ଭୁବନେଶ୍ଵର, (ରିପୋର୍ଟର୍ସ ପେନ୍): ଅନ୍ଲାଇନ୍ ଚାଲାଣ ଫାଙ୍କିବାକୁ ଗଳାବାଟ ବାଛି ନେଇଛନ୍ତି ଅମାନିଆ। ସେମାନେ ଚାଲାଣରୁ ବର୍ତ୍ତିବା ପାଇଁ ଗାଡି ନମ୍ବର ଉପରେ କାଗଜ ଷ୍ଟିକର ମାରି ଦେଉଛନ୍ତି। ଏହା ପରେ ସେମାନେ ନିର୍ଭୟରେ ସହର ବୁଲି ସମସ୍ତ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଛନ୍ତି। ସେମାନଙ୍କୁ ବିଭିନ୍ନ ଛକରେ ଲାଗିଥିବା ସିସିଟିଭି ଫୁଟେଜ କ୍ୟାପ୍ଚର କଲେ ମଧ୍ୟ ଗାଡି ନମ୍ବର ଲୁଚା ଯାଇଥିବାରୁ ଚାଲାଣ ହୋଇ ପାରୁନି।
ଯେଉଁଥି ପାଇଁ ସହରରେ ଅମାନିଆ ଚାଳକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗାଡ଼ି ନମ୍ବର ଲୁଚାଇ ବୁଲୁଥିବା ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପୋଲିସ ବିଭିନ୍ନ ଛକରେ ଏଥର ଅତର୍କିତ ଚଢଉ କରି ଘଣ୍ଟିକିଆ ଯାଞ୍ଚ କରିବ। ଯାଞ୍ଚ ସମୟରେ ଯେଉଁମାନେ ଏଭଳି ଅପରାଧ କରୁଥିବା ଧରାପଡ଼ିବେ ସେମାନଙ୍କ ଗାଡିକୁ ଜବତ କରାଯିବା ସହ ମୋଟା ରକମର ଜରିମାନା କରାଯିବ। ଆହୁରି ମଧ୍ୟ କେଉଁ ଛକରେ ଯାଞ୍ଚ କରାଯିବା ତାହା କୌଣସି କର୍ମଚାରୀ କିମ୍ବା ଅନ୍ୟ କେହି ଜାଣିବେ ନାହିଁ। ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ନିର୍ଦ୍ଧିଷ୍ଟ ଛକରେ ଚଢଉ କରାଯାଇ ୧ ଘଣ୍ଟା ଘଣ୍ଟା ପାଇଁ ଯାଞ୍ଚ କରାଯିବ ବୋଲି ଟ୍ରାଫିକ୍ ଏସିପି ଉମାକାନ୍ତ ପ୍ରଧାନ ସୂଚନା ଦେଇଛନ୍ତି।
ଗତ କିଛି ମାସ ହେବ ଯେଉଁମାନେ ହେଲମେଟ ପିନ୍ଧୁନାହାନ୍ତି କିମ୍ବା ବାଇକ୍ରେ ୩ଜଣ ବସି ଯାଉଛନ୍ତି। ଏକାଧିକ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ ବିଭିନ୍ନ ଛକରେ ଲାଗିଥିବା ସିସିିଟିଭି ଫୁଟେଜରୁ ଗାଡି ନମ୍ବର ଚିହ୍ନଟ କରାଯାଇ ଅନ୍ଲାଇନ୍ ଚାଲାଣ କରାଯାଉଥିଲା। ହେଲେ ଅମାନିଆ ଚାଳକ ଚାଳଣରୁ ବର୍ତ୍ତିବା ପାଇଁ କିଏ ଗାଡ଼ିରୁ ନମ୍ବର ପ୍ଲେଟ୍ ଖୋଲି ଦେଉଥିବା ବେଳେ ଅନେକ ଗାଡ଼ି ନମ୍ବର ପ୍ଲେଟ୍ ଉପରେ ଲେମ୍ବୁ,ଲଙ୍କା ଏବଂ ଛିଟକନା ବାନ୍ଧି ଦେଉଛନ୍ତି। ଆହୁରି ମଧ୍ୟ କେତେକ ଅମାନିଆ ଚାଳକ ଗାଡି ନମ୍ବର ପ୍ଲେଟ୍ର ଗୋଟିଏ ନମ୍ବର ଉପରେ କାଗଜ ଷ୍ଟିକର ମାରି ଦେଉଛନ୍ତି। ଯାହାଫଳରେ ଗାଡିର ସଠିକ୍ ନମ୍ବର ଦେଖାଯାଉନଥିବାରୁ ଚାଲାଣ କଟାଯାଇପାରୁନି।
ଗତ ୬ ମାସରେ ଏଭଳି ନମ୍ବର ପ୍ଲେଟ୍ ଘୋଡ଼ାଇ ବୁଲୁଥିବା ୩୫ ଟି ଗାଡି ଧରାଗଲାଣି। ବିଶେଷ କରି ରାଜମହଲ, ରୁପାଲି, ରସୁଲଗଡ଼, ଏଜି ଭଳି ବଡ଼ ଛକରୁ ଏହି ଅମାନିଆ ଧରାପଡ଼ିଛନ୍ତି। ବଡ଼ କଥା ହେଲା ଏହି ଅମାନିଆ ଗାଡିର ନମ୍ବର ପ୍ଲେଟ୍ ଲୁଚାଇ ବୁଲୁଥିବାରୁ ସେମାନେ ଅନେକ ଅପରାଧରେ ସାମିଲ ହୋଇଥାଇ ପାରନ୍ତି। କୌଣସି ସ୍ଥାନରେ ଅପରାଧ ଘଟାଇ ଫେରାର ହେଲେ ସେମାନଙ୍କୁ ପୋଲିସ ଧରିବାରେ କଷ୍ଟକର ହୋଇଥାଏ। ତେଣୁ ସ୍ପେଶାଲ ଡ୍ରାଇଭ୍ ମାଧ୍ୟମରେ ଏହି ଅମାନିଆଙ୍କୁ ସାବାଡ଼ କରାନଗଲେ ଆଗକୁ ଏଭଳି ଅମାନିଆଙ୍କ ସଂଖ୍ୟା ବଢିବ ବୋଲି ପୋଲିସ କହିଛି।
ଯେଉଁମାନେ ଗାଡି ନମ୍ବର ଲୁଚାଇଥିବା ବେଳେ ଧରାପଡ଼ିବେ ସେମାନଙ୍କର ଅପରାଧିକ ରେକର୍ଡ ଯାଞ୍ଚ କରାଯିବ। ଯଦି ଜଣଙ୍କ ନାମରେ ଅପରାଧିକ ରେକର୍ଡ ଥିବା ତାଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। କାରଣ ରାଜଧାନୀରେ ହେଉଥିବା ସୁନାଚେନ୍ ଲୁଟ୍ ଆଦି ମାମଲାରେ ଏଭଳି ନମ୍ବର ପ୍ଲେଟ୍ ଲୁଚାଇ ଅପରାଧ ଘଟାଉଛନ୍ତି। ତେଣୁ ଥାନା ଠାରୁ ଆରମ୍ଭ କରି ଟ୍ରାଫିକ୍ ପୋଲିସ ପକ୍ଷରୁ ଏଭଳି ନମ୍ବର ପ୍ଲେଟ୍ ଯାଞ୍ଚକୁ କଡ଼ାକଡ଼ି କରାଯିବ ବୋଲି ଜଣାପଡ଼ିଛି।

