Bharatpur Case: ଭୟ, କ୍ରୋଧ ଓ ଅଭିମାନ; ପୋଲିସ କାନ୍ଦୁଛି ଲୁଚି ଲୁଚି!

Reporterspen

Bharatpur Case:ଭୁବନେଶ୍ୱର (ରିପୋଟର୍ସ ପେନ୍‌): ଭରତପୁର ଥାନା ନିର୍ଯାତନା ମାମଲା ଏବେ ପ୍ରାୟତଃ ଥଣ୍ଡା ପଡିଯାଇଛି । କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଥିବା ବେଳେ ଖୁବଶୀଘ୍ର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହେବ । ପୀଡିତା ଓ ତାଙ୍କ ପରିବାର ସରକାରଙ୍କ ସହ ଆଲୋଚନା ପରେ ସେ ମଧ୍ୟ ଶାନ୍ତ ପଡିଯାଇଛନ୍ତି । ଏସବୁ ପରେ ବି ପୋଲିସର ମନ ବୁଝୁନି । ଭୟ, କ୍ରୋଧ ଓ ଅଭିମାନକୁ ଜାବୁଡି ଧରି ପୋଲିସ ଅଫିସର ଓ କର୍ମଚାରୀମାନେ ଲୁଚି ଲୁଚି କାନ୍ଦୁଥିବାର ନଜରକୁ ଆସିଛି ।

ଭରତପୁର ଥାନାରେ ପୀଡିତାଙ୍କ ସହ କ’ଣ ଘଟିଲା, ତାହା କେବଳ ସେଠାରେ ଉପସ୍ଥିତ ଥିବା କର୍ମଚାରୀ ଓ ପୀଡିତାଙ୍କୁ ହିଁ ଜଣା । ଏହାର କୌଣସି ପ୍ରମାଣ ଏପର୍ଯ୍ୟନ୍ତ ମିଳିପାରିନାହିଁ । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଛି । ତଦନ୍ତ ବେଳେ ସାଧାରଣତଃ କୌଣସି ଚାପ ନପଡିବା ଲାଗି ଅଭିଯୁକ୍ତ କୁହାଯାଉଥିବା ଅଧିକାରୀ ଓ କର୍ମଚାରୀଙ୍କୁ ବଦଳି କରାଯାଏ । ମାତ୍ର ଏହି ଘଟଣାର ତଦନ୍ତ ଚାଲୁଥିବା ବେଳେ ଥାନା ଅଧିକାରୀଙ୍କ ସମେତ ୫ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା ।

ଏହି ଘଟଣାକୁ ନେଇ ପୋଲିସ ବିରୋଧରେ ପ୍ରାୟ ସମସ୍ତ ଗଣମାଧ୍ୟମ ଖବର ପ୍ରକାଶ ଓ ପ୍ରସାରଣ କରିଥିଲା । ମିଡ଼ିଆରେ ଘନ ଘନ ପୋଲିସ ବିରୋଧୀ ନ୍ୟୁଜ, ସେନା ପକ୍ଷରୁ ଆନ୍ଦୋଳନ ଓ ତତ୍ପରତାକୁ ଦେଖି ନିଲମ୍ବିତ ପୋଲିସଙ୍କୁ ଗିରଫ କରାଯିବାର ସମ୍ଭାବନା ସୃଷ୍ଟି ହୋଇଥିଲା । ଫଳରେ କମିଶନରେଟ ପୋଲିସରେ କାର୍ଯ୍ୟରତ ଅଫିସର ଓ କର୍ମଚାରୀଙ୍କ ମନରେ ଅଜଣା ଭୟ ସୃଷ୍ଟି ହୋଇଥିଲା । ବିନା କାରଣରେ ଓ ଚାପରେ ଯଦି ଗୋଟିଏ ଥାନାର ୫ଜଣ କର୍ମଚାରୀଙ୍କୁ ଗିରଫ କରାଯାଏ, ତେବେ ଭବିଷ୍ୟତରେ ଏହା ସମଗ୍ର ପୋଲିସ ବିଭାଗ ଉପରେ ଖରାପ ପ୍ରଭାବ ପକାଇ ବୋଲି ଆଂଶଙ୍କା କରାଗଲା ।

