balanga- student fire case: ଭୁବନେଶ୍ୱର (ରିପୋଟର୍ସ ପେନ୍) : ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀଙ୍କ ଆତ୍ମଦାହ ମୃତ୍ୟୁ ଖବର ମନରୁ ଲିଭି ନଥିବା ବେଳେ ରାଜ୍ୟରେ ଆଉ ଏକ ଦୁଃଖଦ, ଅଭାବନୀୟ ଅମାନବୀୟ ଘଟଣା ଘଟିଛି । ପୁରୀ ଜିଲ୍ଲା ନିମାପଡ଼ା ବଳଙ୍ଗା ଥାନା ବାୟାବର ଗାଁରେ ଜଣେ ୧୫ବର୍ଷୀୟ ନାବାଳିକା ଛାତ୍ରୀଙ୍କ ଦେହରେ ଦୁବୃର୍ତ୍ତମାନେ ନିଆଁ ଲଗାଇ ଦେଇଛନ୍ତି । ଛାତ୍ରୀଙ୍କ ଶରୀରର ୫୦ ପ୍ରତିଶତ ପୋଡ଼ିଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତିି କରାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁସାରେ, ନିମାପଡ଼ା ବଳଙ୍ଗା ବାୟାବରର ଜଣେ ଯୁକ୍ତ-୨ ଛାତ୍ରୀ ସକାଳେ ସାଙ୍ଗ ଘରକୁ ବହି ଦେବାକୁ ଯାଉଥିଲେ । ଏହି ସମୟରେ ରାସ୍ତାରେ ୩ଜଣ ଦୁବୃର୍ତ୍ତ ତାଙ୍କୁ ବଳପୂର୍ବକ ନିକଟସ୍ଥ ନଦୀପଠାକୁ ଉଠାଇ ନେଇଥିଲେ । ସେଠାରେ ତାଙ୍କ ହାତକୁ ବାନ୍ଧି ଦେଇ ଦେହରେ କିରୋସିନ ପକାଇ ନିଆଁ ଲଗାଇ ଦେଇଥିଲେ । ସେ ଚିତ୍କାର କରିବାରୁ ଧରାପଡିବା ଭୟରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ପରେ ଛାତ୍ରୀ ଜଣକ ନିଆଁ ଜଳୁଥିବା ବେଳେ ଚିତ୍କାର କରି ଗାଁ ଆଡକୁ ଦୌଡିଥିଲା ।
ଗାଁ ମୁଣ୍ଡରେ ଯାଉଥିବା ଜଣେ ବ୍ୟକ୍ତି ଝିଅଟିକୁ ପ୍ରଥମେ ଉଦ୍ଧାର କରି ପାଣି ପିଇବାକୁ ଦେଇଥିଲେ । ପରେ ଲୋକଙ୍କ ସହାୟତାରେ ତାଙ୍କୁ ହସପିଟାଲ ପଠାଇଥିଲେ । ତେବେ ଝିଅଟି ତାଙ୍କୁ ଝିଅଟିଏ କହିଥିଲା, ମୋତେ ତିନିଜଣ ଯୁବକ ମୋ ମୁହଁ ବାନ୍ଧି ମୋତେ ଟେକିନେଲେ । ଝିଅଟିର ଶରୀର ପ୍ରାୟ ୭୦ ଭାଗ ପୋଡି ଯାଇଥିଲା । ଘଟଣା ଜଣାପଡିବା ପରେ ପୁରୀ ଏସପିଙ୍କ ସମେତ ବରିଷ୍ଠ ଅଧିକାରୀମାନେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ତେବେ କିଏ ଓ କାହିଁକି ଏଭଳି କଲା, ତାହା ଅସ୍ପଷ୍ଟ ରହିଛି ।
ଦୋଷୀଙ୍କ ବିରୋଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ
ବଳଙ୍ଗା ଥାନା ଅଂଚଳରେ ନାବାଳିକାଙ୍କୁ ନିଆଁ ଲଗାଇ ଜାଳି ଦେବା ଘଟଣାକୁ ନେଇ ପୁରୀ ଜିଲ୍ଲାପାଳ ଚଂଚଳ ରାଣା ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଜିଲ୍ଲାପାଳ କହିଛନ୍ତି, ‘ଘଟଣାକୁ ଅତ୍ୟନ୍ତ ଗୁରୁତର ସହକାରେ ନିଆଯାଇଛି । ପୀଡିତା ଝିଅର ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି । ଉତ୍ତମ ଚିକିତ୍ସା ପାଇଁ ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଛି । ପୀଡିତ ଘରକୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନଙ୍କୁ ପଠାଯାଇଛି । ପୀଡ଼ିତାଙ୍କୁ ନ୍ୟାୟ ପାଇଁ ସମସ୍ତ ଆଇନଗତ ସହାୟତା ଯୋଗାଇ ଦିଆଯିବ । ପୀଡ଼ିତା ପରିବାରକୁ ସମସ୍ତ ପ୍ରକାର ଆର୍ଥିକ ସାହାଯ୍ୟ ପ୍ରଦାନ କରାଯିବ । ପୀଡିତାର ସଂପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଘଟଣାର ତଦନ୍ତ ଚାଲିଥିବା ବେଳେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।’
ଏମ୍ସରେ କଂଗ୍ରେସ ଟିମ୍:
ନାବାଳିକା ଜାଳି ଦେବା ଘଟଣାରେ ପିସିସି ସଭାପତି ଭକ୍ତ ଚରଣ ଦାସ ଏକ ଟିମ୍ ଗଠନ କରିଛନ୍ତି । ଏହି ପିସିସି ଅନୁଧ୍ୟାନ କମିଟି ଏମ୍ସ ପରିଦର୍ଶନ କରିଥିଲେ । ଏହି ଟିମରେ ଅଛନ୍ତି ଶ୍ରୀକାନ୍ତ ଜେନା, ଜୟଦେବ ଜେନା, ଦେବାଶିଷ ପଟ୍ଟନାୟକ, ମାନସ ଆଚାର୍ଯ୍ୟ, ପ୍ରଦୀପ ମହାପାତ୍ର ।
ଇସ୍ତଫା ଦିଅନ୍ତୁ:
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଂଚଳରେ ନାବାଳିକା ଦେହରେ ନିଆଁ ଲଗାଇବା ଘଟଣାରେ ବିଜେଡି ବିଧାୟକ ଅରୁଣ ସାହୁ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ‘ଯେତେବେଳେ ଦୁର୍ବଳ ସରକାର ଚାଲେ, ସେତେବେଳେ ଅପରାଧିକ କାର୍ଯ୍ୟକଳାପ ବଢିଯାଏ । ଏଫଏମ କଲେଜରୁ ଜିଏମ ଯାଏଁ । ଏହା ସହ ଉପମୁଖ୍ୟମନ୍ତ୍ରୀଙ୍କ ନିଜ ଅଂଚଳରେ ଏପରି ଘଟଣା ଘଟିଛି । ବର୍ତ୍ତମାନ ଅପରାଧୀମାନେ ଜାଣିଛନ୍ତି ସରକାର ତାଙ୍କର କିଛି କରିବେନି । ସରକାରଙ୍କ ଛତ୍ରଛାୟା ତଳେ ରହୁଛନ୍ତି । ସେଥିପାଇଁ ଏପରି କାଣ୍ଡ ଘଟାଉଛନ୍ତି । ସରକାର ଇସ୍ତଫା ଦିଅନ୍ତୁ । ଭାରତବର୍ଷରେ ଓଡ଼ିଶାର ମୁଣ୍ଡ ତଳକୁ ହୋଇଗଲାଣି ।