ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍): ରାଜଧାନୀରେ ପୁଣି ଦୁର୍ବୃତ୍ତଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ଦିନ ଦ୍ବିପ୍ରହରରେ ଗୋଡାଇ ଗୋଡାଇ ଆକ୍ରମଣ କରିଛନ୍ତି। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଆଜି (ଶନିବାର) ଏହି ଘଟଣା ଘଟିଛି। ପୂର୍ବ ଶତ୍ରୁତାରୁ ଏହି ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି। ଗୁରୁତର ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ଚନ୍ଦ୍ରଶେଖରପୁର ପୋଲିସ ଛାନଭିନ୍ ଆରମ୍ଭ କରିଛି।
ଶୈଳେଶ୍ରୀବିହାର ମଙ୍ଗଳା ମନ୍ଦିର ଛକ ନିକଟରେ ଏହି ଘଟଣା ଘଟିଥିଲା। ଦୁଇ ଜଣ ଯୁବକ ବିଭିନ୍ନ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଏନେଇ ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ଗିରିଶ ଚନ୍ଦ୍ର ମହାରଣା କହିଛନ୍ତି ‘‘ଘଟଣାକୁ ନେଇ ଏଯାଏ ଥାନାରେ କୌଣସି ରିପୋର୍ଟ ହୋଇନାହିଁ। ଆକ୍ରମଣରେ ଜଣେ ଯୁବକ ଆହତ ହୋଇଥିବା ଜଣାପଡିଛି। ତାଙ୍କ ପରିଚୟ ପାଇବାକୁ ଉଦ୍ୟମ ଜାରି ରହିଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରାଯିବା ସହ ସିସିଟିଭି ଯାଞ୍ଚ ଜାରି ରହିଛି’’ ।
ଅନ୍ୟପକ୍ଷରେ ନଭେମ୍ବର ୨୨ ତାରିଖ ରାତିରେ ଭରତପୁର ଥାନା ଅଞ୍ଚଳରେ ଏଭଳି ଏକ ସମାନ କାଣ୍ଡ ଘଟିଥିଲା। ଭରତପୁର ଥାନା ଅନ୍ତର୍ଗତ ବରମୁଣ୍ଡା ଜଗନ୍ନାଥ ବିହାରରେ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଜଣେ ବ୍ୟବସାୟୀଙ୍କୁ ଆକ୍ରମଣ କରିଥିଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ସ୍ଥାନୀୟ ଅଞ୍ଚଳର ବ୍ୟବସାୟୀ ପ୍ରତ୍ୟୁଷ ନନ୍ଦ ଗୁରୁତର ହୋଇଥିଲେ। ଆକ୍ରମଣରେ ତାଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିଲା। ଏପରିକି ଅଭିଯୁକ୍ତମାନେ ତାଙ୍କ ସ୍କୁଟିକୁ ମଧ୍ୟ ଆକ୍ରମଣ କରି ଚୁରମାର କରିଦେଇଥିଲେ।
ଏ ସମ୍ପର୍କରେ ଭରତପୁର ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ହେଲେ ଏଯାଏ ଏହି ମାମଲାରେ କୌଣସି ଅଭିଯୁକ୍ତ ଗିରଫ ହୋଇନାହାନ୍ତି। ଯାହାକୁ ନେଇ ପୋଲିସ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୂର୍ବ ଶତ୍ରୁତାକୁ ନେଇ ଏହି ଘଟଣା ଘଟିଥିବା ପୋଲିସ ଅନୁମାନ କରୁଛି।

