ପ୍ରେମରେ ବିଫଳତା ପରେ ଜୀବନ ହାରିବାକୁ ଉଦ୍ୟମ, ୯୦% ପୋଡ଼ିଗଲା ଶରୀର

Reporterspen

ଭୁବନେଶ୍ୱର, (ରିପୋର୍ଟର୍ସପେନ୍‌) : ପ୍ରେମ ସଂପର୍କରେ ବିଚ୍ଛେଦକୁ ନେଇ ଜଣେ ୨୧ ବର୍ଷୀୟା ଯୁବତୀ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏଥିରେ ଯୁବତୀଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ପୋଡ଼ିଯାଇଛି। ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ଡାକ୍ତର କହିଛନ୍ତି। ଗୁରୁତର ଯୁବତୀ ହେଉଛନ୍ତି ଯାଜପୁର ଜିଲ୍ଲାର ଅଜିତ ସାମଲଙ୍କ ଝିଅ କଳ୍ପନା ସାମଲ।

ସୂଚନା ଅନୁଯାୟୀ, ଗତ ୧୭ ତାରିଖ ରାତି ପ୍ରାୟ ୧୦ଟା ୩୦ ମିନିଟ୍‌ରେ ଇନ୍‌ଫୋସିଟି ଥାନା ପୁଲିସ ପଥରଗାଡ଼ିଆ ୨୦୦ ଫୁଟିଆ ରାସ୍ତାରେ ଥିବା ସ୍ୱାଇଁ କାଫେ ନିକଟରେ ଜଣେ ଯୁବତୀ ନିଜ ଦେହରେ ନିଆଁ ଲଗାଇ ଦେଇଥିବା ଖବର ପାଇଥିଲା। ଖବରପାଇ ତୁରନ୍ତ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଥିଲା। ପ୍ରଥମେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିବା ବେଳେ ପରେ ଉନ୍ନତ ଚିକିତ୍ସା ପାଇଁ ଏମ୍‌ସ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା।

କଳ୍ପନା ଗତ ଦେଢ଼ ବର୍ଷ ଧରି ଭୁବନେଶ୍ୱରର ଭାବା ନର୍ସିଂ ଇନଷ୍ଟିଚ୍ୟୁଟ୍‌ରେ ରହୁଥିଲେ। ପ୍ରାଥମିକ ତଦନ୍ତରୁ କିଛି ମାସ ପୂର୍ବରୁ ପୂବର୍ତନ ପ୍ରେମିକଙ୍କ ସହ ସଂପର୍କରେ ବିଚ୍ଛେଦ ହେବା ପରେ ସୃଷ୍ଟି ହୋଇଥିବା ବ୍ୟକ୍ତିଗତ ସମସ୍ୟା ଏହି ଘଟଣାର କାରଣ ହୋଇଥାଇପାରେ ବୋଲି ପୁଲିସ ସୂଚନାରୁ ଜଣାପଡ଼ିଛି।

ଅନ୍ୟପକ୍ଷରେ ଯୁବତୀଙ୍କ ବାପା ଅଜିତ ସାମଲ (୪୫) ଇନ୍‌ଫୋସିଟି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଆଧାରରେ ପୁଲିସ ଇନ୍‌ଫୋସିଟି ଥାନା କେସ୍ ନମ୍ବର ୧୦୯୦/୨୦୨୬, ତାରିଖ ୧୮.୧୧.୨୦୨୬ରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ଧାରା ୧୦୯(୧), ୧୧୮(୧) ଓ ୧୧୮(୨) ଅନୁଯାୟୀ ମାମଲା ରୁଜୁ କରିଛି। ଘଟଣାର ତଦନ୍ତ ଜାରି ରହିଛି।

ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅଲୋଡ଼ନ ସୃଷ୍ଟି ହୋଇଛି। ପୁରୁଷବନ୍ଧୁଙ୍କ ସଂପୃକ୍ତି ନେଇ ପୋଲିସ ଅଧିକ ଖୋଳତାଡ଼ ଚଲାଇଛି। ପୋଲିସ ଟିମ୍ କାଫେ ସମେତ ରାସ୍ତାର ଅନ୍ୟ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ଯୁବତୀ ଜଣକ ଜଳିଯିବା ପରେ ଯନ୍ତ୍ରଣାରେ ଛଟପଟ ହୋଇ ଚିତ୍କାର କରିଥିଲେ। କିଛିସମୟ ପରେ ସେ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ଜଣାପଡିଛି।


Reporterspen