ଭୁବନେଶ୍ୱର, (ରିପୋଟର୍ସ ପେନ୍) : ପଦ୍ମ ଧରିବା ପରେ ଦେବାଶିଷ ସାମନ୍ତରାୟ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସମ୍ବାଦିକ ସମ୍ମିଳନୀ କରି ଶ୍ରୀ ସାମନ୍ତରାୟ କହିଲେ, ନବୀନ ବାବୁଙ୍କୁ ମୋତେ ଦେଖା କରେଇ ଦେଲେନି। ବିଜୁ ବାବୁଙ୍କ ସମ୍ପତ୍ତି ହଡପ ପାଇଁ ଷଡଯନ୍ତ୍ର ଚାଲିଛି। ବିଜେଡିର ଏବେ ବାପା, ମା ନଥିବା ଭଳି ସ୍ଥିତି। ଏନଡିଏ ସହ ମୋ ରାଜନୈତିକ କ୍ୟାରିଅର ଆରମ୍ଭ ହୋଇଥିଲା। ବିଜେପିରେ ମିଶିବା ପରେ ମୋତେ ଘରକୁ ଫେରିବା ଭଳି ଅନୁଭବ ହେଉଛି। ସେହିପରି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରି ଦେବାଶିଷ କହିଛନ୍ତି ଯେ, ମୋହନ ସରକାର ହେଉଛନ୍ତି ଲୋକଙ୍କ ସରକାର। କଟକର ବିଜେଡି ସଙ୍ଗଠନ ମୋ ସହ ଆସି ସାରିଲେଣି। ବାରବାଟୀ କଟକର ୨୮ ବିଜେଡି କର୍ପୋରେଟର ମୋ ସହିତ ଅଛନ୍ତି।
ସେ କହିଛନ୍ତି ଯେ, ବିଜୁ ବାବୁଙ୍କୁ ଜାଣିନଥିବା ଲୋକେ କରିଛନ୍ତି ବିଜୁ ଫାଉଣ୍ଡେସନ୍। ବିଜେଡିରେ ଥିବା ବେଳେ ମୁଁ ଅଣନିଶ୍ୱାସୀ ହୋଇ ରହିଥିଲି। ନବୀନ ନିବାସକୁ ହଠାତ୍ ମୋତେ ଯିବାକୁ ମନା କରାଗଲା। ବିଜୁ ବାବୁଙ୍କୁ ଜାଣିନଥିବା ଲୋକେ କରିଛନ୍ତି ବିଜୁ ଫାଉଣ୍ଡେସନ୍। ବିଜୁ ବାବୁଙ୍କୁ ସମ୍ମାନ ଦେବାରେ ବିଜେଡି ଅସମର୍ଥ। ଏବେ ବିଜେପି ମୋତେ ଯେଉଁ କାମ ଦେବ, ସେ କାମ ନିଶ୍ଚୟ କରିବି ବୋଲି କହିଛନ୍ତି ଦେବାଶିଷ।
ଗତ ୨୫ ତାରିଖରେ ବିଜେଡି ଛାଡିଥିଲେ ବରିଷ୍ଠ ବିଜେଡି ନେତା ଦେବାଶିଷ ସାମନ୍ତରାୟ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଥିଲେ। ନିଜ ଇସ୍ତଫା ପତ୍ର ରେ ଦେବାଶିଷ ଲେଖିଥିଲେ ରାଜ୍ୟସଭାକୁ ମୋତେ ମନୋନୀତ କରିବା ପାଇଁ ମୁଁ ସର୍ବଦା ଆପଣଙ୍କ ନିକଟରେ ଋଣୀ ରହିବି। ମୁଁ ସର୍ବଦା ଦଳର ସ୍ୱାର୍ଥ ପାଇଁ ନିଜକୁ ଉତ୍ସର୍ଗ କରିଆସିଛି ଏବଂ ବର୍ଷ ବର୍ଷ ଧରି ଅତ୍ୟନ୍ତ ଦୃଢ଼ ବିଶ୍ୱାସ ଏବଂ ପ୍ରତିବଦ୍ଧତାର ସହିତ ଦଳ ପାଇଁ କାମ କରିଆସିଛି। ତଥାପି, ମୁଁ ଅନୁଭବ କରୁଛି ଯେ, ବର୍ତ୍ତମାନ ମୋତେ ଦଳରେ ପଦ୍ଧତିଗତ ଭାବରେ ହୀନ କରିଦିଆଯାଉଛି ଏବଂ ଦଳ ମୋ ସେବା ଆବଶ୍ୟକ କରେ ନାହିଁ। ତେଣୁ, ମୁଁ ଜନସ୍ୱାର୍ଥରେ ଏହି କଠିନ ନିଷ୍ପତ୍ତି ନେଇଛି ଏବଂ ମୋର ଇସ୍ତଫା ଗ୍ରହଣ କରିବାକୁ ଆପଣଙ୍କୁ ଅନୁରୋଧ କରୁଛି ବୋଲି ଚିଠିଲେ ଉଲେଖ କରିଥିଲେ। ଦଳରୁ ଇସ୍ତଫା ଦେବାର କିଛି ସମୟ ପରେ ରାଜ୍ୟସଭାର ଅଧକ୍ଷ ସିପି ରାଧାକ୍ରିଷ୍ଣନଙ୍କୁ ଭେଟି ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।
ପୂର୍ବରୁ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଥିବା ଦେବାଶିଷ ବିଭିନ୍ନ କାରଣରୁ ଅସନ୍ତୁଷ୍ଟ ଥିଲେ। ନବୀନ ଓ ତାଙ୍କ ମଧ୍ୟରେ ଦୂରତା ସୃଷ୍ଟି କରାଯାଇ ଆସୁଥିଲା ବୋଲି ଅଭିଯୋଗ ହେଉଥିଲା । ତାଙ୍କର ଅନୁଗତ ମାନଙ୍କୁ ଦଳରେ ଗୁରୁତ୍ୱ ଦିଆଯାଉ ନଥିଲା । ଏମିତିକି ତାଙ୍କୁ ଯେଉଁ ସିନିୟର ସିଟିଜେନ ସେଲର ବରିଷ୍ଠ ଉପସଭାପତି ପଦ ଦିଆଯାଇଥିଲା, ତାହାକୁ ଦେବାଶିଷ ପ୍ରତ୍ୟାଖ୍ୟାନ କରିଥିଲେ।
