ଭୁବନେଶ୍ୱର (ରିପୋର୍ଟର୍ସ ପେନ୍): ସହିଦନଗର ଥାନା ଅନ୍ତର୍ଗତ ଆଚାର୍ଯ୍ୟ ବିହାର ଛକରେ ଥିବା ଆରଟିଓ-୧ ସମ୍ମୁଖରେ ବେଶ କିଛିଦିନ ହେବ ନିଜକୁ ଆରଟିଓ କର୍ମଚାରୀର ପରିଚୟ େଦଇ ଠକେଇ କରୁଥିବା ଅଭିଯୋଗରେ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ସ୍ଥାନୀୟ ଥାନା ପୋଲିସ। ଗିରଫ ସମସ୍ତ ଦଲାଲଙ୍କ ଘର ଆରଟିଓ ଅଫିସ ପଛପାଖ ଶୁକବିହାର ବସ୍ତିରେ ବୋଲି ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିପିନ କୁମାର ନାୟକ (୩୦),ଜୀବନ ଦାସ (୨୩),ସବ୍ୟସାଚ୍ଚୀ କାଣ୍ଡୁଆଳ (୨୨),ସୁକାନ୍ତ ବାରିକ ଓରଫ ସୁକା (୩୩),ସିତୁନ କୁମାର ମହାନ୍ତି (୨୫),ସୋନୁ ବାରିକ (୨୨),ବିଶ୍ବରଞ୍ଜନ ବାରିକ (୩୫),ବିକ୍ରମ ମହାରଣା (୩୬),ନିରଞ୍ଜନ ଖଟୁଆ (୪୨)। ଗିରଫ ଅଭିଯୁକ୍ତମାନଙ୍କ ପାଖରୁ ୯ଟି ଲାପ୍ଟପ୍ ଓ ୯ଟି ପ୍ରିଣ୍ଟରକୁ ଜବତ କରିଛି ପୋଲିସ।
ସୂଚନାଯୋଗ୍ୟ ଯେ, ବୁଧବାର ଦିନ ପ୍ରାୟ ୧୨ଟା୨୩ସମୟରେ ସୂଚନା ମିଳିଥିଲା ଯେ ଆଚାର୍ଯ୍ୟ ବିହାର ଆରଟିଓ-୧ କାର୍ଯ୍ୟାଳୟ ସମ୍ମୁଖରେ କିଛି ଦଲାଲ ସକ୍ରିୟ ଅଛନ୍ତି ଏବଂ ଆରଟିଓ କର୍ମଚାରୀ ଭାବେ ନିଜକୁ ପରିଚୟ ଦେଇ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ/ନବୀକରଣ, ଏନଓସି, ମାଲିକାନା ହସ୍ତାନ୍ତର, ପଞ୍ଜୀକରଣ, ଫିଟନେସ୍ ସାର୍ଟିଫିକେଟ୍ ଓ ବୀମା ସହିତ ସମ୍ପର୍କିତ କାମ ପାଇଁ ଜନସାଧାରଣଙ୍କଠାରୁ ଅବୈଧ ଟଙ୍କା ଆଦାୟ କରୁଛନ୍ତି। ସେମାନେ ଅଫିସ୍ ସମ୍ମୁଖରେ ଲୋକଙ୍କୁ ଶସ୍ତା ଦରରେ ଶୀଘ୍ର ସେବା ପ୍ରଦାନ କରିବାର ଭ୍ରାମକ ପ୍ରତିଶ୍ରୁତି ଦେଇ ପ୍ରଲୋଭିତ କରୁଛନ୍ତି। ଯାଞ୍ଚ ସମୟରେ, ଜନସାଧାରଣଙ୍କ ଚିହ୍ନଟ ଏବଂ ପୂର୍ବ ଠକେଇ ରିପୋର୍ଟ ଆଧାରରେ ୯ ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଥିଲା।
ପଚରାଉଚରାରେ ସେମାନେ ନିଜକୁ ଆରଟିଓ କର୍ମଚାରୀ ଭାବେ ପରିଚୟ ଦେଇ ଲୋକଙ୍କଠାରୁ ଟଙ୍କା ନେଉଥିବା, ଅନେକ ସମୟରେ ଡକ୍ୟୁମେଣ୍ଟ କିମ୍ବା ଫେରସ୍ତ ଟଙ୍କା ଦେଇନଥିବା ସ୍ୱୀକାର କରିଥିଲେ। ସେମାନେ ସରକାରୀ ନିର୍ଦ୍ଧାରିତ ଦରଠାରୁ ଅଧିକ ଟଙ୍କା ନେଇ ପ୍ରତ୍ୟେକ ପୀଡିତଙ୍କଠାରୁ ପ୍ରାୟ ୫ ହଜାର ଟଙ୍କା ରୋଜଗାର କରୁଥିବା କଥା ମଧ୍ୟ କହିଥିଲେ। ତଦନ୍ତରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ଅଭିଯୁକ୍ତମାନେ ନିୟମିତ ଭାବରେ ଆରଟିଓ କାର୍ଯ୍ୟାଳୟ ପାଖରେ ଏହି ଅବୈଧ କାର୍ଯ୍ୟ କରୁଥିଲେ, ନାଗରିକମାନଙ୍କୁ ସରକାରୀ କାଉଣ୍ଟର ପାଖକୁ ଯିବାରୁ ବାଧା ଦେଉଥିଲେ ଏବଂ ଠକେଇ ମାଧ୍ୟମରେ ଟଙ୍କା ଆଦାୟ କରୁଥିଲେ।

