Bhubaneswar Journalist Association: ଭୁବନେଶ୍ୱର, (ରିପୋଟର୍ସ ପେନ୍) : ସାମ୍ବାଦିକଙ୍କ ସମ୍ମାନ ଓ ସୁରକ୍ଷା ଦିଗରେ ରାଜ୍ୟ ସରକାର ଯତ୍ନବାନ ଅଛନ୍ତି । ଅନେକ ପଦକ୍ଷେପ ନିଆଯାଇଛି । ଆଗକୁ ସାମ୍ବାଦିକମାନଙ୍କର ସମ୍ମାନ ଓ ସ୍ୱାଧିନତା ବଢିବ, ହେଲେ କିମିବାର ପ୍ରଶ୍ନ ଉଠୁନାହିଁ ବୋଲି ଆଇନ,ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ କହିଛନ୍ତି ।
ଆଜି ଭୁବନେଶ୍ୱର ଠାରେ ଆୟୋଜିତ ବିଶ୍ୱ ପ୍ରେସ୍ ସ୍ୱାଧିନତା ଦିବସ ଓ ଭୁବନେଶ୍ୱର ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ, ଆମ ସରକାର କ୍ଷମତାକୁ ଆସିବା ପରେ ସଚିବାଳୟକୁ ସାମ୍ବାଦିକମାନଙ୍କୁ ପ୍ରବେଶ ଅନୁମତି ମିଳିଛି । ସାମ୍ବାଦିକଙ୍କ ଉପରେ କୌଣସି ପ୍ରତିବନ୍ଧକ ନାହିଁ । ହେଲେ ସଚିବାଳୟରେ ସାମ୍ବାଦିକଙ୍କ ପାଇଁ ଥିବା ପ୍ରେସ ଲାଉଞ୍ଜ ପ୍ରର୍ଯ୍ୟାପ୍ତ ହେଉନଥିବାରୁ ଅନେକ ସାମ୍ବାଦିକ ବାରଣ୍ଡାରେ ଅପେକ୍ଷା କରୁଛନ୍ତି । ଏହା ଆମ ନଜରକୁ ଆସିବା ପରେ ଏହାର ତୁରନ୍ତ ବ୍ୟବସ୍ଥା କରିବାକୁ କୁହାଯାଇଛି । ଏଥିସହିତ ସାମ୍ବାଦିକଙ୍କ ସମ୍ମାନ ଓ ସୁରକ୍ଷା ଦିଗରେ ସରକାର ଚିନ୍ତା କରୁଛନ୍ତି । ଏପରିକି ସରକାରୀସ୍ତରରେ ଆଲୋଚନା ଜାରି ରହିଛି ।
ମନ୍ତ୍ରୀ କହିଛନ୍ତି ଯେ, ଆଜି ବ୍ୟବସାୟୀକ ମନୋବୃତ୍ତ ଯୋଗୁଁ ସାମ୍ବାଦିକ ଓ ସାମ୍ବାଦିକତା ନିଜର ସ୍ୱାଧିନତା ହରାଇବସିଛି । ନିଜର ରାଜନୈତିକ ଉଦ୍ଦେଶ୍ୟ ଲାଗି କେତେକ ମାଲିକ ନିଜର ଖବରକାଗଜ ବା ଟିଭି ଚାନେଲକୁ ବ୍ୟବହାର କରୁଛନ୍ତି । ଫଳରେ ସେହି ମିଡ଼ିଆ ହାଉସରେ କାମ କରୁଥିବା ସାମ୍ବାଦିକ ଚାପର ବଶବର୍ତ୍ତୀ ହୋଇ ନିଜର ସ୍ୱାଧିନତା ହରାଉଛି । ନିରପେକ୍ଷ ଖବର ବଦଳରେ ସେ ପକ୍ଷପାତିତା କରୁଛି । ତେଣୁ ସାମ୍ବାଦିକମାନେ ଏକଜୁଟ ହୋଇ ନିଜର ସ୍ୱାଧିନତା ହାସଲ କଲେ, ନିରପେକ୍ଷ ଖବର ପ୍ରକାଶ ପାଇପାରିବ । ନିରପେକ୍ଷ ଖବର ପ୍ରକାଶ ପାଇଲେ ସରକାର ଓ ସମାଜ ପାଇଁ ମଙ୍ଗଳମୟ ହେବ । କେତେକ କ୍ଷେତ୍ରରେ ସମାଲୋଚନାମୂଳକ ଖବର ପ୍ରକାଶ କଲେ, ସେ ସାମ୍ବାଦିକ ଆକ୍ରୋଶର ଶୀକାର ହେଉଛି । ଯାହା ଆଦୌ ଗ୍ରହଣୀୟ ନୁହେଁ । ଏହି କ୍ଷେତ୍ରରେ ସାମ୍ବାଦିକଙ୍କୁ ସୁରକ୍ଷା ଦେବା ଲାଗି ସରକାର ଏକ ଆଇନ ଆଣିବାକୁ ବିଚାରବିମର୍ଷ କରୁଛନ୍ତି ।
କାର୍ଯ୍ୟକ୍ରମରେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ ଯୋଗ ଦେଇ ପ୍ରେସ ସ୍ୱାଧିନତା ଓ ସୁରକ୍ଷା ଦିଗରେ ଆଲୋକପାତ କରିଥିଲେ । ଏଥିସହିତ ସେ ସାମ୍ବାଦିକଙ୍କ ମୁଖପାତ୍ର ସାଜି ସାମ୍ବାଦିକଙ୍କ ସୁବିଧା-ଅସୁବିଧା ସରକାରଙ୍କୁ ଜଣାଇବା ଦିଗରେ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସମାଜସେବୀ ତଥା ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ, ତେଲେଙ୍ଗାନାର ବରିଷ୍ଠ ସାମ୍ବାଦିକ ସେକ୍ ଇସଲାମୁର୍ଦ୍ଦିନ ଓ ଉତ୍କଳ ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।
ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଭୁବନେଶ୍ୱର ସାମ୍ବାଦିକ ସଂଘର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ ସ୍ୱାଗତ ଭାଷଣ ଦେଇଥିବା ବେଳେ ସାଧାରଣ ସମ୍ପାଦକ ଜିତେନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ବରିଷ୍ଠ ସାମ୍ବାଦିକ ମାଧବାନନ୍ଦ ବେହୁରା କାର୍ଯ୍ୟକ୍ରମ ସଞ୍ଚାଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହି ଅବସରରେକର୍ପୋରେଟର ଅମରେଶ ଜେନା, ସାମ୍ବାଦିକ ଚୌଧୁରୀ ଅମିତାଭ ଦାସ, ସୁରେଶ ସ୍ୱାଇଁ, ମୁକେଶ ପରିଡା, ଦୀପକ ବେହେରା, ସୋଆର ଲୋକସମ୍ପର୍କ ଅଧିକାରିଣୀ ଶୁଭଦର୍ଶିନୀ ମିଶ୍ର ପ୍ରମୁଖଙ୍କୁ ସମ୍ମାନୀତ କରାଯାଇଥିଲା ।