୍ତ। ପାକିସ୍ତାନକୁ ହରାଇ ଭାରତ ଟାଇଟଲ୍ ହାତେଇଥିବା ବେଳେ ଶେଷ ୩ ଓଭରରେ ଯାହା ଘଟିଥିଲା, ତାହା କ୍ରିକେଟ୍ ପ୍ରେମୀଙ୍କ ହୃଦସ୍ପନ୍ଦନ ବଢ଼ାଇ ଦେଇଥିଲା।
ମ୍ୟାଚ୍ର ୪୭ ଓଭର ଶେଷ ସୁଦ୍ଧା ଭାରତର ସ୍କୋର ଥିଲା ୩୦୮/୮। ଜିତିବା ପାଇଁ ଆଉ ୧୮ ବଲ୍ରେ ୩୦ ରନ୍ ଆବଶ୍ୟକ ଥିଲା। କ୍ରିଜ୍ରେ ମନଲ ଚୌହାନ ଓ ମୋହିତ ଉଲୱା ଭଲ ବ୍ୟାଟିଂ କରୁଥିଲେ। ଉଭୟଙ୍କ ଭାଗୀଦାରି ଭାରତକୁ ପରାଜୟ ମୁହଁରୁ ବିଜୟ ଆଡ଼କୁ ଟାଣି ଆଣୁଥିଲା। କିନ୍ତୁ ୪୮ତମ ଓଭରରେ ମନଲଙ୍କ ୱିକେଟ୍ ପଡ଼ିବା ପରେ ପୁଣି ଥରେ ଭାରତୀୟ ଶିବିରରେ ନିରାଶା ଖେଳିଯାଇଥିଲା।
ନିକାବ ଶଫିକ୍ଙ୍କ ଏହି ଓଭରର ପ୍ରଥମ ବଲ୍ରେ ମୋହିତ ଏକ ରନ୍ ନେଇ ମନଲଙ୍କୁ ଷ୍ଟ୍ରାଇକ୍ ଦେଇଥିଲେ। ହେଲେ ପରବର୍ତ୍ତୀ ବଲ୍ରେ କ୍ୟାଚ୍ ଆଉଟ୍ ହୋଇଥିଲେ ମନଲ। ସେ ୪୭ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଏହା ଭାରତର ନବମ ୱିକେଟ୍ ଥିଲା। ଏବେ ଶେଷ ୱିକେଟ୍କୁ ନେଇ ଭାରତ ଉପରେ ପରାଜୟର ଭୟ ଘାରିଥିଲା।
୧୧ ନମ୍ବର ବ୍ୟାଟର୍ ଚିଗୁରୁପତି କ୍ରିଜ୍କୁ ଆସି ଗୋଟିଏ ଚୌକା ମାରିଥିଲେ। ତେବେ ଏହି ଓଭରରୁ ମାତ୍ର ୫ ରନ୍ ମିଳିଥିଲା। ୪୮ ଓଭର ଶେଷରେ ଭାରତର ସ୍କୋର ୩୧୩/୯ ହୋଇଥିବା ବେଳେ ବିଜୟ ପାଇଁ ଆଉ ୧୨ ବଲ୍ରେ ୨୫ ରନ୍ ଆବଶ୍ୟକ ଥିଲା।
ଏହାପରେ ୪୯ତମ ଓଭରରେ ବ୍ୟାଟ୍ରେ କମାଲ୍ ଦେଖାଇଥିଲେ ମୋହିତ ଉଲୱା। ମହମ୍ମଦ ସାୟମ୍ଙ୍କ ଏହି ଓଭରରେ ମୋହିତ ଦୁଇଟି ଚୌକା ଓ ଗୋଟିଏ ଛକା ମାରି ମୋଟ୍ ୧୭ ରନ୍ ସଂଗ୍ରହ କରିଥିଲେ। ଫଳରେ ଶେଷ ଓଭରରେ ଭାରତକୁ ବିଜୟ ପାଇଁ ମାତ୍ର ୮ ରନ୍ ଦରକାର ଥିଲା।
ଶେଷ ଓଭରରେ ଦମ୍ଦାର ଫିନିସ୍!
