ଗାଁର ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଲକ୍ଷ୍ୟ : ଧର୍ମେନ୍ଦ୍ର

Reporterspen

ଭୁବନେଶ୍ୱର, (ରିପୋର୍ଟର୍ସପେନ୍‌) : ଅନୁଗୋଳ ଜିଲ୍ଲା ଛେଣ୍ଡିପଦାଠାରେ ଶନିବାର ପ୍ରାୟ ୧୭୨କୋଟି ଟଙ୍କା ମୂଲ୍ୟର ୪୧ଟି ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଭୂମିପୂଜନ ହେଇଛି । ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଛେଣ୍ଡିପଦା ଅଞ୍ଚଳର ପ୍ରଗତି ପାଇଁ ନିର୍ମିତ ହେବାକୁ ଥିବା ଷ୍ଟାଡିୟମ୍‌ ଓ ନୂତନ କମ୍ୟୁନିଟି ସେଣ୍ଟର ଭଳି ବୃହତ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ଏଥିସହ ୪୨ଜଣ ହିତାଧିକାରୀଙ୍କୁ ସରକାରୀ ଯୋଜନାର ସୁଫଳ ପ୍ରଦାନ କରାଯାଇଛି।

ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ଯେ, ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନୁଗୋଳ ଜିଲ୍ଲାକୁ ପ୍ରାୟ ୨୫,୦୦୦ରୁ ଅଧିକ ଘର ଆସିବ ଏବଂ ଡବଲ ଇଞ୍ଜିନ ସରକାର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଭତ୍ତା ପହଞ୍ଚାଇବାକୁ ସଂକଳ୍ପବଦ୍ଧ। ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପର ବିକାଶ ଲକ୍ଷ୍ୟରେ ଡେରଜଙ୍ଗ ପ୍ରକଳ୍ପରେ ଏକ ଆଧୁନିକ ବୋଟିଂ ଫ୍ୟାସିଲିଟିର ଲୋକାର୍ପଣ କରାଯାଇଛି । ଏହାଦ୍ୱାରା ସ୍ଥାନୀୟ ଲୋକଙ୍କ ଆମଦାନୀ ଓ ରୋଜଗାର ବୃଦ୍ଧି ପାଇବ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକଶିତ ଭାରତ’ ଓ ଓଡ଼ିଶା ସରକାରଙ୍କ ‘ବିକଶିତ ଓଡ଼ିଶା’ ଲକ୍ଷ୍ୟ ତେବେ ସମ୍ଭବ ହେବ, ଯେବେ ଆମ ଅନୁଗୋଳ ଓ ଛେଣ୍ଡିପଦା ବିକଶିତ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।

ଆଗାମୀ ପିଢ଼ି ପାଇଁ ଏକ ସ୍ୱଚ୍ଛ ପରିବେଶ ଗଢ଼ିବା ଲକ୍ଷ୍ୟରେ ସେ ସ୍କୁଲ ଗୁଡ଼ିକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ସମସ୍ତ ଶିକ୍ଷକମାନଙ୍କ ସହଯୋଗ ଲୋଡ଼ିଛନ୍ତି ଶ୍ରୀ ପ୍ରଧାନ। ଶେଷରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ୨୦୩୬ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବା ସହ ପାଣି, ଘର ଓ ରୋଜଗାର ଭଳି ସମସ୍ୟାର ସମାଧାନ ପାଇଁ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ଏହି କାର୍ଯ୍ୟକ୍ରମ ପରେ ଶ୍ରୀ ପ୍ରଧାନ ଛେଣ୍ଡିପଦାଠାରେ ଦଳର ଏକ ନୂତନ କାର୍ଯ୍ୟାଳୟ ଉଦଘାଟନ କରିବା ସହ ମିଶ୍ରଣ ପର୍ବରେ ନୂଆ ସଦସ୍ୟଙ୍କୁ ଦଳରେ ସ୍ୱାଗତ କରିଥିଲେ।

ସେ କହିଥିଲେ, ଏହି କାର୍ଯ୍ୟାଳୟ କେବଳ ଏକ କୋଠା ନୁହେଁ, ବରଂ ଏହା ଆମ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସେବା, ସଂକଳ୍ପ ଏବଂ ସମର୍ପଣର ଏକ ନୂଆ କେନ୍ଦ୍ରବିନ୍ଦୁ। ଆଗାମୀ ଦିନରେ ଏହା ଅଞ୍ଚଳର ଜନସାଧାରଣଙ୍କ ସମସ୍ୟା ସମାଧାନ ଓ ବିକାଶମୂଳକ ଆଲୋଚନାର ପ୍ରମୁଖ ସ୍ଥଳ ସାଜିବ। ମିଶ୍ରଣ ପର୍ବରେ ନୂତନ ସଦସ୍ୟଙ୍କ ଯୋଗଦାନ ଛେଣ୍ଡିପଦା ଅଞ୍ଚଳରେ ସଂଗଠନକୁ ଅଧିକ ସୁଦୃଢ଼ ଓ ଗତିଶୀଳ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱ ସମ୍ପର୍କରେ ଆଲୋକପାତ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, “ଆଜି ଭାରତ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି।

ସୂଚନାଯୋଗ୍ୟ, ଛେଣ୍ଡିପଦାରେ ଆୟୋଜିତ ବିକାଶମୂଳକ କାର୍ଯ୍ୟର ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ୧୬୨.୯୧ କୋଟି ଟଙ୍କା ମୂଲ୍ୟର ୩୫ଟି ପ୍ରକଳ୍ପର ଶିଳାନ୍ୟାସ ସହ ୮.୭୩ କୋଟି ଟଙ୍କା ମୂଲ୍ୟର ୬ଟି ପ୍ରକଳ୍ପର ଲୋକାର୍ପଣ କରାଯାଇଛି।


Reporterspen