ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍): କମିଶନରେଟ୍ ପୋଲିସ ଅନ୍ତର୍ଗତ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲ୍ଲାର ନୂଆ ଡିସିପି ଭାବେ ୨୦୧୫ ବ୍ୟାଚର ଆଇପିଏସ୍ ଅଫିସର ସର୍ବଣା ବିବେକ ଏମ୍. ଆଜି (ଶୁକ୍ରବାର) ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସେ ବ୍ରହ୍ମପୁର ଏସପି ଭାବେ କାର୍ଯ୍ୟ କରୁଥିଲେ । ମଙ୍ଗଳବାର ତାଙ୍କ ବଦଳି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା । ଆଜି ଅପରାହ୍ନରେ କମିଶନରେଟ୍ ପୋଲିସ କାର୍ଯ୍ୟାଳୟରେ ସର୍ବଣା ବିବେକ ପହଞ୍ଚିବା ପରେ ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ । ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ ତାଙ୍କୁ କମିଶନରେଟ ପୋଲିସ ବ୍ୟାଚ୍ ପିନ୍ଧାଇ ଟିମରେ ସାମିଲ କରିଥିଲେ । ପରେ ସର୍ବଣା ବିବେକ ବାଣୀ ବିହାରସ୍ଥିତ ଡିସିପି ଅଫିସରେ ପହଞ୍ଚିଥିଲେ । ବିଭିନ୍ନ ବରିଷ୍ଠ ଅଧିକାରୀ, ଜୋନ୍ ଏସିପି, ଥାନାଧିକାରୀ ପ୍ରମୁଖ ଡିସିପି କାର୍ଯ୍ୟାଳୟରେ ସର୍ବଣା ବିବେକଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।
ଦାୟିତ୍ୱ ଗ୍ରହଣ ପରେ ଡିସିପି ସର୍ବଣା ବିବେକ୍ ଗଣମାଧ୍ୟମକୁ କହିଥିଲେ, “ପୋଲିସ କାମ ସବୁବେଳେ ଏକ ଟିମ୍ ୱର୍କ । ଡିଜିପି ସାର୍ ଏବଂ ସିପି ସାରଙ୍କ ନିର୍ଦ୍ଦେଶକ୍ରମେ ଆମେ କାମ କରିବୁ । ସବୁ ଅଫିସରଙ୍କ ସହ ମିଶି ଲୋକଙ୍କ ସେବା କରିବୁ । ଲୋକଙ୍କ ଦୁଃଖ ଓ ସମସ୍ୟା ବୁଝି ତାକୁ ଦୂର କରିବାକୁ ସମସ୍ତେ କାମ କରିବୁ । ଏଥିପାଇଁ ଆମେ ଟିମ୍ ଗଠନ କରିବୁ । ଯେଉଁ ଆହ୍ୱାନ ଆସୁଛି ଆମ ସାମ୍ନାକୁ ସେହି ଅନୁଯାୟୀ ଆମେ ଯୋଜନା କରି ତାହାର ସମାଧାନ କରିବାକୁ ଆମେ ପଦକ୍ଷେପ ନେବୁ ।
ଏବେ ସାଇବର କ୍ରାଇମ ବହୁତ ବଡ଼ ଚ୍ୟାଲେଞ୍ଜ ରହିଛି । ଏହି କ୍ରାଇମରେ ବହୁତ ଲୋକ ବଡ଼ ପରିମାଣର ଟଙ୍କା ହରାଉଛନ୍ତି । ଏଥିପାଇଁ ସଚେତନତା, ଗିରଫଦାରୀ ଏବଂ ପୋଲିସ ଟିମକୁ ସଶକ୍ତ କରିବାକୁ ପଡ଼ିବ । ଭୁବନେଶ୍ୱର ପୋଲିସ ଭଲ କାମ କରି ପୂର୍ବରୁ ସଫଳତା ପାଇଛି । କମ୍ ଦିନରେ ଦଣ୍ଡବିଧାନ ହେବାର ରେକର୍ଡ଼ ମଧ୍ୟ ରହିଛି । ସେହି ଭଲ କାମକୁ ଆଗକୁ ନେଇ କାମ କରିବୁ । ଆଗକୁ ପାର୍ବଣ ଆସୁଥିବାରୁ ଏଥିପାଇଁ ସବୁ ଦିଗକୁ ନେଇ ସୁରକ୍ଷା ବ୍ୟବସ୍ଥା କରାଯିବ,’ ବୋଲି ଡିସିପି କହିଛନ୍ତି ।
ତାମିଲନାଡୁ ଜନ୍ମିତ ସର୍ବଣା ବିବେକ୍ ଏମବିବିଏସ ପଢ଼ା ପରେ ଡାକ୍ତର ଭାବେ କାର୍ଯ୍ୟ କରିଥିଲେ । ପରେ ସେ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଓଡ଼ିଶା କ୍ୟାଡର ଆଇପିଏସ ଭାବେ ଯୋଗ ଦେଇଥିଲେ । ବିବେକ୍ ଏମ୍. ପ୍ରଥମେ ମାଲକାନଗିରି ଏସଡିପିଓ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ରାୟଗଡା, କଳାହାଣ୍ଡି, ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନର ଏସପି ଏବଂ ବ୍ରହ୍ମପୁର ଏସପି ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ ।

