ଭୁବନେଶ୍ୱର, (ରିପୋର୍ଟର୍ସପେନ୍) : ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଗୃହଗଣନା ଏବଂ ଗୃହତାଲିକା-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବାର୍ତ୍ତା ଜାରି କରିଛନ୍ତି । ସେ କହିଛନ୍ତି, ଜୟ ଜଗନ୍ନାଥ ! ପ୍ରିୟ ଭାଇ ଓ ଭଉଣୀମାନେ ! ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ଓଡ଼ିଶାସ୍ଥିତ ଜନଗଣନା ନିର୍ଦ୍ଦେଶାଳୟ ଏବଂ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମନ୍ୱୟରେ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଓଡ଼ିଶାର ୩୦ଟି ଜିଲ୍ଲାରେ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଗୃହଗଣନା ଏବଂ ଗୃହତାଲିକା ପ୍ରସ୍ତୁତି ଆଗାମୀ ଏପ୍ରିଲ୍ ୧୬ତାରିଖରୁ ଆରମ୍ଭ ହେବାକୁ ଯାଉଛି ।
ଏହି କାର୍ଯ୍ୟକ୍ରମରେ, ଏପ୍ରିଲ୍ ୧୬ତାରିଖରୁ ମେ ୧୫ତାରିଖ ପର୍ଯ୍ୟନ୍ତ ତାଲିମ ପ୍ରାପ୍ତ ଗଣନାକାରୀ ଓ ସୁପରଭାଇଜର ମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ । ଏହା ପୂର୍ବରୁ ଏପ୍ରିଲ୍ ୧ତାରିଖରୁ ଏପ୍ରିଲ୍ ୧୫ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତସ୍ଵ-ଗଣନା କାର୍ଯ୍ୟକ୍ରମ ଜାରି ରହିଛି । ଏଥିରେ ସେଲ୍ଫ ଏନୁମରେସନ୍ ପୋର୍ଟାଲ https://se.census.gov.in ମାଧ୍ୟମରେ ଜନସାଧାରଣ ନିଜର ତଥ୍ୟ ନିଜେ ପ୍ରଦାନ କରୁଛନ୍ତି। ଆପଣମାନଙ୍କୁ ଅନୁରୋଧ, ଆପଣ ଯଦି ଏ ପର୍ଯ୍ୟନ୍ତ ତଥ୍ୟ ଦେଇନାହାନ୍ତି, ତେବେ ଏହି ପୋର୍ଟାଲରେ ନିଜର ତଥ୍ୟ ଦିଅନ୍ତୁ ଏବଂ ଜନ ଗଣନାରେ ସହଯୋଗ କରନ୍ତୁ। ମୁଁ ବି ସେଲ୍ଫ ଏନୁମରେସନ୍ କରିଛି। ଆପଣ ବି କରନ୍ତୁ।
ଏପ୍ରିଲ ୧୬ତାରିଖରୁ ତାଲିମପ୍ରାପ୍ତ ଗଣନାକାର ମାନେ ଘର-ଘର ବୁଲି ତଥ୍ୟ ସଂଗ୍ରହ କରିବେ। ଏହି ତଥ୍ୟ ଆମ ରାଜ୍ୟ ତଥା ଦେଶର ଯୋଜନା ପ୍ରଣୟନ ଓ କାର୍ଯ୍ୟାନ୍ଵୟନ ସକାଶେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ, ଏହି ତଥ୍ୟ ପ୍ରଦାନ ନିମନ୍ତେ ଆପଣମାନେ ସମସ୍ତେ ସହଯୋଗର ହାତ ବଢାଇ କାର୍ଯ୍ୟକ୍ରମକୁ ସଫଳ କରନ୍ତୁ । ଆମ ସରକାର ଏହି କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି କରି ସାରିଛନ୍ତି। ଗଣନାକାରୀ ଆପଣଙ୍କ ଘରକୁ ଯେଉଁ ସମୟରେ ତଥ୍ୟ ସଂଗ୍ରହ କରିବା ପାଇଁ ଯିବେ, ତାଙ୍କୁ ସଠିକ ତଥ୍ୟ ପ୍ରଦାନ କରି, ଆମ ରାଜ୍ୟ ତଥା ଦେଶର ବିକାଶରେ ସହାୟତା କରନ୍ତୁ । ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ଜାତୀୟ କାର୍ଯ୍ୟକ୍ରମର ସଫଳତା ନିମନ୍ତେ ଆପଣମାନଙ୍କ ଆନ୍ତରିକ ଯୋଗଦାନ ନିମନ୍ତେ ମୁଁ ଅନୁରୋଧ କରୁଛି ।

