କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲା ରେଡ୍ ଜୋନ୍ରେ; କେନ୍ଦ୍ରାଞ୍ଚଳ ଅଧୀନସ୍ଥ ସମସ୍ତ ୭ଟି ଜିଲ୍ଲା ହାଇ ଆଲର୍ଟରେ
ଡିଜିପି, ଓଡ଼ିଶାଙ୍କ ମାର୍ଗଦର୍ଶନରେ ଆଇଜି, କେନ୍ଦ୍ରାଞ୍ଚଳଙ୍କ ତତ୍ତ୍ୱାବଧାନରେ ବାତ୍ୟା ମୁକାବିଲା ପ୍ରସ୍ତୁତି ଜୋରଦାର; ‘ମିଶନ ଜିରୋ କାଜୁଆଲିଟି’କୁ ସର୍ବୋଚ୍ଚ ପ୍ରାଥମିକତା
କଟକ/ଭୁବନେଶ୍ୱର, (ରିପୋର୍ଟର୍ସପେନ୍) : ସମ୍ଭାବ୍ୟ ପ୍ରବଳ ସାମୁଦ୍ରିକ ବାତ୍ୟା ‘ଅକବାନ୍’କୁ ଦୃଷ୍ଟିରେ ରଖି ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଝଡ଼ ପବନ, ସମୁଦ୍ରରେ ଉଚ୍ଚ ଜୁଆର ଏବଂ ବିଭିନ୍ନ ଉପକୂଳବର୍ତ୍ତୀ ଓ ସଂଲଗ୍ନ ଅଞ୍ଚଳରେ ବନ୍ୟା ତଥା ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ଓଡ଼ିଶା ପୋଲିସ ପକ୍ଷରୁ କେନ୍ଦ୍ରାଞ୍ଚଳ ଅଧୀନସ୍ଥ ସମସ୍ତ ୭ଟି ଜିଲ୍ଲାରେ ବାତ୍ୟା ମୁକାବିଲା ପ୍ରସ୍ତୁତି ଓ ସତର୍କତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯାଇଛି। ବିଶେଷକରି ଉପକୂଳବର୍ତ୍ତୀ କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାକୁ ରେଡ୍ ଜୋନ୍ରେ ରଖାଯାଇଥିବାରୁ ଏହି ତିନୋଟି ଜିଲ୍ଲାରେ ସ୍ୱତନ୍ତ୍ର ସତର୍କତା, ନିରନ୍ତର ନିରୀକ୍ଷଣ ଓ ତ୍ୱରିତ ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରାଯାଉଛି।
ପୋଲିସ ମହାନିର୍ଦ୍ଦେଶକ (ଡିଜିପି), ଓଡ଼ିଶାଙ୍କ ସାମଗ୍ରିକ ତତ୍ତ୍ୱାବଧାନ ଓ ମାର୍ଗଦର୍ଶନରେ ଆଇଜି, କେନ୍ଦ୍ରାଞ୍ଚଳ, କଟକ ଡଃ ସତ୍ୟଜିତ ନାୟକ ସମଗ୍ର କେନ୍ଦ୍ରାଞ୍ଚଳର ବାତ୍ୟା ମୁକାବିଲା ପ୍ରସ୍ତୁତି ଓ ଜରୁରୀକାଳୀନ ପରିଚାଳନା ବ୍ୟବସ୍ଥାର ନିୟମିତ ସମୀକ୍ଷା କରୁଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ‘ମିଶନ ଜିରୋ କାଜୁଆଲିଟି’ ବା ଶୂନ୍ୟ ଜୀବନହାନି ଲକ୍ଷ୍ୟକୁ ସଫଳ କରିବା ପାଇଁ ସମସ୍ତ ଜିଲ୍ଲା ପୋଲିସକୁ ସମ୍ପୂର୍ଣ୍ଣ ସଜାଗ ଓ ପ୍ରସ୍ତୁତ ରହିବା