ଚାଉଳ ପରେ ଏବେ ଭାରତୀୟ ଲଙ୍କାକୁ ଚୀନ୍‌ର ନା’

Reporterspen

ନୂଆଦିଲ୍ଲୀ,  : ଚାଉଳ ପରେ ଏବେ ଭାରତୀୟ ଲଙ୍କାକୁ ଚୀନର ପ୍ରତ୍ୟାଖାନ । ରପ୍ତାନୀ ହୋଇଥିବା ଶୁଖିଲା ଲଙ୍କାକୁ ଫେରାଇ ଦେଲା ଚୀନ । ଯାହାକି କୃଷକ ଏବଂ ଲଙ୍କା ଯୋଗାଣକାରୀଙ୍କ ମଧ୍ୟରେ ଚିନ୍ତାର ବିଷୟ ପାଲଟିଛି । ଚୀନ ଏଭଳି କରିବା ଦ୍ୱାରା ଭାରତୀୟ ମସଲା ବଜାରରେ ବିଶେଷକରି ବ୍ୟବସାୟୀଙ୍କ ଉପରେ ଏହାର ବେଶୀ ପ୍ରଭାବ ପଡିଛି । ଅଧିକ ମାତ୍ରାରେ ରପ୍ତାନୀ ହୋଇଥିବା ଲଙ୍କା ଫେରିଆସିଲେ ମୋଟା ଅଙ୍କର ଆର୍ଥିକ କ୍ଷତି ସହିବାକୁ ପଡିବ ବୋଲି ଚିନ୍ତା ବଢିଛି । ଖାଲି ସେତିକି ନୁହେଁ ଚୀନ ତିନୋଟି ଭାରତୀୟ ରପ୍ତାନୀକାରୀ କମ୍ପାନୀ ଉପରେ ମଧ୍ୟ ଅସ୍ଥାୟୀ ଭାବରେ ରୋକ୍ ଲଗାଇଛି ।

ଚୀନ ଅଭିଯୋଗ କରିଛି ଯେ, ଏହି ଲଙ୍କା ଗୁଡିକରେ ମେଥାମିଡୋଫୋସ ନାମକ ଏକ କୀଟନାଶକ ଅଧିକ ମାତ୍ରାରେ ବ୍ୟବହାର କରାଯାଉଛି । ଏହା ଏଭଳି ଏକ କେମିକାଲ୍ ଯାହାକୁ ଖାଇବା ଦ୍ୱାରା ମଣିଷ ଶରୀରର ନର୍ଭସ୍ ସିଷ୍ଟମ ଉପରେ ମାରାତ୍ମକ ପ୍ରଭାବ ପଡିବ । ତେବେ ଆଶ୍ଚର୍ଯ୍ୟର ବିଷୟ ଏହି କୀଟନାଶକ ବ୍ୟବହାର କରିବାକୁ ଭାରତରେ ଔପଚାରିକ ଭାବେ ଅନୁମତି ମିଳିନାହିଁ । ତାହେଲେ ଚାଷୀମାନେ ଏହି କୀଟନାଶକ କେମିତି ପାଇବେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଚୀନର ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଦାବି ହୋଇଛି ।

ସୂଚନା ଥାଉକି, ଗତ ମାସରେ ଚୀନ ଭାରତର ଚାଉଳକୁ ପ୍ରତ୍ୟାଖାନ କରିଥିଲା । ଭାରତୀୟ ଚାଉଳରେ ଜେନେଟିକାଲ ମଡିଫାଇଡ୍ ତତ୍ତ୍ୱ ଥିବା ଚୀନ ଦାବି କରିଥିଲା । ଏବେ ଲଙ୍କା ଫେରାଇ ଦେବାରୁ ଚାଷୀଙ୍କ ମଧ୍ୟରେ ଚିନ୍ତା ବଢିଛି । ଚୀନରୁ ବ୍ୟାକ୍ ଟୁ ବ୍ୟାକ୍ ଏଭଳି ପ୍ରତ୍ୟାଖାନ ଯୋଗାଣକାରୀଙ୍କ ମଧ୍ୟରେ ଚିନ୍ତା ବଢାଇ ଦେଇଛି ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଚୀନର ଏହା ଚାଲାକି ହୋଇଥାଇପାରେ । ଏହା ପଛରେ ଡ୍ରାଗନର କୌଣସି ସୁଚିନ୍ତିତ ବ୍ୟବସାୟିକ ରଣନୀତି ଥାଇପାରେ । ଗତ ୨ ବର୍ଷରେ ଲଙ୍କା ଦର ଯେତେବେଳେ କମ୍ ଥିଲା ସେତେବେଳେ ଚୀନ ଅଧିକରୁ ଅଧିକ ମାତ୍ରାରେ ଲଙ୍କା ଆମଦାନୀ କରୁଥିଲା । ତାର ଷ୍ଟକ୍ ଫୁଲ୍ କରିବାରେ ଲାଗି ପଡିଥିଲା । ଏବେ କୀଟନାଶକ ବାହାନା କରି ଲଙ୍କା ଦର କମାଇବାକୁ ଚେଷ୍ଟା କରୁଥିବା ଅନୁମାନ କରାଯାଉଛି । ସେପଟେ ଚୀନ ଯେଉଁ ଲଙ୍କାକୁ ପ୍ରତ୍ୟାଖାନ କରିଛି ତାହା ଏବେ ସୁଦ୍ଧା ଭାରତ ଫେରିନାହିଁ । ତାହାର ଦାମ୍‌ରେ ମୁଲଚାଲ ଚାଲିଥିବା ସୂଚନା ମିଳିଛି ।


Reporterspen