ଭୁବନେଶ୍ୱର, (ରିପୋଟର୍ସ ପେନ୍) : ରାଜଧାନୀର ସର୍ବପୁରାତନ ଏକ ନମ୍ବର ହାଟର ପାର୍କିଂ ସମସ୍ୟା ନେଇ ହାଟ ବ୍ୟବସାୟୀ ସଂଘ ଭୁବନେଶ୍ୱର ମହାନଗର ନିଗମ (ବିଏମସି)କୁ ଅବଗତ କରିଛି । ପାର୍କିଂ ସମସ୍ୟାର ସମଧାନ ନହେଲେ ବ୍ୟବସାୟୀ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତବେନୀ ମଧ୍ୟ ଦେଇଛି ।
ରାଜଧାନୀ ଦୈନିକ ଛୋଟ ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ବ୍ରଜବନ୍ଧୁ ନରେନ୍ଦ୍ର କହିଛନ୍ତି, ୟୁନିଟ୍-୧ ହାଟ ଖାଲି ଭୁବନେଶ୍ୱର ନୁହେଁ ଓଡ଼ିଶାର ହୃତପିଣ୍ଡ କହିଲେ ଅତ୍ୟୁକ୍ତି ହେବନାହିଁ । ଏଠାକୁ ଦୈନିକ ହଜାର ହଜାର ଲୋକ ଆସିଥାନ୍ତି । ହେଲେ ଏହାର ମୁଖ୍ୟତଃ ପାର୍କିଂ ସମସ୍ୟାକୁ ନେଇ ଗ୍ରାହକମାନେ ନାହିଁ ନଥିବା ହଇରାଣ ହେଉଛନ୍ତି । ସଂଘ ତରଫରୁ ପାର୍କିଂ ପାଇଁ ବି.ଏମ୍.ସିକୁୁ ବହୁବାର ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସ୍ଥାୟୀ ସମାଧାନ ହୋଇପାରିନାହିଁ । ଯାହାଦ୍ୱାରା କି ହାଟ ଭିତରେ ବ୍ୟବସାୟୀମାନେ ହାତ ବାନ୍ଧି ବସିଛନ୍ତି । ଯାହାଦ୍ୱରା ବ୍ୟବସାୟୀମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।
ତେବେ ହାଟ ପାଇଁ ଉଦ୍ଦିଷ୍ଟ ପାର୍କିଂ ଗେଟ୍ ନଂ-୫,୬,୭ ଓ ୧ ନଂ ଗେଟ୍ ସାମ୍ନା ପାର୍କିଂ ପାଇଁ ୧୯୮୪ ମସିହାରେ ସାଧାରଣ ପ୍ରସାଶନ ବିଭାଗ ମହାନଗର ନିଗମକୁ ଦାୟିତ୍ୱ ଦେଲା ପରେ ଉକ୍ତ ସ୍ଥାନ ଗୁଡିକରେ ପାର୍କିଂ ହେଉଥିଲା । ୨୦୦୮ ମସିହାରେ ଉକ୍ତ ସ୍ଥାନ ଗୁଡିକ ଜବରଦଖଲ ହୋଇ ବ୍ୟବସାୟ କରିବା ଦ୍ୱାରା ପାର୍କିଂ ସମସ୍ୟା ଦେଖାଦେଲା । ଏନେଇ ବିଏମସିର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ମହାନଗର ନିଗମ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । ସେହିପରି ରାଜମହଲ ଛକ ଠାରୁ ମହିଳା ଥାନା ପର୍ଯ୍ୟନ୍ତ ରାସ୍ତା କଡରେ ପାର୍କିଂ ବ୍ୟବସ୍ଥା ମଧ୍ୟ ଥିଲା, ବର୍ତ୍ତମାନ ସମସ୍ତ ପାର୍କିଂ ସ୍ଥାନ ଗୁଡିକ ଜବରଦଖଲ ହୋଇରହିଛି । ଫଳରେ ହାଟକୁ ଆସୁଥିବା ଗ୍ରାହକମାନେ ପାର୍କିଂ କରିବାକୁ ଜାଗା ପାଉନାହାଁନ୍ତି । ଏହା ଯୋଗୁଁ ଗ୍ରାହକମାନେ ଆଉ ହାଟକୁ ଆସିବାକୁ ଇଚ୍ଛା କରୁନାହାନ୍ତି ।