ସହିତ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC), ଓଡ଼ିଶାଙ୍କ ପକ୍ଷରୁ ଜାରି ସମସ୍ତ ମାନକ କାର୍ଯ୍ୟପଦ୍ଧତି (SOP) ଓ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଆଇଜି, କେନ୍ଦ୍ରାଞ୍ଚଳ ସମଗ୍ର କେନ୍ଦ୍ରାଞ୍ଚଳ ଅଧୀନସ୍ଥ କଟକ ଗ୍ରାମାଞ୍ଚଳ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଆଦି ୭ଟି ଜିଲ୍ଲାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ସମ୍ପୃକ୍ତ ଜିଲ୍ଲାର ସମସ୍ତ ଆରକ୍ଷୀ ଅଧୀକ୍ଷକ (ଏସ୍ପି)ଙ୍କୁ ଜିଲ୍ଲାପାଳ, ଓଡ୍ରାଫ୍, ଅଗ୍ନିଶମ ସେବା, ଓସ୍ଡମା, ସ୍ୱାସ୍ଥ୍ୟ ବିଭାଗ ଓ ଅନ୍ୟାନ୍ୟ ଜରୁରୀକାଳୀନ ସେବା ସଂସ୍ଥା ସହ ଘନିଷ୍ଠ ସମନ୍ୱୟ ରକ୍ଷା କରି ସମସ୍ତ ପ୍ରକାର ପ୍ରତିଷେଧମୂଳକ ଓ ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ଉପକୂଳବର୍ତ୍ତୀ ଅଞ୍ଚଳ, ତଳିଆ ଅଞ୍ଚଳ, ନଦୀକୂଳ ଓ ବନ୍ୟାପ୍ରବଣ ଅଞ୍ଚଳଗୁଡ଼ିକର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ସ୍ୱତନ୍ତ୍ର ଆକସ୍ମିକ ପରିସ୍ଥିତି ମୁକାବିଲା ବ୍ୟବସ୍ଥା କରାଯାଇଛି। ବାତ୍ୟାପ୍ରବଣ ଗ୍ରାମ, ସମୁଦ୍ର ଉପକୂଳ, ନଦୀବନ୍ଧ, ନଦୀକୂଳ, ଜଳବନ୍ଦୀ ହେବାର ଆଶଙ୍କା ଥିବା ସ୍ଥାନ ଓ ଅନ୍ୟାନ୍ୟ ବିପଦସଙ୍କୁଳ ଅଞ୍ଚଳରେ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ସହ ସମନ୍ୱୟ ରକ୍ଷା କରି ବିପଦସଙ୍କୁଳ ଅଞ୍ଚଳର ଲୋକମାନଙ୍କୁ ନିର୍ଦ୍ଧାରିତ ବାତ୍ୟା ଆଶ୍ରୟସ୍ଥଳୀକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିବାରେ ପୋଲିସ ସହଯୋଗ କରୁଛି। ବିଶେଷକରି ବୟସ୍କ ବ୍ୟକ୍ତି, ଶିଶୁ, ମହିଳା, ଗର୍ଭବତୀ ମହିଳା, ଦିବ୍ୟାଙ୍ଗ, ଅସୁସ୍ଥ ବ୍ୟକ୍ତି ଓ ଅନ୍ୟାନ୍ୟ ଅସହାୟ ବର୍ଗଙ୍କ ସୁରକ୍ଷା ଓ ସ୍ଥାନାନ୍ତରଣକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି। ପ୍ରଶାସନ ପକ୍ଷରୁ ସ୍ଥାନାନ୍ତରଣ ନିର୍ଦ୍ଦେଶ ଜାରି ହେବା ପରେ କୌଣସି ବ୍ୟକ୍ତି ଯେପରି ବିପଦସଙ୍କୁଳ ଅଞ୍ଚଳରେ ରହି ନଯାଆନ୍ତି, ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି।