ପଦକ୍ଷେପ ସ୍ୱରୂପ କମିଶନରେଟ ପୋଲିସରେ କାର୍ଯ୍ୟରତ ଅଫିସର ଓ କର୍ମଚାରୀମାନେ ରିଜର୍ଭ ଗ୍ରାଉଣ୍ଡରେ ମେଳି କରି ପୋଲିସ ବିଭାଗ ଉପରେ ଚାପ ପକାଇବାକୁ ଚେଷ୍ଠା କରିଥିଲେ । ଏନେଇ ଖବର ପ୍ରକାଶ ପାଇବା ପରେ କେଉଁମାନେ ମେଳିରେ ସାମିଲ ଥିଲେ, ସେନେଇ ପୋଲିସ କମିଶନର ରିପୋର୍ଟ ମାଗିଛନ୍ତି । କାର୍ଯ୍ୟାନୁଷ୍ଠାନ ଭୟରେ ଅନେକ ପୋଲିସ କର୍ମଚାରୀଙ୍କ ମନରେ ଭୟ ସଂଚାର ହୋଇଛି । ସେହିପରି ସାମ୍ବାଦିକମାନେ କାହିଁକି ପୋଲିସ ବିରୋଧରେ ଏଭଳି ଏକପାଖିଆ ଖବର ପ୍ରକାଶ କଲେ, ତାହାକୁ ନେଇ ଅଫିସରଙ୍କ ମନରେ କ୍ରୋଧ ଓ ଅଭିମାନ ମଧ୍ୟ ରହିଛି । କେତେକ ଥାନାରେ ‘ଏଥର ଖବରପାଇଁ ଥାନାକୁ ନୁହେଁ, ମେଜର ପାଖକୁ ଯାଅ’ ବୋଲି ମଧ୍ୟ କହିବା ଆରମ୍ଭ କଲେଣି । ଆଉ କେତେକ ଅଫିସର ଏବେ ସାମ୍ବାଦିକଙ୍କ ଫୋନ ଉଠାଇବାକୁ ଉଚିତ ମଣୁନାହାନ୍ତି । ଯାହା କ୍ରୋଧ ଓ ଅଭିମାନର ଉଦାହରଣ ବୋଲି କୁହାଯାଇପାରେ ।

ସେପଟେ ଥାନାରେ ଡିସିଓ ଡ୍ୟୁଟି କରୁଥିବା ଅଫିସରମାନେ ନିଜ ସିଟ ଛାଡି ବାଥରୁମ୍ ଯିବାକୁ ଭୟ କରୁଛନ୍ତି । କାରଣ କେତେବେଳେ ଓ କେଉଁ ସମୟରେ କିଏ ଅଭିଯୋଗ କରିବାକୁ ଆସିବ ଓ ଡିସିଓ ନଥିବା କହି ହୋହଲ୍ଲା କରିବ । ଯାହା ଫଳରେ ବଡ ଅଫିସରମାନେ ବିନା ତଦନ୍ତରେ ସସ୍‌ପେଣ୍ଡ କରିଦେବେ । ବିଶେଷ କରି ରାତିରେ ଡିସିଓ ଥିବା ଅଫିସରଙ୍କ ପାଇଁ ଏଭଳି ଚିନ୍ତା ଦ୍ୱିଗୁଣିତ ହୋଇଛି । ଭରତପୁର ଘଟଣା ପରେ କେତେକ ଗଣମାଧ୍ୟମ ପକ୍ଷରୁ ଷ୍ଟିଙ୍ଗ ଅପରେସନ୍ କରାଯାଉଛି । ଥାନାରେ କିଭଳି ବ୍ୟବହାର କରାଯାଉଛି, ରାତିରେ ଡିସିପି ଡ୍ୟୁଟିରେ ରହୁଛନ୍ତି କି ନାହିଁ ଏହାର ଷ୍ଟିଙ୍ଗ କରାଯାଉଛି । ଏଭଳି ଖବର ମିଳିବା ପରେ ପୋଲିସର ଚିନ୍ତା ଆହୁରି ବଢିଯାଇଛି । ଏଭଳି ଘଟଣାକୁ ନେଇ ପୋଲିସ ଚାକିରୀ କାହିଁକି କଲି, ଏ ଘଡିସନ୍ଧୀ ମୁହୂର୍ତ୍ତରେ କ’ଣ କରିବି ଏଭଳି ଭାବି ଏବେ ଲୁଚି ଲୁଚି କାନ୍ଦୁଛି ।

ତେବେ କିଏ ପୋଛିବ ପୋଲିସ ଆଖିର ଅଦଖା ଲୁହ? ଏହି ଅଦେଖା ଲୁହ ପାଇଁ ଦାୟୀ କିଏ ବୋଲି ପୋଲିସ ମହଲରେ ପ୍ରଶ୍ନ ଉଠୁଥିବା ବେଳେ ବଡ ଅଫିସରଙ୍କ ମିଡିଆ ମ୍ୟାନେଜମେଣ୍ଟର ତ୍ରୁଟିକୁ କେତେକ ଦାୟୀ କରିଛନ୍ତି ।


Reporterspen