Odisha News: ଭୁବନେଶ୍ୱର (ରିପୋଟର୍ସ ପେନ୍) : ବର୍ଷ ବର୍ଷ ଧରି ଗୋଟିଏ ଜାଗାରେ ଗାଦି ମାଡି ବସି ‘ଟିଙ୍କ’ ସାଜିଥିବା ଯନ୍ତ୍ରୀଙ୍କ ବଦଳି ବାତିଲ ହୋଇଛି । ଜଣେ ନୁହେଁ ବରଂ ୭ଜଣଙ୍କର ବଦଳିକୁ ରାଜ୍ୟ ସରକାର ବାତିଲ କରିଛନ୍ତି । ତେବେ ଏହି ଗାଦିମଡାଙ୍କ ବଦଳି ବାତିଲ ପଛରେ କାହାର ସ୍ୱାର୍ଥ ଜଡିତ ରହିଛି? ମନ୍ତ୍ରୀ, ସଚିବ ନା ସର୍ବୋଚ୍ଚ ଯନ୍ତ୍ରୀଙ୍କର? ଏଭଳି ଚର୍ଚ୍ଚା ହେଉଥିବା ବେଳେ ବଦଳି ବାତିଲ ଲାଗି ମୋଟା ଅଙ୍କର ଅର୍ଥ କାରବାର ହୋଇଥିବା ଅଭିଯୋଗକୁ ମଧ୍ୟ ଏଡାଇ ଦିଆଯାଇନପାରେ ।
ନିକଟରେ ରାଜ୍ୟ ସରକାର ୧୩୯ ଜଣ କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଏବଂ ୬୪ ଜଣ ଏଷ୍ଟିମେଟରଙ୍କୁ ଜିଲ୍ଲା ବାହାରକୁ ବଦଳି କରିଥିଲେ । ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇବା ପରେ କେତେକ ଯନ୍ତ୍ରୀ ବଦଳି ବାତିଲ କରିବାକୁ ବଡ ଅଫିସରଙ୍କ କବାଟ ଠକ୍ ଠକ୍ କରିଥିଲେ । ଭୁବନେଶ୍ୱରରେ କାର୍ଯ୍ୟରତ ଜଣେ କରିତକର୍ମା ଯନ୍ତ୍ରୀ ୫/୭ଜଣଙ୍କୁ ଧରି ବଦଳି ବାତିଲ କରିବାକୁ ଜଣେ ସଚିବ ପାହ୍ୟା ଅଫିସରଙ୍କୁ ମୋଟାଅଙ୍କର ଅର୍ଥ ଦେବାର ମୋହ ଦେଖାଇଥିବା ମଧ୍ୟ ଅଭିଯୋଗ ଆସିଥିଲା । ଏନେଇ ଗଣମାଧ୍ୟମରେ ଖବର ମଧ୍ୟ ପ୍ରକାଶ ପାଇଥିଲା ।
ତେବେ ମଙ୍ଗଳବାର ସରକାର ଆଉ ଏକ ବଦଳି ନିର୍ଦ୍ଦେଶନାମା ପ୍ରକାଶ କରିଛନ୍ତି । ଯେଉଁଥିରେ ୭ଜଣ ଯନ୍ତ୍ରୀଙ୍କ ବଦଳିକୁ ବାତିଲ କରାଯାଇଛି । ସେମାନଙ୍କ ମଧ୍ୟରେ ସମ୍ବଲପୁର ଡିଭିଜନ-୨ରେ କାର୍ଯ୍ୟରତ ଜେଇ ଅମୀୟ କୁମାର ବାହିନୀପତି, ସମ୍ବଲପୁର ଡିଭିଜନ-୧ର ଲଲିତମୋହନ ପ୍ରଧାନ, ଭବାନୀପାଟଣା ୱେଷ୍ଟ ଡିଭିଜନ-୩ର ପ୍ରଭାସିନୀ ଷଡଙ୍ଗୀ, ଭୁବନେଶ୍ୱର ଡିଭିଜନ-୩ର ଅଶୋକ ଚନ୍ଦ୍ର ପଣ୍ଡା, ସୁନ୍ଦରଗଡର ବନମାଳି ନାଏକ ଓ ସୁନ୍ଦରଗଡର ମାନସ ବଢେଇ ଅନ୍ତର୍ଭୁକ୍ତ ଅଛନ୍ତି । ଏମାନଙ୍କ ବଦଳିକୁ କେଉଁ ଆଧାରରେ ବାତିଲ କରାଗଲା?
ଅଭିଯୋଗ ହେଉଛି, ଭୁବନେଶ୍ୱରରେ ଦୀର୍ଘଦିନ ହେଲା ଗାଦିମାଡି ବସିଥିବା କରିତକର୍ମା ଜେଇ ବଦଳି ବାତିଲ ଲାଗି ଜଣେ ସଚିବ ପାହ୍ୟା ଅଫିସରଙ୍କୁ ମୋଟା ଅଙ୍କର ଅର୍ଥ ଦେଇଛନ୍ତି । ପରେ ସଂପୃକ୍ତ ସଚିବ ପାହ୍ୟାର ଅଧିକାରୀ ଜଣେ କରିତକର୍ମା ଜେଇଙ୍କୁ ରିଲିଭ ନକରିବାକୁ ଜଣେ ବିଭାଗୀୟ ଉଚ୍ଚପଦସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତାଙ୍କ କଥାରେ ମଧ୍ୟ ବଦଳି ବାତିଲ କରାଯାଇଛି । ତେବେ ଏନେଇ ବିଭାଗୀୟ ସଚିବ ଓ ମନ୍ତ୍ରୀ ଅବଗତ ଅଛନ୍ତି ତ? ନା ଏହି ବଦଳି ପଛରେ ମନ୍ତ୍ରୀ ଓ ସଚିବଙ୍କ ସ୍ୱାର୍ଥ ଜଡିତ ରହିଛି? ସାଧାରଣରେ ଏଭଳି ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରିଛନ୍ତି ।
ଉଲ୍ଲେଖଥାଉ କି, ଗତମାସ ୫ ତାରିଖରେ କନିଷ୍ଠ ଓ ସହକାରୀ ଯନ୍ତ୍ରୀସ୍ତରରେ ଏକ ବଡଧରଣର ଅଦଳବଦଳ କରିଥିଲେ । ଏଥିରେ ମୋଟ ୨୦୩ ଜଣ ଯନ୍ତ୍ରୀଙ୍କୁ ବଦଳି କରାଯାଇଥିବା ବେଳେ ଭୁବନେଶ୍ୱରରେ କାର୍ଯ୍ୟରତ ଥିବା ୧୧ଜଣଙ୍କୁ ଜିଲ୍ଲା ବାହାରକୁ ବିଦା କରାଯାଇଛି । ଏମାନଙ୍କ ମଧ୍ୟରୁ କେତେକ ନିଜ ପୁରୁଣା ଜାଗା ଛାଡିବାକୁ ଅମଙ୍ଗ ଥିବା ବେଳେ କଳେବଳେ ଗାଦି ନଛାଡିବାକୁ ଉଦ୍ୟମ କରୁଥିଲେ । ଯେଉଁଥିରେ ସେମାନେ ସଫଳ ହୋଇଛନ୍ତି ।