ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍): ଆଭ୍ୟନ୍ତରୀଣରୁ ଉପକୂଳ, ସବୁଠି ଅଚାନକ ମାଡ଼ି ଆସିଛି ଶୀତ । ଗତକାଲି ଠାରୁ ରାଜ୍ୟରେ ଶୀତ ବଢ଼ିବା ଆରମ୍ଭ ହୋଇଛି । ହେଲେ ଏଯାଏଁ ଶୀତ ଲହରୀ ନାହିଁ । ଏବେ ରାଜ୍ୟରେ ଶୁଷ୍କ ଜଳବାୟୁ ରହିଛି ଏବଂ ଆକାଶ ସମ୍ପୂର୍ଣ୍ଣ ମେଘମୁକ୍ତ ରହିଛି । ଆସନ୍ତା ୫ ତାରିଖ ଯାଏ ଏହିଭଳି ଥଣ୍ଡା ସ୍ଥିତି ଜାରି ରହିବ । ଗୋଟିଏ ପରେ ଗୋଟିଏ ସିଷ୍ଟମ୍ ଆସିବା ଫଳରେ ତାପମାତ୍ରା ପ୍ରଭାବିତ ହୋଇଥିଲା । ଏବେ ଆଗାମୀ ୫ ରୁ ୬ ତାରିଖ ବେଳକୁ ଉତ୍ତର-ପଶ୍ଚିମ ଦିଗରୁ ପଶ୍ଚିମ ବାୟୁ ଆସିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାତି ତାପମାତ୍ରା ୩ ରୁ ୪ ଡିଗ୍ରୀ ଯାଏଁ କମିପାରେ । ଏନେଇ ସୋଆ ସିଇସି ନିର୍ଦ୍ଦେଶକ ଡ ଶରତ ସାହୁ ସୂଚନା ଦେଇଛନ୍ତି ।
ସେପଟେ ଶ୍ରୀଲଙ୍କା ଉପକୂଳ ପାଖାପାଖି ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ତା’ର ପ୍ରଭାବରେ ଓଡ଼ିଶାରେ ଥଣ୍ଡା ବଢ଼ିବ କିନ୍ତୁ ବର୍ଷା ହେବାର ସମ୍ଭାବନା ନାହିଁ । ଆସନ୍ତା ୫ ତାରିଖ ଯାଏଁ ରାଜ୍ୟରେ ବର୍ଷା ନାହିଁ । ଆସନ୍ତାକାଲି ଠାରୁ ଉପକୂଳ ଜିଲ୍ଲାରେ କିଛି କିଛି ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିପାରେ । ଦାରିଙ୍ଗିବାଡ଼ି, ସୁନ୍ଦରଗଡ଼ ଓ ଜି. ଉଦୟଗିରିରେ ତାପମାତ୍ରା ୮ ଡିଗ୍ରୀ ପାଖାପାଖି ରହିବା ସମ୍ଭାବନା ରହିଛି ବୋଲି ସୋଆ ସିଇସି ନିର୍ଦ୍ଦେଶକ କହିଛନ୍ତି ।

