ଭୁବନେଶ୍ୱର, (ରିପୋର୍ଟର୍ସପେନ୍): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଯୁଦ୍ଧ କୌଶଳ, ଶାରୀରିକ ସାମର୍ଥ୍ୟ, ରଣନୀତି କୌଶଳ ଓ ମାନସିକ ସହନଶୀଳତାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଆୟୋଜନ କରାଯାଇଛି ବୋଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ନକ୍ସଲ ବିରୋଧୀ ଅଭିଯାନ) ସଂଜୀବ ପଣ୍ଡା କହିଛନ୍ତି । ଏହା ସହ ପ୍ରତିଯୋଗିତା କମାଣ୍ଡୋଙ୍କ ମଧ୍ୟରେ ପେଶାଦାରିତା, ଶୃଙ୍ଖଳା ଓ ଦଳୀୟ ସମନ୍ୱୟକୁ ବଢ଼ାଇବାରେ ସକ୍ଷମ ହେବ ବୋଲି ଗୁରୁତ୍ୱାରୋପ କରିଥିଲେ। ଏହା ବ୍ୟତୀତ ଯେକୌଣସି ପ୍ରତିକୂଳ ପରିସ୍ଥିତିକୁ ତ୍ୱରିତ ଓ ସଫଳ ଭାବେ ମୁକାବିଲା କରିବା ପାଇଁ କମାଣ୍ଡୋ ମାନଙ୍କୁ ମାନସିକ ସ୍ତରରେ ସୁଦୃଢ କରି ପାରିବ ବୋଲି ମତବ୍ୟକ୍ତ କରିଥିଲେ ।
ଶ୍ରୀ ପଣ୍ଡା ଆହୁରି ମଧ୍ୟ କହିଥିଲେ ଯେ, ସାମ୍ପ୍ରତିକ ପରିସ୍ଥିତିରେ ଆସୁଥିବା ଭିନ୍ନ ଭିନ୍ନ ଚ୍ୟାଲେଞ୍ଜ୍ଗୁଡ଼ିକୁ ଦୃଷ୍ଟିରେ ରଖି କମାଣ୍ଡୋମାନେ ସଦା ସମୟରେ ଶାରୀରିକ ଓ ମାନସିକ ଭାବେ ଫିଟ୍ ରହିବା ନିତ୍ୟାନ୍ତ ଆବଶ୍ୟକ । ଏହା ସହ ନୂତନ ପ୍ରଯୁକ୍ତି, ଆଧୁନିକ ଅସ୍ତ୍ର ଶସ୍ତ୍ର ଓ ରଣନୀତି କୌଶଳ ସହ ନିଜକୁ ଅପଡେଟ ରଖିବା ଅତ୍ୟନ୍ତ ଆବଶ୍ୟକ । ରାଜ୍ୟର ଆଇନ ଶୃଙ୍ଖଳା ଓ ଶାନ୍ତି ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ସବୁବେଳେ ପୋଲିସ ବାହିନୀକୁ ଅତ୍ୟାଧୁନିକ, ସକ୍ଷମ ଓ ବିଭିନ୍ନ ଚ୍ୟାଲେଞ୍ଜର ସଫଳ ମୁକାବିଲା କରିବା ନିମନ୍ତେ ଓଡ଼ିଶା ପୋଲିସ ସଦା ସର୍ବଦା ପ୍ରସ୍ତୁତ ଓ ସଜାଗ ରହିଛି ।
ଏହି ପ୍ରତିଯୋଗିତାରେ ଓଡ଼ିଶା ପୁଲିସର ବିଭିନ୍ନ ସଶସ୍ତ୍ର ବାଟାଲିୟନର ୧୭ ଟି ଟିମର ୪୦୨ ଜଣ କମାଣ୍ଡୋ ଅଂଶ ଗ୍ରହଣ କରିଛନ୍ତି । ଓବସ୍ଟାକଲ୍ କୋର୍ସ, ୫ କିଲୋଗ୍ରାମ ଓଜନର ବ୍ୟାକପ୍ୟାକ୍ ପିନ୍ଧି କନଫିଡେନ୍ସ କୋର୍ସରେ ୧.୩ କିଲୋମିଟର ଦୌଡ଼, ୫ କିଲୋଗ୍ରାମ ଓଜନର ବ୍ୟାକପ୍ୟାକ୍ ସହିତ କ୍ରସ୍–କଣ୍ଟ୍ରି ପଦଯାତ୍ରା, ଫାୟାରିଂ ଭଳି ପ୍ରତିଯୋଗିତାରେ ନିଜ ଦକ୍ଷତା ପ୍ରଦର୍ଶନ କରିବେ । ଏହି ଉଦଘାଟନ ସମାରୋହରେ ଏସପି ସ୍ପେଶାଲ ବ୍ରାଞ୍ଚ ରାଜ ପ୍ରସାଦ, ଡେପୁଟି କମାଣ୍ଡାଣ୍ଟ,ପାୟଲ ଦୟାଲବା, କ୍ରୀଡା ଅଧିକାରୀ ନୀଳ ମାଧବ ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