ଜରୁରୀକାଳୀନ ଉଦ୍ଧାର ଓ ସହାୟତା କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ରାଞ୍ଚଳ ଅଧୀନସ୍ଥ ସମସ୍ତ ୭ଟି ଜିଲ୍ଲା ଯଥା ପୁରୀ, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ଼, କେନ୍ଦ୍ରାପଡ଼ା ଓ ଯାଜପୁରରେ ମୋଟ ୧୮ଟି ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି। ଜଳବନ୍ଦୀ ଅଞ୍ଚଳରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର, ବିପଦସଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର, ରାସ୍ତାରୁ ଉପୁଡ଼ି ପଡ଼ିଥିବା ଗଛ ଓ ଅନ୍ୟାନ୍ୟ ଅବରୋଧ ହଟାଇବା ଏବଂ ବାତ୍ୟାଜନିତ ଜରୁରୀ ପରିସ୍ଥିତିରେ ତ୍ୱରିତ ପଦକ୍ଷେପ ଗ୍ରହଣ ପାଇଁ ଜିଲ୍ଲା ପୋଲିସ, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ମଧ୍ୟରେ ଘନିଷ୍ଠ ସମନ୍ୱୟ ରଖାଯାଇଛି। ସମ୍ବେଦନଶୀଳ ଅଞ୍ଚଳର ସମସ୍ତ ଥାନାକୁ ପର୍ଯ୍ୟାପ୍ତ ପୋଲିସ ବଳ, ଗାଡ଼ି, ଯୋଗାଯୋଗ ଉପକରଣ, ଜରୁରୀ ଆଲୋକ ବ୍ୟବସ୍ଥା ଓ ଆବଶ୍ୟକୀୟ ଉଦ୍ଧାର ସାମଗ୍ରୀ ସହ ପ୍ରସ୍ତୁତ ରହିବାକୁ କୁହାଯାଇଛି।
କେନ୍ଦ୍ରାଞ୍ଚଳର ସମସ୍ତ ଜିଲ୍ଲା ପୋଲିସ ନିୟନ୍ତ୍ରଣ କକ୍ଷ ଓ ଥାନାଗୁଡ଼ିକୁ ୨୪ ଘଣ୍ଟିଆ ସତର୍କତାରେ ରଖାଯାଇଛି। ଜରୁରୀକାଳୀନ ଫୋନ୍ କଲ୍, ଜନସାଧାରଣଙ୍କ ସହାୟତା ନିବେଦନ ଓ ବିପଦ ସମ୍ପର୍କିତ ସୂଚନା ଉପରେ ନିରନ୍ତର ନଜର ରଖାଯାଉଛି। ତୁରନ୍ତ ସହାୟତା ଯୋଗାଇଦେବା ପାଇଁ ସ୍ୱତନ୍ତ୍ର ପ୍ରତିକ୍ରିୟା ଦଳକୁ ପ୍ରସ୍ତୁତ ରଖାଯାଇଛି। ସମସ୍ତ ଏସ୍ପିଙ୍କୁ ନିୟନ୍ତ୍ରଣ କକ୍ଷ ମାଧ୍ୟମରେ ପରିସ୍ଥିତିର ନିରନ୍ତର ଅନୁଧ୍ୟାନ, ଥାନା ଓ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ସହ ନିୟମିତ ଯୋଗାଯୋଗ, ପାଣିପାଗ ସତର୍କ ସୂଚନାର ତୁରନ୍ତ ପ୍ରଚାର ଏବଂ ଜୀବନହାନି, ଆହତ, ସମ୍ପତ୍ତି