ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍): ରାଜଧାନୀରେ ବେଆଇନ ଗଞ୍ଜେଇ କାରବାର ବିରୋଧରେ କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍ ପକ୍ଷରୁ ବଡ଼ଧରଣର ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୪୯ କେଜି ଗଞ୍ଜେଇ ଜବତ କରାଯିବା ସହ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ କୋରାପୁଟ ଟାଉନ୍ ଥାନା ହାଟପଦା ଅଞ୍ଚଳର ଶିବାଜୀ ବେହେରା ଓରଫ ଶିବା (୨୯) ଏବଂ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେଇସିଆଣି, ସମେଇଗାଡ଼ିଆ ଅଞ୍ଚଳର ଅଶୋକ ନାୟକ ଓରଫ ଅଶୋକ (୨୯)।
ପୋଲିସ ସୂଚନା ଅନୁଯାୟୀ, ଗୁରୁବାର (୨୬ ନଭେମ୍ବର) ଅପରାହ୍ଣ ପ୍ରାୟ ୨ଟା ୩୦ ମିନିଟ୍ ସମୟରେ ଗୁଇନ୍ଦା ସୂଚନା ଆଧାରରେ ସ୍ପେଶାଲ କ୍ରାଇମ୍ ୟୁନିଟ୍ ପକ୍ଷରୁ ନନ୍ଦନକାନନ ଥାନା ଅଧୀନ ଡିଡିଏମ୍ ଆଭେନ୍ୟୁ ନିକଟ କେନ୍ଦୁପାଟଣା-ପଦାସାହି ରାସ୍ତାରେ ଚଢ଼ାଉ କରାଯାଇଥିଲା। ଗଞ୍ଜେଇ କାରବାର ପାଇଁ ଅଭିଯୁକ୍ତମାନେ ସେଠାରେ ଏକାଠି ହୋଇଥିବାବେଳେ ପୋଲିସ ସେମାନଙ୍କୁ ଅଟକାଇ ଯାଞ୍ଚ କରିଥିଲା। ଏହି ସମୟରେ ୪୯ କେଜି ଗଞ୍ଜେଇ ଜବତ ହୋଇଥିଲା।
ଏଥିସହ ଅଭିଯୁକ୍ତଙ୍କ ନିକଟରୁ ୩ଟି ମୋବାଇଲ୍ ଫୋନ୍, ଗୋଟିଏ ହୋଣ୍ଡା ଆକ୍ଟିଭା ସ୍କୁଟି (ଓଡି-୦୨-ବିଏଚ୍-୮୧୨୫) ଏବଂ ୫୭୦ ଟଙ୍କା ନଗଦ ଜବତ କରାଯାଇଛି।
ପୋଲିସର ସୂଚନା ଅନୁସାରେ, ଅଭିଯୁକ୍ତ ଅଶୋକ ନାୟକଙ୍କ ନାମରେ ପୂର୍ବରୁ ମଞ୍ଚେଶ୍ୱର ଥାନାରେ ୨୦୧୯ ମସିହାରେ ମାମଲା ଏବଂ ଏୟାରଫିଲ୍ଡ ଥାନାରେ ୨୦୨୩ ମସିହାରେ ଅପହରଣ, ଡକାୟତି ଓ ଅସ୍ତ୍ରଶସ୍ତ୍ର ଆଇନ ସମ୍ପର୍କିତ ମାମଲା ରହିଛି।
ଗିରଫ ଦୁଇ ଅଭିଯୁକ୍ତଙ୍କୁ ଜେରା କରାଯାଉଥିବାବେଳେ ଗଞ୍ଜେଇର ଉତ୍ସ, ଯୋଗାଣକାରୀ ଏବଂ ଏହି ବେଆଇନ କାରବାର ପଛରେ ଥିବା ଅନ୍ୟ ବ୍ୟକ୍ତିଙ୍କ ସମ୍ପର୍କରେ ତଦନ୍ତ ଜାରି ରହିଛି। ତଦନ୍ତ ପରେ ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରାଯିବ।
ବେଆଇନ ନିଶାଦ୍ରବ୍ୟ କାରବାର ସମ୍ପର୍କରେ କୌଣସି ସନ୍ଦେହଜନକ ସୂଚନା ମିଳିଲେ ସାଧାରଣ ଲୋକେ ସ୍ପେଶାଲ କ୍ରାଇମ୍ ୟୁନିଟ୍ର ୦୬୭୪-୨୯୧୬୩୮୩ ନମ୍ବରରେ ସକାଳ ୧୦ଟାରୁ ରାତି ୮ଟା ମଧ୍ୟରେ ଯୋଗାଯୋଗ କରିପାରିବେ। ସୂଚନାଦାତାଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନ ରଖାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

