ନୂଆଦିଲ୍ଲୀ, (ରିପୋର୍ଟର୍ସ ପେନ୍): ଏବେ କ୍ରିକେଟ୍ ଜଗତରେ ଚର୍ଚ୍ଚାରେ ଅଛନ୍ତି ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ଆଇପିଏଲ୍ ହେଉ କି ଅନ୍ତର୍ଜାତୀୟ କ୍ରିକେଟ୍ ଅଥବା ଅଣ୍ଡର-୧୯ ମ୍ୟାଚ୍, ପ୍ରତ୍ୟେକ ମଞ୍ଚରେ ନିଜର ବିସ୍ଫୋରକ ବ୍ୟାଟିଂ ବଳରେ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛନ୍ତି ବୈଭବ। ନିକଟରେ ମାତ୍ର ୫୨ ବଲ୍ରେ ଦ୍ୱିଶତକ ହାସଲ କରି ଲିଷ୍ଟ-ଏ କ୍ରିକେଟ୍ରେ ଦ୍ରୁତତମ ଦ୍ୱିଶତକର ରେକର୍ଡ କରିଥିଲେ। ତେବେ ଏବେ ଇଂଲଣ୍ଡର ଜଣେ ବ୍ୟାଟର ଷ୍ଟ୍ରାଇକ୍ ରେଟ୍ରେ ବୈଭବଙ୍କୁ ପଛରେ ପକାଇ ଚର୍ଚ୍ଚାକୁ ଆସିଛନ୍ତି।
ଏହି ବ୍ୟାଟର ହେଉଛନ୍ତି ୨୯ ବର୍ଷୀୟ ଏନ୍ୟୁରିନ୍ ଡୋନାଲ୍ଡ। ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍ରେ ଖେଳିଥିବା ଡୋନାଲ୍ଡ ଟି-୨୦ ଫର୍ମାଟ୍ରେ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଚର୍ଚ୍ଚାରେ ଅଛନ୍ତି। ୨୦୨୪ରୁ ପୁରୁଷ ଟି-୨୦ କ୍ରିକେଟ୍ରେ ସର୍ବାଧିକ ଷ୍ଟ୍ରାଇକ୍ ରେଟ୍ରେ ରନ୍ ସଂଗ୍ରହ କରିବାରେ ଡୋନାଲ୍ଡ ଏକ ନମ୍ବର ସ୍ଥାନରେ ରହିଛନ୍ତି।
ଏହି ତାଲିକାରେ ଡୋନାଲ୍ଡଙ୍କ ଷ୍ଟ୍ରାଇକ୍ ରେଟ୍ ୨୧୬.୮୯ ଥିବାବେଳେ ବୈଭବ ସୂର୍ଯ୍ୟବଂଶୀ ୨୧୨.୮୪ ଷ୍ଟ୍ରାଇକ୍ ରେଟ୍ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେହିପରି ଭାରତର ଅଭିଷେକ ଶର୍ମା ଓ ପ୍ରିୟାଂଶ ଆର୍ଯ୍ୟ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି।
୨୦୨୪ରୁ ପୁରୁଷ ଟି-୨୦ରେ ସର୍ବାଧିକ ଷ୍ଟ୍ରାଇକ୍ ରେଟ୍ (ଅତିକମ୍ରେ ୧୦୦୦ ରନ୍)
-
ଏନ୍ୟୁରିନ୍ ଡୋନାଲ୍ଡ – ୨୧୬.୮୯
-
ବୈଭବ ସୂର୍ଯ୍ୟବଂଶୀ – ୨୧୨.୮୪
-
ଅଭିଷେକ ଶର୍ମା – ୨୦୨.୧୩
-
ପ୍ରିୟାଂଶ ଆର୍ଯ୍ୟ – ୧୮୫.୪୮
-
ମିଚ୍ ଓୱେନ୍ – ୧୮୪.୬୧
କିପରି ରହିଛି ଡୋନାଲ୍ଡଙ୍କ ଟି-୨୦ କ୍ୟାରିୟର?
ଏନ୍ୟୁରିନ୍ ଡୋନାଲ୍ଡ ଏପର୍ଯ୍ୟନ୍ତ ନିଜ ଟି-୨୦ କ୍ୟାରିୟରରେ ୧୧୮ଟି ମ୍ୟାଚ୍ ଖେଳିଛନ୍ତି। ଏଥିରେ ଇଂଲଣ୍ଡ ପକ୍ଷରୁ ଖେଳିଥିବା ୬ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ମଧ୍ୟ ସାମିଲ ରହିଛି। ୧୧୮ଟି ଇନିଂସ୍ରେ ସେ ୨୪.୩୨ ହାରରେ ମୋଟ ୨୬୨୭ ରନ୍ ସଂଗ୍ରହ କରିଛନ୍ତି। ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୭୫.୦୧ ରହିଛି। ଏହି ସମୟରେ ସେ ୧୯ଟି ଅର୍ଦ୍ଧଶତକ ହାସଲ କରିଥିବାବେଳେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ୯୧ ରନ୍ ରହିଛି। ୨୦୧୫ ଜୁଲାଇରେ ସେ ଟି-୨୦ କ୍ରିକେଟ୍ରେ ପଦାର୍ପଣ କରିଥିଲେ। ଦୀର୍ଘ ୧୧ ବର୍ଷ ଧରି ଏହି ଫର୍ମାଟ୍ରେ ସେ ନିଜର ଦକ୍ଷତା ଦେଖାଇ ଆସୁଛନ୍ତି।