କ୍ଷୟକ୍ଷତି, ରାସ୍ତା ଅବରୋଧ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣା ସମ୍ପର୍କିତ ସୂଚନା ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଜରୁରୀକାଳୀନ ସହାୟତା ପାଇଁ ଜନସାଧାରଣ ନିକଟସ୍ଥ ଥାନା କିମ୍ବା ଜିଲ୍ଲା ପୋଲିସ ନିୟନ୍ତ୍ରଣ କକ୍ଷ ସହ ଯୋଗାଯୋଗ କରିବା ସହ ୧୧୨ ନମ୍ବରକୁ କଲ୍ କରିପାରିବେ।
ଜରୁରୀକାଳୀନ ସେବା ଓ ଉଦ୍ଧାରକାରୀ ଦଳର ଯାତାୟାତକୁ ସୁଗମ କରିବା ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିପଦସଙ୍କୁଳ ରାସ୍ତା, ପୋଲ, ଉପକୂଳ ରାସ୍ତା ଓ ଜଳବନ୍ଦୀ ଅଞ୍ଚଳରେ ଆବଶ୍ୟକତା ଅନୁଯାୟୀ ଯାନବାହନ ଚଳାଚଳ ନିୟନ୍ତ୍ରଣ କିମ୍ବା ବନ୍ଦ କରାଯିବା ସହ ବିକଳ୍ପ ରାସ୍ତା ଓ ଡାଇଭର୍ସନ୍ ବ୍ୟବସ୍ଥା କରାଯାଉଛି। ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ି, ଓଡ୍ରାଫ୍ ଟିମ୍, ରିଲିଫ୍ ଗାଡ଼ି ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ଯାନବାହନର ଯାତାୟାତ ଯେପରି ବାଧାପ୍ରାପ୍ତ ନହୁଏ, ସେଥିପ୍ରତି ଧ୍ୟାନ ଦିଆଯାଉଛି। ରାସ୍ତାରୁ ଉପୁଡ଼ି ପଡ଼ିଥିବା ଗଛ ଓ ଅନ୍ୟାନ୍ୟ ଅବରୋଧ ତୁରନ୍ତ ହଟାଇବା ପାଇଁ ପୋଲିସ ପକ୍ଷରୁ ପୂର୍ତ୍ତ ବିଭାଗ (PWD), ଜାତୀୟ ରାଜପଥ ପ୍ରାଧିକରଣ (NHAI) ଓ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରଖାଯାଉଛି। ହସ୍ପିଟାଲ, ବିଦ୍ୟୁତ୍ ସଂସ୍ଥାପନା, ଯୋଗାଯୋଗ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ କେନ୍ଦ୍ର, ପୋଲ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସରକାରୀ ପ୍ରତିଷ୍ଠାନର ସୁରକ୍ଷା ଉପରେ ମଧ୍ୟ ସ୍ୱତନ୍ତ୍ର ନଜର ରଖାଯାଇଛି। କ୍ଷତିଗ୍ରସ୍ତ ବିଦ୍ୟୁତ୍ ଖୁଣ୍ଟ, ଛିଣ୍ଡି ପଡ଼ିଥିବା ତାର ଓ ଅନ୍ୟାନ୍ୟ ବିଦ୍ୟୁତ୍ ବିପଦ ସମ୍ପର୍କରେ ତୁରନ୍ତ ସମ୍ପୃକ୍ତ ବିଭାଗକୁ ଅବଗତ କରାଯାଇ ବିପଦସଙ୍କୁଳ ସ୍ଥାନଗୁଡ଼ିକୁ ସୁରକ୍ଷିତ ଭାବେ ଘେରାଉ କରାଯିବ।
କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ସ୍ୱତନ୍ତ୍ର ଉପକୂଳ ସୁରକ୍ଷା ସତର୍କତା ଜାରି କରାଯାଇଛି। ସମୁଦ୍ରକୂଳ, ବେଳାଭୂମି, ନଦୀମୁହାଣ, ମାଛଧରା ସ୍ଥାନ ଓ ଅନ୍ୟାନ୍ୟ ସମ୍ବେଦନଶୀଳ ଉପକୂଳ ଅଞ୍ଚଳରେ ପୋଲିସ ପକ୍ଷରୁ କଡ଼ା ନଜର ରଖାଯାଉଛି। ପୁରୀରେ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପାଣିପାଗ ପରିସ୍ଥିତି ଓ ପ୍ରଶାସନିକ ନିର୍ଦ୍ଦେଶ ଅନୁଯାୟୀ ସମୁଦ୍ରକୂଳ ଓ ବେଳାଭୂମି ଅଞ୍ଚଳରେ ଜନସାଧାରଣଙ୍କ ଯାତାୟାତ ନିୟନ୍ତ୍ରଣ କିମ୍ବା ନିଷିଦ୍ଧ କରାଯିବ। ସମୁଦ୍ରକୁ ନଯିବା ଓ ବିପଦସଙ୍କୁଳ ଉପକୂଳ ଅଞ୍ଚଳରେ ଏକତ୍ରିତ ନହେବା ପାଇଁ ପୋଲିସ ପକ୍ଷରୁ ନିୟମିତ ପାଟ୍ରୋଲିଂ, ମାଇକ୍ ଯୋଗେ ପ୍ରଚାର ଓ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ମତ୍ସ୍ୟଜୀବୀ ଓ ଉପକୂଳବର୍ତ୍ତୀ ଅଞ୍ଚଳର ବାସିନ୍ଦାମାନଙ୍କୁ ସରକାରୀ ପାଣିପାଗ ସତର୍କ ସୂଚନା ଓ ମାଛଧରା ସମ୍ପର୍କିତ କଟକଣାକୁ କଡ଼ାକଡ଼ି ପାଳନ କରିବାକୁ ସଚେତନ କରାଯାଉଛି।
ବାତ୍ୟା ପରିସ୍ଥିତିରେ ଲୋକମାନେ ସ୍ଥାନାନ୍ତର ହୋଇଥିବା ଗ୍ରାମ ଓ ଅନ୍ୟାନ୍ୟ ସମ୍ବେଦନଶୀଳ ଅଞ୍ଚଳରେ ଚୋରି, ଡକାୟତି, ଲୁଟ୍ପାଟ୍ ଓ ଅନ୍ୟାନ୍ୟ ଅପରାଧ ରୋକିବା ପାଇଁ ପର୍ଯ୍ୟାପ୍ତ ପୋଲିସ ମୁତୟନ ସହ ନିୟମିତ ପାଟ୍ରୋଲିଂ ଓ ରାତ୍ରିକାଳୀନ ପହରା ବ୍ୟବସ୍ଥା କରାଯାଇଛି। ବାତ୍ୟା ଆଶ୍ରୟସ୍ଥଳୀ, ରିଲିଫ୍ କେନ୍ଦ୍ର ଓ ସ୍ଥାନାନ୍ତରଣ କେନ୍ଦ୍ରଗୁଡ଼ିକରେ ଶୃଙ୍ଖଳା ଓ ସୁରକ୍ଷା ବଜାୟ ରଖିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଗୁଜବ, ଭ୍ରାନ୍ତ ସୂଚନା, ଆତଙ୍କ ସୃଷ୍ଟିକାରୀ ଖବର ଓ ରିଲିଫ୍ ତଥା ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଅପପ୍ରଚାର ଉପରେ ପୋଲିସ କଡ଼ା ନଜର ରଖିଛି। ଜନସାଧାରଣଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା କିମ୍ବା ଜରୁରୀକାଳୀନ କାର୍ଯ୍ୟରେ ବାଧା ଦେବା ଉଦ୍ଦେଶ୍ୟରେ ମିଥ୍ୟା ଓ ବିଭ୍ରାନ୍ତିକର ସୂଚନା ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ନିଆଯିବ।