ପାକିସ୍ତାନ ପକ୍ଷରୁ ଶେଷ ଓଭର ବୋଲିଂ କରିଥିଲେ ଅହମ୍ମଦ ହୁସେନ। ପ୍ରଥମ ବଲ୍ଟି ଡଟ୍ ହୋଇଥିଲା। ଦ୍ୱିତୀୟ ବଲ୍ରେ ୱାଇଡ୍ ଯୋଗୁଁ ଭାରତକୁ ଏକ ରନ୍ ମିଳିଥିଲା। ଏହାପରେ ମୋହିତ ଏକ ରନ୍ ନେଇ ଷ୍ଟ୍ରାଇକ୍ ଚିଗୁରୁପତିଙ୍କୁ ଦେଇଥିଲେ। ଚିଗୁରୁପତି ମଧ୍ୟ ଗୋଟିଏ ରନ୍ ନେଇଥିଲେ। ଚତୁର୍ଥ ଓ ପଞ୍ଚମ ବଲ୍ରେ ମଧ୍ୟ ଗୋଟିଏ ଲେଖାଏଁ ରନ୍ ମିଳିଥିଲା।
ଏବେ ଶେଷ ବଲ୍ରେ ଭାରତକୁ ବିଜୟ ପାଇଁ ୩ ରନ୍ ଆବଶ୍ୟକ ଥିଲା। ମ୍ୟାଚ୍ ଟାଇ କରିବାକୁ ମଧ୍ୟ ୨ ରନ୍ ଦରକାର ଥିଲା। ଏଭଳି ଚାପପୂର୍ଣ୍ଣ ସ୍ଥିତିରେ ମୋହିତ ଉଲୱା ଏକ ଚମତ୍କାର ଚୌକା ମାରି ଭାରତକୁ ବିଜୟୀ କରାଇଥିଲେ। ଏହା ସହ ପାକିସ୍ତାନକୁ ହରାଇ ଭାରତ ଅଣ୍ଡର-୧୯ ଏସିଆ କପ୍ ୨୦୨୬ ଚାମ୍ପିୟନ୍ ହୋଇଥିଲା।
ମୋହିତଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍, ଆର୍ଯ୍ୟବୀର ଶ୍ରେଷ୍ଠ ଖେଳାଳି
ଏହି ଫାଇନାଲ୍ ମ୍ୟାଚ୍ରେ ମୋହିତ ଉଲୱାଙ୍କୁ ପ୍ଲେୟର ଅଫ୍ ଦି ମ୍ୟାଚ୍ ପୁରସ୍କାର ମିଳିଥିଲା। ଜଣେ ବୋଲର୍ ହୋଇଥିଲେ ମଧ୍ୟ ନିଜର ଚମତ୍କାର ବ୍ୟାଟିଂ ପାଇଁ ସେ ଏହି ପୁରସ୍କାର ହାତେଇଥିଲେ। ମାତ୍ର ୨୬ଟି ବଲ୍ରୁ ଅପରାଜିତ ୪୯ ରନ୍ କରି ସେ ଭାରତର ବିଜୟର ମୁଖ୍ୟ ବିନ୍ଧାଣୀ ସାଜିଥିଲେ।
ସେହିପରି ଆର୍ଯ୍ୟବୀର ସେହୱାଗଙ୍କୁ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ଚୟନ କରାଯାଇଥିଲା। ଫାଇନାଲ୍ରେ ମଧ୍ୟ ସେ ୫୮ ରନ୍ର ଉପଯୋଗୀ ଇନିଂସ ଖେଳି ଭାରତକୁ ଭଲ ଆରମ୍ଭ ଦେଇଥିଲେ। ଶେଷରେ ମୋହିତଙ୍କ ବିସ୍ଫୋରକ ବ୍ୟାଟିଂ ଭାରତକୁ ଚାମ୍ପିୟନ୍ କରିଥିଲା।