ଗତ ୨୬ ତାରିଖରେ ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ବିଜେପିରେ ସାମିଲ୍ ହୋଇଥିଲେ। ବିଜେପି ମୁଖ୍ୟାଳୟରେ ପଦ୍ମ ଧରିଥିଲେ ଦେବାଶିଷ ସାମନ୍ତରାୟ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ଉପସ୍ଥିତିରେ ବିଜେପିରେ ମିଶିଥିଲେ ଦେବାଶିଷ। ବିଜେପିରେ ଯୋଗ ଦେବା ପରେ ଦେବାଶିଷ ସାମନ୍ତରାୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। “ବିକଶିତ ଭାରତ ପାଇଁ ପ୍ରଧାନମନ୍ତ୍ରୀ ଦେଖିଥିବା ସ୍ୱପ୍ନ, ତାଙ୍କ କାର୍ଯ୍ୟକଳାପରେ ପ୍ରଭାବିତ ହୋଇ ଦଳରେ ଯୋଗ ଦେଇଛି । ଓଡ଼ିଶାରେ ଦଳକୁ ଆହୁରି ମଜଭୁତ୍ କରିବାକୁ ଚେଷ୍ଟା କରିବି “।
ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିରେ ଏବେ ଓଡ଼ିଶା ବିକଶିତ ହେଉଛି । ପ୍ରଧାନମନ୍ତ୍ରୀ ଦେଖିଥିବା ସ୍ୱପ୍ନରେ ମୋର ସହଯୋଗ ରହିବ । ମୋତେ ଦେଇଥିବା ସୁଯୋଗ ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ଦେବାଶିଷ ସାମନ୍ତରାୟ।
ଅନ୍ୟପଟେ, ସେପଟେ ପ୍ରେସମିଟ୍ କରି ଦେବାଶିଷ ସାମନ୍ତରାୟଙ୍କଙ୍କୁ କଟାକ୍ଷ କଲା ବିଜେଡି। ଦଳ ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ, ପ୍ରଲୋଭିତ କରେଇବା ଓ ପ୍ରଲୋଭିତ ହେବାର ଟ୍ରେଣ୍ଡ ଏବେ ଦେଶରେ ଚାଲିଛି। ଗୋଟିଏ ଦଳ ଲୋକଙ୍କୁ ପ୍ରୋଲିଭିତ କରୁଛି। ସେହି ପ୍ରସେସରେ ଦୁଇ ଦିନ ତଳେ ଜଣେ ନେତା ଆମ ଦଳ ଛାଡିଛନ୍ତି। ଦଳର ଭଲ ସମୟରେ ଥିଲେ, ବିଜେଡିରୁ ପଦ ପଦବୀ ପାଇଥିଲେ। ପୂର୍ବରୁ କିଛି ଜଣ ଯାଇଥିଲେ। ହେଲେ ତାଙ୍କୁ ଦେଖିବାକୁ ମିଳୁନାହିଁ। ଏବେ ଦେବାଶିଷ ସାମନ୍ତରାୟ ଗଲେ। ଦଳ ଯେତେବେଳେ ବିରୋଧୀ ଦଳରେ ଅଛି। ସେ ସମୟରେ କହୁଛନ୍ତି ମୁଁ ଏବେ ପୁରୁଣା ଘରକୁ ଫେରିଛି। ବିଜେପିରେ ଏବେ ପଲିଟିକାଲ ଟସଲ ଚାଲିଛି। ଦେବାଶିଷ ବାବୁ ଟ୍ରାପରେ ପଡିଲେ। ନବୀନ ବାବୁ ଆପଣଙ୍କୁ ୫ ଥର ଟିକେଟ ଦେବା ସହ ରାଜ୍ୟସଭାକୁ ପଠାଇଛନ୍ତି। ଯଦି ଅଣନିଶ୍ୱାସୀ ହେଉଥିଲେ ତାହାଲେ କାହିଁକି ସେତେବେଳେ ଇସ୍ତଫା ଦେଇ ଦେଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଲେନିନ। ସେ କହିଛନ୍ତି ଯେ, ଦେବାଶିଷ ବିଜେଡି କର୍ମୀଙ୍କୁ ଚ୍ୟାଲେଞ୍ଜ ଦିଅନ୍ତୁ ନାହିଁ। ଆପଣ କେତେ ବାଟ ଯାଇ ପାରିବେ ଆମେ ଦେଖୁଛୁ। ଏତେ ଉଲ୍ଲସିତ ହୁଅନ୍ତୁ ନାହିଁ। ଯଦି ବିଜେଡି ସଂଗଠନ ତାଙ୍କ ସହ ଅଛି ତାହାଲେ ଗତକାଲି କାହିଁକି ବିମାନ ବନ୍ଦରରେ କେହି ନଥିଲେ ବୋଲି ପ୍ରଶ୍ନ କରିଛନ୍ତି।