ବାତ୍ୟା ପରବର୍ତ୍ତୀ ପରିସ୍ଥିତିରେ ରାସ୍ତା ଯୋଗାଯୋଗ ପୁନଃସ୍ଥାପନ, ଆହତଙ୍କୁ ତୁରନ୍ତ ଚିକିତ୍ସାଳୟ ପହଞ୍ଚାଇବା, ରିଲିଫ୍ ବଣ୍ଟନ କେନ୍ଦ୍ର ଓ ବାତ୍ୟା ଆଶ୍ରୟସ୍ଥଳୀର ସୁରକ୍ଷା ଏବଂ ବିଦ୍ୟୁତ୍, ପାନୀୟ ଜଳ ଓ ଯୋଗାଯୋଗ ବ୍ୟବସ୍ଥାର ପୁନରୁଦ୍ଧାର କାର୍ଯ୍ୟରେ ପୋଲିସ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବ। ଏଥିପାଇଁ ଜିଲ୍ଲା ପୋଲିସ ପକ୍ଷରୁ ଜିଲ୍ଲା ପ୍ରଶାସନ, ଓଡ୍ରାଫ୍, ଅଗ୍ନିଶମ ସେବା, ଓସ୍ଡମା, ସ୍ୱାସ୍ଥ୍ୟ ବିଭାଗ, ପୂର୍ତ୍ତ ବିଭାଗ, ବିଦ୍ୟୁତ୍ ବିଭାଗ, ଜଳସମ୍ପଦ ବିଭାଗ, ସ୍ଥାନୀୟ ସଂସ୍ଥା ଓ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗ ସହ ଘନିଷ୍ଠ ସମନ୍ୱୟ ରଖାଯାଉଛି। ଉଦ୍ଧାର କାର୍ଯ୍ୟ, ସ୍ଥାନାନ୍ତରଣ, ଜରୁରୀ ଘଟଣା ଓ କ୍ଷୟକ୍ଷତି ସମ୍ପର୍କିତ ସମସ୍ତ ତଥ୍ୟର ସଠିକ୍ ରେକର୍ଡ ରଖିବାକୁ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କଠାରୁ ସୁରକ୍ଷା ସମ୍ପର୍କିତ ଅନୁମତି ମିଳିବା ପରେ ହିଁ ସ୍ଥାନାନ୍ତରିତ ଲୋକମାନଙ୍କୁ ନିଜ ଘରକୁ ଫେରିବାକୁ ଅନୁମତି ଦିଆଯିବ।
ଓଡ଼ିଶା ପୋଲିସ ଜନସାଧାରଣଙ୍କୁ ଏହି ସମୟରେ ଶାନ୍ତ, ସତର୍କ ଓ ସହଯୋଗୀ ରହିବାକୁ ଅନୁରୋଧ କରୁଛି। ଭାରତୀୟ ପାଣିପାଗ ବିଭାଗ (IMD), ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କେବଳ ସରକାରୀ ପାଣିପାଗ ବୁଲେଟିନ୍ ଓ ପରାମର୍ଶକୁ ଅନୁସରଣ କରିବା, ସ୍ଥାନାନ୍ତରଣ ନିର୍ଦ୍ଦେଶ ମିଳିଲେ ତୁରନ୍ତ ନିର୍ଦ୍ଧାରିତ ବାତ୍ୟା ଆଶ୍ରୟସ୍ଥଳୀକୁ ଯିବା ଏବଂ ଅତ୍ୟାବଶ୍ୟକ ନଥିଲେ ଯାତାୟାତରୁ ନିବୃତ୍ତ ରହିବାକୁ ପରାମର୍ଶ ଦିଆଯାଇଛି। ସମୁଦ୍ରକୂଳ, ନଦୀକୂଳ, ଜଳବନ୍ଦୀ ରାସ୍ତା, ଉପୁଡ଼ି ପଡ଼ିଥିବା ଗଛ, ବିଦ୍ୟୁତ୍ ଖୁଣ୍ଟ, ଛିଣ୍ଡି ପଡ଼ିଥିବା ତାର ଓ କ୍ଷତିଗ୍ରସ୍ତ କୋଠାଘରଠାରୁ ଦୂରେଇ ରହିବା ସହ ଜରୁରୀ ଔଷଧ, ପାନୀୟ ଜଳ, ଟର୍ଚ୍ଚ ଲାଇଟ୍ ଓ ଆବଶ୍ୟକୀୟ କାଗଜପତ୍ର ପ୍ରସ୍ତୁତ ରଖିବାକୁ ଅନୁରୋଧ କରାଯାଇଛି। ବୟସ୍କ ବ୍ୟକ୍ତି, ଶିଶୁ, ଦିବ୍ୟାଙ୍ଗ ଓ ଅନ୍ୟାନ୍ୟ ଅସହାୟ ବ୍ୟକ୍ତିଙ୍କୁ ସହଯୋଗ କରିବା ସହ ସାମାଜିକ ଗଣମାଧ୍ୟମରେ ଗୁଜବ ଓ ଅପ୍ରମାଣିତ ସୂଚନା ପ୍ରସାର ନକରିବାକୁ ମଧ୍ୟ ପୋଲିସ ପକ୍ଷରୁ ନିବେଦନ କରାଯାଇଛି।
ମିଶନ ଜିରୋ କାଜୁଆଲିଟି: ପ୍ରତ୍ୟେକ ଜୀବନ ମୂଲ୍ୟବାନ
ଡିଜିପି, ଓଡ଼ିଶାଙ୍କ ନେତୃତ୍ୱ ଓ ମାର୍ଗଦର୍ଶନରେ ତଥା ଆଇଜି, କେନ୍ଦ୍ରାଞ୍ଚଳ, କଟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓଡ଼ିଶା ପୋଲିସ ସମସ୍ତ ସମ୍ପୃକ୍ତ ବିଭାଗ ସହ ସମନ୍ୱୟ ରକ୍ଷା କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ‘ମିଶନ ଜିରୋ କାଜୁଆଲିଟି’ ଲକ୍ଷ୍ୟକୁ ସଫଳ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ଜାରି ସମସ୍ତ ନିର୍ଦ୍ଦେଶାବଳୀ ଓ ମାନକ କାର୍ଯ୍ୟପଦ୍ଧତିକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ସମୟୋଚିତ ସ୍ଥାନାନ୍ତରଣ, ତ୍ୱରିତ ଉଦ୍ଧାର, ଜରୁରୀକାଳୀନ ସହାୟତା, ଅସହାୟ ଓ ବିପଦସଙ୍କୁଳ ଲୋକଙ୍କ ସୁରକ୍ଷା ଏବଂ ଜୀବନ ଓ ସମ୍ପତ୍ତିର କ୍ଷୟକ୍ଷତି ରୋକିବା ହେଉଛି ପୋଲିସ ପ୍ରଶାସନର ସର୍ବୋଚ୍ଚ ପ୍ରାଥମିକତା। ପରିସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ନହେବା ପର୍ଯ୍ୟନ୍ତ କେନ୍ଦ୍ରାଞ୍ଚଳର ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସଜାଗ, ସକ୍ରିୟ ଓ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଜରୁରୀକାଳୀନ ସହାୟତା ପାଇଁ ଜନସାଧାରଣ ନିକଟସ୍ଥ ଥାନା କିମ୍ବା ଜିଲ୍ଲା ପୋଲିସ ନିୟନ୍ତ୍ରଣ କକ୍ଷ ସହ ଯୋଗାଯୋଗ କରିବା ସହ ୧୧୨ ନମ୍ବରକୁ କଲ୍ କରିପାରିବେ।
ପ୍ରତ୍ୟେକ ଜୀବନର ସୁରକ୍ଷା ଓ ଜନସାଧାରଣଙ୍କ ନିରାପତ୍ତା ନିଶ୍ଚିତ କରିବା ପାଇଁ ଓଡ଼ିଶା ପୋଲିସ ସର୍ବଦା ପ୍ରତିବଦ୍ଧ।