ଏନେଇ ଆଜି ସଂଘ ପକ୍ଷରୁ ବିଏମସି କମିଶନରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଜବରଦଖଲରେ ଥିବା ସ୍ଥାନକୁ ମୁକ୍ତ କରି ପାର୍କିଂ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ବିଏମସିକୁ କୁହାଯାଉଛି । ଯଦି ବିଏମସି ଏଥିରେ ହସ୍ତକ୍ଷେପ କରିବାକୁ ନଚାହୁଁଛି, ତେବେ ପୂର୍ବପରି ସାଧାରଣ ପ୍ରସାଶନ ବିଭାଗକୁ ଦାୟିତ୍ୱ ହସ୍ତାନ୍ତର କରନ୍ତୁ । ଆମର ଦୃଢ଼ ପ୍ରତିବାଦ ପରେ ଏହାର ଯଦି ଆଶୁ ସମାଧାନ ନହୁଏ ଆମେ ଆଗାମୀ ଦିନରେ ୩୦୦୦ ବ୍ୟବସାୟୀ, ୧୫୦୦ ପରିବା ବ୍ୟବସାୟୀ ଓ ୫୦ ପରିବା ହୋଲସେଲର ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବା ସହ ଆସନ୍ତା ୧ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ବନ୍ଦ ଡାକରା ଦେବା ପାଇଁ ବାଧ୍ୟ ହେବୁ ବୋଲି ବ୍ରଜବନ୍ଧୁ ନରେନ୍ଦ୍ର ଚେତବାନୀ ଦେଇଛନ୍ତି । ତେବେ ଆସନ୍ତା ଗୁରୁବାର ଦିନ ହାଟ ମହାସଂଘ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ, ଏହି ବୈଠକ ପରେ ହାଟ ବନ୍ଦ ନେଇ ଦିନ ନିର୍ଦ୍ଧାରଣ କରାଯିବ ବୋଲି ସେ କହିଛନ୍ତି ।
ଅପରପକ୍ଷରେ ମିଳିଥିବା ସୂଚନା ଅନୁସାରେ, ଏକ ନମ୍ବର ହାଟକୁ ଗମନଗମନର ସୁବିଧା ଓ ପାର୍କିଂି ଲାଗି ସାଧାରଣ ପ୍ରଶାସନ ବିଭାଗ ଅନେକ ପପକ୍ଷେପ ନେଇଥିଲା । ୧୯୮୪ ମସିହାରେ ହାଟର ପୂର୍ବ ପଟକୁ ୩୦ ଫୁଟିଆ ରାସ୍ତା ଲାଗି ବ୍ୟବସ୍ଥା ହୋଇଥିଲା । ଏପରିକି ୧୨ଟି ହୋଟେଲକୁ ଭାଙ୍ଗି ଗଣେଷ ମଣ୍ଡପ ପାଖକୁ ସ୍ଥାନାନ୍ତରଣ କରାଯାଇଥିଲା । ହେଲେ ଉକ୍ତ ରାସ୍ତାରୁ ପ୍ରାୟ ୧୦ଫୁଟ ଜାଗାକୁ ଥାନା କ୍ୟାମ୍ପସ ମାଡି ଯାଇଥିଲା । ଯେଉଁଠାରୁ ଏବେ ପୋଲିସ ବ୍ୟାରାକ ଓ ଅନ୍ୟାନ୍ୟ ଘର ନିର୍ମାଣ କରାଯାଇଛି । ଏଥିସହିତ କିଛି ଜବରଦଖଲକାରୀ ମଧ୍ୟ ରାସ୍ତାକୁ କବଜା କରିନେଇଛନ୍ତି । ଫଳରେ ଏବେ ରାସ୍ତା ସମ୍ପୂର୍ଣ୍ଣ ସଙ୍କୁଚିତ ହୋଇଯାଇଛି ।
ସେହିପରି ସେହିପରି ରାଜମହଲ ଛକ ଠାରୁ ମହିଳା ଥାନା ପର୍ଯ୍ୟନ୍ତ ରାସ୍ତା କଡରେ ପାର୍କିଂ ବ୍ୟବସ୍ଥା ମଧ୍ୟ ଥିଲା । ପରେ କିଛି ଅସାଧୁ ବ୍ୟକ୍ତି ବିଏମସି ଅଧିକାରୀଙ୍କ ସହ ମିଶି ଉକ୍ତ ସ୍ଥାନରେ ଯୋଜନାବଦ୍ଧ ଭାବେ ଭେଣ୍ଡିଂ ଜୋନ୍ ନିର୍ମାଣ କରିବା ସହ ଜବରଦଖଲକୁ ନେଲେ । ଫଳରେ ଏବେ ପାର୍କିଂ ପାଇଁ ଜାଗା ନାହିଁ । ହାଟ ବ୍ୟବସାୟୀ ସଂଘ ବାରମ୍ବାର ବିଏମସିକୁ ଏନେଇ ଅବଗତ କରିଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ଯଦି ବିଏମ୍ସି ସମାଧାନ କରିପାରୁନାହିଁ, ତେବେ ଏହାର ଦାୟିତ୍ୱ ପୂର୍ବପରି ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର କରୁ ବୋଲି ବ୍ୟବସାୟୀମାନେ ଦାବି କରିଛନ୍ତି । ବାରମ୍ବାର ଦାବି ସତ୍ୱେ ଯଦି ବିଏମସି ଏହାର ସମାଧାନ ନକରେ, ତେବେ ହାଟକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ବ୍ୟବସାୟୀମାନେ ଚେତାବନୀ ଦେଇଛନ୍ତି ।

