ଯିଏ କରୁଥିଲା ଯତ୍ନ, ସିଏ ନେଲା ଜୀବନ! : ବୃଦ୍ଧା ହତ୍ୟା ମାମଲାରେ କେୟାରଟେକର୍ ଗିରଫ

Reporterspen

ଭୁବନେଶ୍ୱର, (ରିପୋର୍ଟର୍ସପେନ୍‌): ରାଜଧାନୀ ଭୁବନେଶ୍ୱରର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଜଣେ ୭୬ ବର୍ଷୀୟା ବୃଦ୍ଧାଙ୍କୁ ହତ୍ୟା ଘଟଣାରେ ପୁଲିସକୁ ବଡ଼ ସଫଳତା ମିଳିଛି । ଏହି ଘଟଣାରେ ଅଭିଯୁକ୍ତ ଘରୋଇ ଯତ୍ନକାରୀ ବା କେୟାରଟେକର ବଳଭଦ୍ର ମହାରଣା ଓରଫ ବଳିଆ (୪୦)ଙ୍କୁ ଗୁଜରାଟରୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ହୋଇଥିବା ବେଳେ ତାଙ୍କର ଅନ୍ୟ ଏକ ଠିକଣା ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ଟିଟିପା ବୋଲି ଜଣାପଡ଼ିଛି ।

ପୁଲିସ ସୂଚନା ଅନୁଯାୟୀ, ମୃତ ବୃଦ୍ଧା କୁଞ୍ଜଲତା ନନ୍ଦ (୭୬) ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ହୋଟେଲ ଉପାସନା ଲେନ୍‌ର ପ୍ଲଟ୍ ନମ୍ବର ୧୬/୯ରେ ରହୁଥିଲେ । ତାଙ୍କର ଦେଖାଶୁଣା କରିବା ପାଇଁ ବଳଭଦ୍ର ମହାରଣାଙ୍କୁ ନିୟୋଜିତ କରାଯାଇଥିଲା । ସେ ପ୍ରାୟ ୫ ମାସରୁ ଅଧିକ ସମୟ ଧରି ବୃଦ୍ଧାଙ୍କ ଘରେ କାମ କରୁଥିଲେ । ଗତ ୪ ନଭେମ୍ବର ୨୦୨୬ ସକାଳେ ସେହି ଘରର ଭଡ଼ାଟିଆମାନେ କୁଞ୍ଜଲତାଙ୍କୁ ଡାକିବା ସତ୍ତ୍ୱେ କୌଣସି ଉତ୍ତର ନମିଳିବା ଏବଂ ତାଙ୍କ କୋଠରୀର କବାଟ ଭିତର ପଟୁ ବନ୍ଦ ଥିବା ଦେଖି ସନ୍ଦେହ ପ୍ରକାଶ କରିଥିଲେ । ଏନେଇ ସେମାନେ ବୃଦ୍ଧାଙ୍କ ବୋହୂ ସମାହିତା ନନ୍ଦଙ୍କୁ ଫୋନ୍ କରି ଘରକୁ ଆସିବାକୁ ଜଣାଇଥିଲେ ।

ଖବରପାଇ ସମାହିତା ନନ୍ଦ ଓ ତାଙ୍କ ସ୍ୱାମୀ ସମରେନ୍ଦ୍ର ମହାପାତ୍ର ସକାଳ ପ୍ରାୟ ୮ଟାରେ ଘଟଣାସ୍ଥଳରେ ପହଞ୍ଚି ପୁଲିସ କଣ୍ଟ୍ରୋଲ ରୁମ୍‌କୁ ସୂଚନା ଦେଇଥିଲେ । ପୁଲିସ ପହଞ୍ଚିବା ପରେ ସମସ୍ତଙ୍କ ଉପସ୍ଥିତିରେ ଗ୍ରିଲ୍ କବାଟ ଭାଙ୍ଗି ଘର ଭିତରକୁ ପ୍ରବେଶ କରାଯାଇଥିଲା । ସେଠାରେ ଡାଇନିଂ ଟେବୁଲ୍ ନିକଟରେ କୁଞ୍ଜଲତା ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଥିବା ଦେଖିବାକୁ ମିଳିଥିଲା । ତାଙ୍କୁ ତୁରନ୍ତ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏନେଇ ସମରେନ୍ଦ୍ର ମହାପାତ୍ର ଲକ୍ଷ୍ମୀସାଗର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଲକ୍ଷ୍ମୀସାଗର ଥାନା କେସ୍ ନମ୍ବର ୭୭୭, ତାରିଖ ୦୪.୧୧.୨୦୨୬, ଭାରତୀୟ ନ୍ୟାୟ ସଂହିତାର ଧାରା ୩୧୧ ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା ।

ଫେରାର ଅଭିଯୁକ୍ତକୁ ଧରିବାକୁ ଏକାଧିକ ରାଜ୍ୟରେ ଚଢ଼ାଉ
ପ୍ରାଥମିକ ତଦନ୍ତରୁ ବଳଭଦ୍ର ମହାରଣାଙ୍କ ସମ୍ପୃକ୍ତି ସନ୍ଦେହ କରାଯିବା ପରେ ତାଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଏକାଧିକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଗିରଫଦାରୀ ଏଡ଼ାଇବା ପାଇଁ ଅଭିଯୁକ୍ତ ଲଗାତାର ନିଜର ଠିକଣା ବଦଳାଇବା ସହ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଉଥିଲା । ତଦନ୍ତରୁ ଜଣାପଡ଼ିଛି ଯେ, ସେ ଏହି ସମୟ ମଧ୍ୟରେ କୋଲକାତା, ରାୟପୁର, ପାନିପଥ ଓ ସୁରଟ ସମେତ ବିଭିନ୍ନ ସହରକୁ ଯାଇଥିଲା ।

