ନିବର୍ନ୍ଧ କଲେ ଜଣଙ୍କୁ ବାହା ହେଲେ ଅନ୍ୟକୁ; ଚତୁର୍ଥୀ ଭୋଜିରେ ପ୍ରେମିକାଙ୍କ ହୋହାଲ୍ଲା

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌) : ଧଉଳି ଥାନା ଅଞ୍ଚଳରେ ଥିବା ଏକ ବିବାହ ମଣ୍ଡପରେ ରବିବାର ସନ୍ଧ୍ୟାରେ ଏକ ଚତୁର୍ଥୀ ଭୋଜିରେ ଜଣେ ଯୁବତୀଙ୍କ ହୋହାଲ୍ଲା ଦେଖିବାକୁ ମିଳିଥିଲା। ପରିସ୍ଥିତି ଏପରି ହୋଇଥିଲା କି, ଭୋଜିକୁ ନିମନ୍ତ୍ରିତ ହୋଇଥିବା ଅତିଥିମାନେ ଅଧାଖିଆ ଅଇଁଠା ଥାଳି ଛାଡ଼ି ଘଟଣାସ୍ଥଳରୁ ପଳାଇଥିଲେ। ପରେ ପୋଲିସ ଯୁବକଙ୍କୁ ନିଜ ହେପାଜତକୁ ନେଇ ପଚରାଉଚରା କରିବା ସହ ପରବର୍ତ୍ତୀ ସମୟରେ ଯୁବତୀଙ୍କ ଅଭିଯୋଗ ଆଧାରରେ ଏକ ଠକେଇ ମାମଲା ରୁଜୁ କରିଥିଲା। ପରେ ଉଭୟ ପକ୍ଷ ମଧ୍ୟରେ ଆପୋଷ ବୁଝାମଣା ହୋଇଥିଲେ ମଧ୍ୟ ଯେହେତୁ ଥାନାରେ ମାମଲା ରୁଜୁ ହୋଇଥିଲା ତେଣୁ ଯୁବକଙ୍କୁ ନୋଟିସ ବଳରେ ଥାନାରୁ ଛଡ଼ା ଯାଇଛି।

ସୂଚନା ଅନୁଯାୟୀ, ଶ୍ରୀ ଲିଙ୍ଗରାଜ ଥାନା ଅନ୍ତର୍ଗତ ଗୌରୀ ନଗରରେ ରହୁଥିବା ଶକ୍ତିପ୍ରଦା ମିଶ୍ର ନାମକ ଜଣେ ଯୁବତୀଙ୍କ ସହ ଉକ୍ତ ଅଞ୍ଚଳର ଶ୍ରୀ ପଣ୍ଡା ନାମକ ଜଣେ ଯୁବକଙ୍କ ସହ ୨୦୨୧ ମସିହାରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରବର୍ତ୍ତୀ ସମୟରେ ଉଭୟପକ୍ଷ ପରିବାର ଲୋକଙ୍କ ମଧ୍ୟରେ କଥାବାର୍ତ୍ତା ହେବା ସହ ୨୦୨୪ ମସିହା ମାର୍ଚ୍ଚ ମାସରେ ଉଭୟଙ୍କର ନିର୍ବନ୍ଧ ହୋଇଥିଲା। ୨୦୨୪ ମସିହା ଡିସେମ୍ବର ମାସରେ ବିବାହ ପାଇଁ ତାରିଖ ସ୍ଥଗିତ ହୋଇଥିଲା। ଏପରିସ୍ଥିତିରେ ପୁଅ ଘର ଲୋକେ କୌଣସି କାରଣରୁ ଶକ୍ତିପ୍ରଦାଙ୍କ ସହ ତାଙ୍କ ପୁଅର ବିବାହ କରିବାକୁ ମନା କରି ଦେଇଥିଲେ। ଏବାବଦରେ କିନ୍ତୁ ଶ୍ରୀ ନିଜ ପ୍ରେମିକାକୁ କିଛି ବି କହି ନଥିଲେ। ବରଂ ପୂର୍ବପରି କଥା ଜାରି ରଖିଥିଲେ ।

ଗତ ଦୁଇମାସ ତଳେ ଶ୍ରୀ ହଠାତ ଶକ୍ତିପ୍ରଦାଙ୍କ ସହ କଥାବାର୍ତ୍ତା ବନ୍ଦ କରି ଦେଇଥିଲେ। ଏହାର କୌଣସି କାରଣ ଯୁବତୀ ଶକ୍ତିପ୍ରଦା ଜାଣି ପାରି ନ ଥିଲେ। ତେବେ ରବିବାର ସେ ହଠାତ ଜାଣିବାକୁ ପାଇଥିଲେ କି, ଶ୍ରୀ ଅନ୍ୟଜଣେ ଯୁବତୀଙ୍କୁ ଇତିମଧ୍ୟରେ ବିବାହ କରିଥିବା ବେଳେ ଉକ୍ତଦିନ ହିଁ ଧଉଳି ଅଞ୍ଚଳରେ ଥିବା ଏକ ମଣ୍ଡପରେ ଭୋଜିର ଆୟୋଜନ କରୁଛନ୍ତି। ଏନେଇ ଖବରପାଇବା ପରେ ଯୁବତୀ ଜଣଙ୍କ ତୁରନ୍ତ ନିଜ ପରିବାର ଲୋକଙ୍କ ସହ ଯାଇ ଶ୍ରୀ ଲିଙ୍ଗରାଜ ଥାନାରେ ଅଭିଯୋଗ କରିବା ସହ ସେ ତାଙ୍କ ଘର ଲୋକଙ୍କ ଠାରୁ ନେଇଥିବା ସୁନା ଅଳଙ୍କାର ଏବଂ ଅନ୍ୟାନ୍ୟ ଖର୍ଚ୍ଚ ଅର୍ଥ ଫେରସ୍ତ ନ କରି ଅନ୍ୟତ୍ର କିପରି ବିବାହ କରୁଛନ୍ତି ସେ ନେଇ ଅଭିଯୋଗ କରିଥିଲେ। ଏହାଦ୍ବାରା ତାଙ୍କ ପରିବାର ଲୋକଙ୍କର ସମାଜରେ ସମ୍ମାନ ହ୍ରାସ ହୋଇଛି ବୋଲି ଯୁବତୀ ଜଣଙ୍କ ଅଭିଯୋଗ କରିଥିଲେ।

ପରେ ସେ ଶ୍ରୀ ଲିଙ୍ଗରାଜ ଥାନା ପୋଲିସ ସହାୟତାରେେ ଉକ୍ତ ମଣ୍ଡପରେ ପହଞ୍ଚି ହୋହାଲ୍ଲା କରିବା ସହ ପାଟିତୁଣ୍ଡ କରିଥିଲେ। ଫଳରେ ଚତୁର୍ଥୀ ଭୋଜି ଏକପ୍ରକାର ବନ୍ଦ ହୋଇଯାଇଥିଲା। ପରେ ପୋଲିସ ଯୁବକ ଶ୍ରୀଙ୍କୁ ନିଜ ହେପାଜତକୁ ନେଇଥିଲା। ପରେ ଉଭୟ ପକ୍ଷ ପରିବାର ଲୋକଙ୍କ ହସ୍ତକ୍ଷେପ ପରେ ଶ୍ରୀଙ୍କ ପରିବାର ଲୋକେ ଟଙ୍କା ଓ ସୁନା ଫେରସ୍ତ କରିବା ପରେ ଘଟଣାର ସମାଧାନ ହୋଇଥିବା ଜଣାପଡ଼ିଛି।


Reporterspen
!-- afp header code starts here -->