Bhubaneswar news: ଭୁବନେଶ୍ୱର (ରିପୋଟର୍ସ ପେନ୍) : ପ୍ରବାସୀ ଭାରତୀୟ ଦିବସରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ତଥା ଐତିହ୍ୟକୁ ଉଜ୍ଜୀବିତ କରିବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଆୟୋଜିତ ହେଉଛି ‘ଏକାମ୍ର ଉତ୍ସବ’ । ଜାନୁଆରୀ ୫ରୁ ୧୬ ପର୍ଯ୍ୟନ୍ତ ଏହି ଉତ୍ସବ ଚାଲିବ । ତେବେ ପ୍ରବାସୀ ଭାରତୀୟ ଦିବସ (ପିବିଡି)୨୦୨୫ର ୧୮ତମ ସଂସ୍କରଣ ପାଳନ ନେଇ ଚଳିତ ଥର ଏହି ଉତ୍ସବକୁ ରାଜଧାନୀରେ ଭବ୍ୟ ଭାବେ ଆୟୋଜନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି । ଏନେଇ ଉତ୍ସବକୁ ବିଭିନ୍ନ ବର୍ଗରେ ବିଭକ୍ତ କରାଯାଇଥିବା ବେଳେ ପାର୍କ ଉତ୍ସବ, ଖାଦ୍ୟ ମହୋତ୍ସବ, ସହର ଆଲୋକୀକରଣ , ଫ୍ଲୀ ମାର୍କେଟ ଏବଂ ଏକାମ୍ର ୱାକ୍ସ ଭଳି କାର୍ଯ୍ୟକ୍ରମକୁ ଅଧିକ ଗୁରୁତ୍ୱ ଦିଆଯାଉଛି ।
* ଖାଦ୍ୟ ମହୋତ୍ସବ:
ଜାନୁଆରୀ ୫ରୁ ୧୬ ପର୍ଯ୍ୟନ୍ତ ଇଡ଼କୋ ପ୍ରଦର୍ଶନୀ ପଡିଆରେ ଖାଦ୍ୟ ମହୋତ୍ସବ ଆୟୋଜିତ ହେବ । ଏହି ମହୋତ୍ସବରେ ଓଡିଆ, ଉତ୍ତର ଭାରତୀୟ, ଦକ୍ଷିଣ ଭାରତୀୟ ଏବଂ ଆନ୍ତର୍ଜାତୀୟ ଖାଦ୍ୟର ଷ୍ଟଲମାନ ବସିବ । ସେଥିରେ ନାନା ରକମର ଖାଦ୍ୟ ସାମଗ୍ରୀ ସହ ସ୍ୱାଦିଷ୍ଟ ବ୍ୟଞ୍ଜନମାନ ପ୍ରଦର୍ଶକଙ୍କ ନିମନ୍ତେ ଉପଲବ୍ଧ ହେବ ।
* ପାର୍କ ଉତ୍ସବ:
ଅନୁରୂପ, ଜାନୁଆରୀ ୫ରୁ ୧୨ ପର୍ଯ୍ୟନ୍ତ ଭୁବନେଶ୍ୱରର ମଧୁସୂଦନ ପାର୍କ, ଇନ୍ଦିରା ଗାନ୍ଧୀ ପାର୍କ, ବୁଦ୍ଧ ପାର୍କ, ଫରେଷ୍ଟ ପାର୍କ ଏବଂ ଅବଦୁଲ କଲାମ ପାର୍କ ଭଳି ୫ ଗୋଟି ପ୍ରମୁଖ ପାର୍କରେ ଏହି ଉତ୍ସବ ଆୟୋଜିତ ହେବ । ଏହି ଅବସରରେ ଓଡ଼ିଶାର ସଂସ୍କୃତି, ସୃଜନଶୀଳତା ସହ ସଭିଙ୍କ ସ୍ୱାସ୍ଥ୍ୟ ଓ ମନୋରଞ୍ଜନର ନେଇ ବଡ଼ ମାହୋଲ ତିଆରି ହେବ । ସକାଳ ୬:୩୦ରୁ ୯ଟା ପର୍ଯ୍ୟନ୍ତ ମାନସିକ ଓ ଶାରୀରିକ ସୁସ୍ଥତା ନେଇ ଯୋଗ, ଜୁମ୍ବା ଭଳି ଶାରୀରିକ ବ୍ୟାୟାମ ଓ ସ୍ୱାସ୍ଥ୍ୟ ସୁରକ୍ଷା ଭିତ୍ତିକ କାର୍ଯ୍ୟକ୍ରମମାନ ଆୟୋଜିତ ହେବ । ଅଭିଜ୍ଞ ପ୍ରଶିକ୍ଷକଙ୍କ ଦ୍ୱାରା ଏହି ତାଲିମ କାର୍ଯ୍ୟଗୁଡିକର ପରିଚାଳନା କରାଯିବ । ସେହିପରି ଅପରାହ୍ନ ୩:୩୦ରୁ ସନ୍ଧ୍ୟା ୬:୩୦ ପର୍ଯ୍ୟନ୍ତ ସାଂସ୍କୃତିକ ତଥା ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମଗୁଡ଼ିକ ଆୟୋଜିତ ହେବ । ଏଥିରେ ଓଡ଼ିଶାର ସମୃଦ୍ଧ ଐତିହ୍ୟ ଓ ସୃଜନଶୀଳତାକୁ ନେଇ ଉତ୍ସବ ଚାଲିବ । ଓଡ଼ିଶାର ଲୋକକଳା, ଓଲିଉଡ଼ ସେଲିବ୍ରିଟିଙ୍କ ସହ ଆଳାପ ଏବଂ ପେପର କ୍ରାଫ୍ଟ, ମ୍ୟାଜିକ ସୋ, ୱେଷ୍ଟ ଟୁ ବେଷ୍ଟ ଭଳି ନାନା କାର୍ଯ୍ୟଶାଳାମାନ ଆୟୋଜିତ ହେବ । ସେହିପରି ଖ୍ୟାତନାମା କଳାକାରଙ୍କ ଦ୍ୱାରା ଲାଇଭ ସଂଗୀତ ଆଦି କାର୍ଯ୍ୟକ୍ରମ ଆୟୋଜିତ ହେବ। ସେହିପରି କୌଶଳୀ କାରିଗରଙ୍କ ଦ୍ୱାରା ଓଡ଼ିଶାର ପାରମ୍ପରିକ କଳା ଓ ଖାଦ୍ୟ ସାମଗ୍ରୀର ପ୍ରଦର୍ଶନୀ କରିବେ ।
* ସହର ଆଲୋକୀକରଣ:
ଏହାଛଡ଼ା, ନଗରର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଏଜି ଛକରୁ କଳ୍ପନା ଛକ, ଏଜି ଛକରୁ ରାଜଭବନ ଛକ, ଏଜି ଛକରୁ ହାଉସିଂ ବୋର୍ଡ ଛକ, ରାଜଭବନ ଛକରୁ ଏକ୍ସଆଇଏମବି ଛକ, ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରର୍ସ ପାର୍ଶ୍ଵ ରାସ୍ତାରୁ ହାଉସିଂ ବୋର୍ଡ ଛକ, ଜନପଥ ଓ ମଧୁସୂଦନ ମାର୍ଗ ଭଳି ପ୍ରମୁଖ ରାସ୍ତାଗୁଡ଼ିକ ଜିକିମିକି ଆଲୋକରେ ଝଲସିବ । ଆସନ୍ତା ୫ରୁ ଜାନୁୟାରୀ ୧୬ ପର୍ଯ୍ୟନ୍ତ ଏହି ଆଲୋକୀକରଣ ବ୍ୟବସ୍ଥା ରହିବା ସହ ଏହା ପ୍ରଭାସୀ ଭାରତୀୟ ଦିବସ ୨୦୨୫ ପାଇଁ ଏକ ଅନନ୍ୟ ପରିବେଶ ସୃଷ୍ଟି କରିବ ।
* ଫ୍ଲି ମାର୍କେଟ:
ଫ୍ଲି ମାର୍କେଟ ଏକାମ୍ର ଉତ୍ସବର ଏକ ଆକର୍ଷଣୀୟ ଅଂଶ ହେବ । ସମାନ ଭାବେ ଜାନୁଆରୀ ୫ରୁ ୧୬ ପର୍ଯ୍ୟନ୍ତ ଅପରାହ୍ନ ୪ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଏହି ବଜାର ଖୋଲିବ । ଏହା ପର୍ଯ୍ୟଟକ, ଆଗନ୍ତୁକ, ଅତିଥି ତଥା ସାଧାରଣ ଜନତାଙ୍କ ପାଇଁ ଏକ ଅପୂର୍ବ ଶୀତକାଳୀନ ଅନୁଭବ ଦେବବା ସହ ସୃଜନଶୀଳତା ଓ ଘରୋଇ ବାଣିଜ୍ୟ କାରବାର ନେଇ ଏକ ହବ ପାଲଟିବ । ଏଥିରେ ଭାରତର ବିଭିନ୍ନ ସ୍ଥାନରୁ ଉଦ୍ୟୋଗୀ ଓ ଘରୋଇ ବ୍ୟବସାୟ ଏବଂ ସ୍ଥାନୀୟ ଉଦ୍ୟୋଗ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଷ୍ଟଲ୍ ପ୍ରଦର୍ଶିତ ହେବ । ପରିଦର୍ଶକମାନେ ଟ୍ରେଣ୍ଡରେ ଥିବା ପୋଷାକ, ଫୁଟୱେର ଏବଂ ଆନ୍ୟନ୍ୟ ଆସବାବପତ୍ର, ଅନନ୍ୟ ହସ୍ତତନ୍ତ ଘର ସଜ୍ଜା ସାମଗ୍ରୀ ଆଦି ଏଠାରେ କିଣିପାରିବେ । ଏଥିସହ ମନୋରଞ୍ଜନ ନେଇ ଖ୍ୟାତନାମା କଳାକାରଙ୍କ ଦ୍ୱାରା ଆକର୍ଷଣୀୟ ମଞ୍ଚ ସୋ କାର୍ଯ୍ୟକ୍ରମମାନ ରହିଛି। ଏହାଛଡ଼ା, ଏହି କର୍ମଶାଳା ପରିଦର୍ଶକମାନଙ୍କୁ ଟେରାକୋଟା, ତାଳପତ୍ର ଖୋଦେଇ, ପଥର ଖୋଦନ, ପଟ୍ଟଚିତ୍ର ପେଣ୍ଟିଂ, ଚାନ୍ଦୁଆ, କାଠ ଖୋଦେଇ ଭଳି ପ୍ରସିଦ୍ଧ କଳା ପଛରେ ଥିବା ଜଟିଳ ପ୍ରକ୍ରିୟାଗୁଡ଼ିକୁ ଦେଖିବାର ସୁଯୋଗ ଉପଲବ୍ଧ ରହିବ ।
* ଏକାମ୍ର ୱାକସ୍:
ଏକାମ୍ର ଉତ୍ସବର ଏକ ପ୍ରମୁଖ ଅଂଶ ଭାବେ ‘ଏକାମ୍ର ୱାକସ’ ଡ଼ିସେମ୍ବର ୨୫, ୨୦୨୪ରୁ ଆରମ୍ଭ ହୋଇଥିବା ବେଳେ ଏହା ଓଡ଼ିଶା ତଥା ଭୁବନେଶ୍ୱରର ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ନିକଟରୁ ଜାଣିବାର ଏକ ସୁଯୋଗ ପ୍ରଦାନ କରୁଛି | ଏଠାରେ ପ୍ରଦର୍ଶିତ ପ୍ରତ୍ୟେକ ସଂକେତ ସତେ ଯେପରି ସହରର ପ୍ରାଚୀନତାକୁ ଅନୁଭବ କରିବା ସକାଶେ ସମସ୍ତଙ୍କ ପାଇଁ ପରିକଳ୍ପିତ ହୋଇଛି | ଯାହାକି ଇତିହାସ ଉତ୍ସାହୀ, ପ୍ରକୃତି ପ୍ରେମୀ ତଥା ଭୁବନେଶ୍ୱରର ସ୍ୱତନ୍ତ୍ରତା ବିଷୟରେ ଜାଣିବା ପାଇଁ ଆଗ୍ରହୀଙ୍କ ପାଇଁ ବେଶ ଆକର୍ଷଣୀୟ ହେବ ।
ତେବେ ଜାନୁଆରୀ ୮ରୁ ୧୦ ଯାଏଁ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ୨୦୨୫ ସଭିଙ୍କ ପାଇଁ ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ । ଏଣୁ ଆସନ୍ତୁ ଭୁବନେଶ୍ୱରର କଳା, ସଂସ୍କୃତି ତଥା ଐତିହ୍ୟର ପ୍ରତୀକ ଏହି ‘ଏକାମ୍ର ଉତ୍ସବ’ରେ ଆମେ ସମସ୍ତେ ସାମିଲ ହେବା, ଓଡ଼ିଶାର ଅନ୍ତରାତ୍ମାକୁ ଅଧିକ ଅନୁସନ୍ଧାନ କରିବା ।