ଲକ୍ଷ୍ମୀସାଗର ଥାନାର ଏସ୍‌ଆଇ ସୁଭସ୍ମିତା ମୁଦୁଲିଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ପ୍ରଥମେ ଅହମ୍ମଦାବାଦରେ ପହଞ୍ଚିଥିଲା । ସେଠାରୁ ମିଳିଥିବା ଠୋସ୍ ସୂଚନା ଆଧାରରେ ଟିମ୍ ସୁରଟ ଯାଇଥିଲା । ପରେ ଗୁଜରାଟ ପୁଲିସର ସହଯୋଗରେ ବଡ଼ୋଦରା ଜିଲ୍ଲାରେ ଦିଲ୍ଲୀ ଅଭିମୁଖେ ବସ୍‌ରେ ଯାତ୍ରା କରୁଥିବା ବେଳେ ଅଭିଯୁକ୍ତକୁ ଅଟକାଇ ଗିରଫ କରାଯାଇଥିଲା ।

ଅଭିଯୁକ୍ତ ନିକଟରୁ ଟଙ୍କା ଓ ସୁନା ଅଳଙ୍କାର ଜବତ
ପୁଲିସ ଅଭିଯୁକ୍ତଙ୍କ ନିକଟରୁ ୨୦ ହଜାର ୬୦୦ଟଙ୍କା ନଗଦ, ଦୁଇଟି ମୋବାଇଲ୍ ଫୋନ୍‌, ଗୋଟିଏ ଏୟାରଟେଲ୍ ସିମ୍ କାର୍ଡ, ଗୋଟିଏ ସୁନା ଲକେଟ୍‌, ଗୋଟିଏ ସୁନା ମୁଦି, ହଳେ କାନଫୁଲ, ଗୋଟିଏ ଛୋଟ ଡାଏରୀ ଏବଂ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ।

ପୋଲିସ କମିଶନର କହିଛନ୍ତି, ହତ୍ୟାକାଣ୍ଡ ଘଟାଇ ପ୍ରଥମେ ବଳଭଦ୍ର ପୁରୀ ଯାଇଥିଲା । ୬ ତାରିଖରେ ସେ କଲିକତାରେ ଥିବା କିଛିସମୟ ପାଇଁ ଜଣାପଡିଲା, ୮ ତାରିଖରେ ରାଞ୍ଚି, ୯ ତାରିଖରେ ପାନିପତ୍‌, ୧୧ ତାରିଖରେ ସୁରତରେ ଥିବା ଜଣାପଡିଥିଲା । ସୁରତରୁ ବସ୍ ଯୋଗେ ଦିଲ୍ଲୀ ଯାଉଥିଲା । ସେ କେଉଁ ଜାଗାରେ ଅଧିକ ସମୟ ରହୁନଥିଲା । ଏଯାଏ ହୋଇଥିବା ତଦନ୍ତରେ ବଳଭଦ୍ର ଏକା ହିଁ ବିଭିନ୍ନ ସ୍ଥାନରେ ଘୁରି ବୁଲୁଥିଲା । ଏଥିରେ ତାର କେହି ନିଜ ଲୋକଙ୍କ ସମ୍ପୃକ୍ତି ଅଛି କି ନାହିଁ ତାହା ଜଣିବାକୁ ତଦନ୍ତ ଜାରି ରହିଛି ବୋଲି ସିପି କହିଛନ୍ତି । ତେବେ ଲୁଟ୍ ଉଦ୍ଦେଶ୍ୟରେ କୁଞ୍ଜଲତାଙ୍କୁ ବଳଭଦ୍ର ହତ୍ୟା କରିଥିଲା ନା ରହିଛି ଆଉ କିଛି କାରଣ । ଏହା ଜଣିବାକୁ ତଦନ୍ତ ଚାଲିଥିବା ସିପି କହିଛନ୍ତି ।

ବଡ଼ପୁଅ ଘରର କେୟାରଟେକର ଯୋଗାଯୋଗରେ ଆସିଥିଲା ବଳଭଦ୍ର
ପୋଲିସ ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳର ବଳଭଦ୍ର ମହାରଣା ଓରଫ ବଳିଆ (୪୦)ର ଗୋଟିଏ ଝିଅ ଥିବାବେଳେ ସେ ସ୍କୁଲରେ ପଢ଼ୁଛି । ମୃତା କୁଞ୍ଜଲତାଙ୍କ ବଡ଼ ପୁଅଙ୍କ ଘରେ ଦୀର୍ଘ ୭ ବର୍ଷରୁ ଅଧିକ ସମୟ ଧରି ଘରୋଇ ସହାୟକ ଭାବେ କାମ କରୁଥିବା ବିଦ୍ୟାଧର ମହାରଣାଙ୍କ ସମ୍ପର୍କୀୟ ହେଲା ବଳଭଦ୍ର । ବଳଭଦ୍ରଙ୍କୁ ଆଣି ବିଦ୍ୟାଧର କୁଞ୍ଜଲତାଙ୍କ ଘରେ ରଖେଇଥିଲା । ବଳଭଦ୍ର ୫ ମାସରୁ ଅଧିକ ସମୟ ଧରି ଘରୋଇ ସହାୟକ ଭାବେ କାମ କରୁଥିଲା ।


Reporterspen