Pradip Pradhan: ଭୁବନେଶ୍ୱର (ରିପୋଟର୍ସ ପେନ୍) : ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ରାଜ୍ୟ ସୂଚନା କମିସନର ହେବା ନେଇ ଚର୍ଚ୍ଚା ବଢିବା ପରେ ଏବେ ତାଙ୍କ ବିରୋଧୀ ଏକଜୁଟ ହୋଇଛନ୍ତି । ଶ୍ରୀ ପ୍ରଧାନ ଯଦି ସୂଚନା କମିଶନର ହୁଅନ୍ତି, ତେବେ ପକ୍ଷପାତିତା ହେବା ନିଶ୍ଚିତ ବୋଲି ଦାବି କରି ବିରୋଧୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଫେରାଦ ହେବାକୁ ଯୋଜନା କରୁଛନ୍ତି ।
ନିର୍ଦ୍ଦିଷ୍ଟ ଭାବେ ବିଜେଡି ସରକାର, ଭିକେ ପାଣ୍ଡିଆନ୍ ଓ ଏକ ଘରୋଇ ଶିକ୍ଷାନୁଷ୍ଠାନ ବିରୋଧରେ ତଥ୍ୟ ସଂଗ୍ରହ କରି ଚର୍ଚ୍ଚାକୁ ଆସିଥିବା ଶ୍ରୀ ପ୍ରଧାନ ଏବେ ବିଜେପି ସରକାରଙ୍କ ଆନୁଗତ୍ୟ ଲାଭ କରିଛନ୍ତି । ଫଳରେ ସେ ସୂଚନା କମିଶନର ହେବା ସମ୍ଭାବନା ଅଧିକ ରହିଛି । ଏନେଇ ଗଣମାଧ୍ୟମରେ ଖବରପ୍ରକାଶ ପାଇବା ପରେ ତାଙ୍କ ବିରୋଧୀମାନେ ଏକ ଗୁପ୍ତ ବୈଠକ କରିଥିଲେ । ବୈଠକରେ ରାଜ୍ୟରର ଅନେକ ସୂଚନା ଅଧିକାର କର୍ମୀ ସାମିଲ ହୋଇଥିଲେ । ଯେଉଁମାନେ କି ଶ୍ରୀପ୍ରଧାନଙ୍କ କିଛି ନିର୍ଦ୍ଦିଷ୍ଟ କାର୍ଯ୍ୟକୁ ବିରୋଧ କରୁଛନ୍ତି ।
ବୈଠକରେ ପ୍ରଦୀପ ପ୍ରଧାନଙ୍କ କାର୍ଯ୍ୟଶୈଳୀକୁ ନେଇ ରାଜ୍ୟ ସରକାରଙ୍କୁ କିପରି ଅବଗତ କରାଯିବ, ସେ ନେଇ ଆଲୋଚନା ହୋଇଥିଲା । ଏନେଇ ଏକ ଟିମ ଗଠନ କରାଯାଇଛି । ଯେଉଁମାନେ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଶ୍ରୀ ପ୍ରଧାନଙ୍କ ବିରୋଧରେ ତଥ୍ୟ ଉପସ୍ଥାପନ କରିବେ । ନିଜ ସ୍ୱାର୍ଥରେ ବାଧା ଆସିଲେ, ସେ କାହାକୁ ବି ଆକ୍ରମଣ କରିପାରନ୍ତି ତାର ଉଦାହରଣ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦେବେ । ଯଦି ବାସ୍ତବରେ ପ୍ରଦୀପଙ୍କ ବିରୋଧୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟନ୍ତି, ତେବେ ଶ୍ରୀପ୍ରଧାନ ସୂଚନା କମିଶନ ହେବା ଆଶା ମଉଳି ଯିବ ଏଥିରେ ସନ୍ଦେହ ନାହିଁ ।
ଉଲ୍ଲେଖଥାଉ କି, ରାଜ୍ୟ ସୂଚନା କମିସନର ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ୪ପଦବୀ ପାଇଁ ୧୭୯ ଆବେଦନକାରୀ ଅଛନ୍ତି । ଏମାନଙ୍କ ମଧ୍ୟରେ ୧୯ଜଣ ଅବସରପ୍ରାପ୍ତ ଆଇଏଏସ୍ ଙ୍କ ସମେତ ଏକାଧିକ ଅବସରପ୍ରାପ୍ତ ଆଇପିଏସ୍, ଆଇଆରଏସ୍, ଆଇଏଫଏସ୍, ଓଏଏସ୍, ସାମ୍ବାଦିକ, ସ୍ୱେଚ୍ଛାସେବୀ ଏବଂ ଏକାଧିକ ସୂଚନା ଅଧିକାର କର୍ମୀ ଅଛନ୍ତି । କିନ୍ତୁ, ଏହି ଦୌଡ଼ରେ ପ୍ରଦୀପ ପ୍ରଧାନ ସବୁଠାରୁ ଆଗରେ ଅଛନ୍ତି ।
କୁହାଯାଉଛି, ପ୍ରଦୀପ ବିଜେଡି ସରକାର, ନବୀନ ପଟ୍ଟନାୟକ ଏବଂ ଭି.କେ.ପାଣ୍ଡିଆନ୍ ଙ୍କ ବିରୋଧରେ ସେ ତାଙ୍କର ଅଧା ସମୟ ଦେଇ ସାରିଛନ୍ତି । ଆରଟିଆଇକୁ ଅସ୍ତ୍ର କରି ଏମାନଙ୍କ ବିରୋଧରେ ନିରବଚ୍ଛିନ୍ନ ସଂଗ୍ରାମ କରିଛନ୍ତି । ଏପରି କି ବିଜେପି ସରକାର ଆସିବା ପଛରେ ତାଙ୍କର ପ୍ରମୁଖ ଭୂମିକା ରହିଛି ବୋଲି ତାଙ୍କର ଦାବି ସ୍ୱାଭାବିକ! ଏହି ଯୁକ୍ତିକୁ ସାଙ୍ଗରେ ଧରି ପ୍ରଦୀପ ନିଜର ଲବିକୁ ଜୋରଦାର କରିଛନ୍ତି । ସାରା ଓଡ଼ିଶାରେ ସୂଚନା ଅଧିକାରୀ କର୍ମୀଙ୍କୁ ନିଜ ସପକ୍ଷରେ ମତାଇ ସରକାରଙ୍କୁ ମନାଇବା ଲାଗି ଚେଷ୍ଟା ଜାରି ରଖିଛନ୍ତି ।